Advertisment

ବିଜେପି ନେତାଙ୍କ ବିବାଦୀୟ ବୟାନ: କହିଲେ- ପ୍ରିୟଙ୍କାଙ୍କ ଗାଲ ଭଳି ରାସ୍ତା କରିଦେବି

ଦିଲ୍ଲୀର କାଲକାଜୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ରମେଶ ବିଧୁଡ଼ି। ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ପରେ ମାଗିଲେ କ୍ଷମା।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Ramesh Bidhuri and Priyanka Gandhi

Ramesh Bidhuri and Priyanka Gandhi

ଦେଶର ରାଜଧାନୀ ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ। ଏହାରି ଭିତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ନେଇ ଆପତ୍ତିଜନକ ବୟାନ ଦେଇ ବିବାଦରେ ବିଜେପି ନେତା ରମେଶ ବିଧୁଡ଼ି। ଦିଲ୍ଲୀର କାଲକାଜୀ ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ରମେଶ ନିର୍ବାଚନ ଜିତିଲେ 'ପ୍ରିୟଙ୍କା ଗାନ୍ଧିଙ୍କ ଗାଲ' ଭଳି ରାସ୍ତା କରିଦେବେ ବୋଲି ଏକ ଜନସଭାରେ କହିଥିଲେ। ଯାହାକୁ ନେଇ ଚାରିଆଡ଼ୁ ସମାଲୋଚନା ପରେ ଏବେ କ୍ଷମା ପ୍ରାର୍ଥନା କରିଛନ୍ତି।

Advertisment

ପୂର୍ବତନ ସାଂସଦ ତଥା ବିଜେପି ପ୍ରାର୍ଥୀ ରମେଶ ବିଧୁଡ଼ି ଏକ ଜନସଭାରେ ଏଭଳି ଆପତ୍ତିଜନକ ବୟାନ ଦେଉଥିବା ସମୟର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଖୁବ ଭାଇରାଲ ହେଉଛି। ଯେଉଁଥିରେ ରମେଶ ଏକ ଜନସଭାକୁ ସମ୍ବୋନ୍ଧିତ କରି କହୁଛନ୍ତି ଯେ, ଲାଲୁ ଯାଦବ କଥା ଦେଇଥିଲେ ବିହାରର ସବୁ ରାସ୍ତାକୁ ହେମା ମାଳିନୀଙ୍କ ଗାଲ ଭଳି କରିଦେବେ। ହେଲେ କରିପାରିଲେନି। ମୁଁ ଆପଣଙ୍କୁ କଥା ଦେଉଛି, ଯେମିତି ଓଖଲା ଓ ସଂଗମ ବିହାର ରାସ୍ତା ଆମେ କରିଛୁ, ସେମିତି କାଲକାଜୀର ସମସ୍ତ ରାସ୍ତାକୁ ମଧ୍ୟ ମୁଁ ପ୍ରିୟଙ୍କା ଗାନ୍ଧିଙ୍କ ଗାଲ ଭଳି କରିଦେବି।

Advertisment

ବିଜେପି ବିଧାୟକ ପ୍ରାର୍ଥୀଙ୍କର ଏଭଳି ଆପତ୍ତିଜନକ ବୟାନକୁ ନିନ୍ଦା କରିଛି କଂଗ୍ରେସ। ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ ବିଜେପି ସଂପୂର୍ଣ୍ଣ ମହିଳା ବିରୋଧୀ ଦଳ। ବିଜେପିର ପୂର୍ବତନ ସାଂସଦ ତଥା କାଲକାଜୀ ବିଧାୟକ ପ୍ରାର୍ଥୀ ପ୍ରିୟଙ୍କା ଗାନ୍ଧିଙ୍କୁ ନେଇ ଦେଇଥିବା ବୟାନ କେବଳ ଲଜ୍ଜ୍ୟାଜନକ ନୁହେଁ, ବରଂ ଏହି ମହିଳାଙ୍କ ପ୍ରତି ତାଙ୍କ ମନରେ ଥିବା କୁତ୍ସିତ ମାନସିକତାକୁ ମଧ୍ୟ ଦର୍ଶାଉଛି। ଯେଉଁଲୋକ ସଂସଦରେ ନିଜ ସାଥି ସାଂସଦଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଦିଅନ୍ତି, ଏବଂ ଏଥିପାଇଁ ତାଙ୍କୁ କୌଣସି ଦଣ୍ଡ ମିଳେନାହିଁ, ତାଙ୍କଠାରୁ ଆଉ କଣ ଆଶା କରାଯିବ? ଏହା ବିଜେପିର ଅସଲ ଚେହେରା। ଏହି ଅସଭ୍ୟ ମାନସିକତା ପାଇଁ ବିଜେପିର ନେତ୍ରୀ, ମହିଳା ବିକାଶ ମନ୍ତ୍ରୀ, ଜେପି ନଡ୍ଡା କିମ୍ବା ପ୍ରଧାନମନ୍ତ୍ରୀ କିଛି କହିବେ କି? ଶ୍ରୀନେତ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ତେବେ କେବଳ କଂଗ୍ରେସ ନୁହେଁ, ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଏହି ପ୍ରସଙ୍ଗରେ ବିଜେପି ନେତାଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ଖୋଦ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ରମେଶ ବିଧୁଡ଼ିଙ୍କ କାଲକାଜୀ ପ୍ରତିଦ୍ୱନ୍ଦ୍ୱୀ ଆତିଶୀ କହିଛନ୍ତି ଯେ ବିଜେପି ହେଉଛି ଏକ ମହିଳା ବିରୋଧୀ ଦଳ। ଦିଲ୍ଲୀରେ ଆଇନ କାନୁନ ବ୍ୟବସ୍ଥା ସେହି ବିଜେପି ହାତରେ ରହିଥିବାରୁ ଏହା ଚିନ୍ତାଜନକ। ଯଦି ବିଜେପି ନେତା ରମେଶ ବିଧୁଡ଼ି ଏଭଳି ଅଭଦ୍ର ଟିପ୍ପଣୀ ଦେଉଛନ୍ତି, ତେବେ ଦଳ ମହିଳାଙ୍କୁ କିପରି ସୁରକ୍ଷା ଦେବ? ତେବେ କେବଳ କାଲକାଜୀ ନୁହେଁ, ଦିଲ୍ଲୀର ସମସ୍ତ ମହିଳା ଏହାର ଜବାବ ନିର୍ବାଚନରେ ଦେବେ ବୋଲି ସେ କହିଛନ୍ତି।

ନିଜ ବୟାନକୁ ନେଇ ଚାରିଆଡ଼ୁ ସମାଲୋଚନାର ଶିକାର ହେବା ପରେ ବୟାନରେ ତାଳି ପକାଇବାକୁ ଚେଷ୍ଟା କରିଛନ୍ତି ରମେଶ ବିଧୁଡ଼ି। ସେ ସଫେଇ ଦେଇ ଏକ୍ସରେ ଲେଖିଛନ୍ତି ଯେ କୌଣସି ବିଷୟ ଉପରେ ମୋ ଦ୍ୱାରା ଦିଆଯାଇଥିବା ବୟାନର ଭୁଲ ଅର୍ଥ ବାହାର କରି କିଛି ଲୋକ ରାଜନୈତିକ ଲାଭ ଉଠାଇବାକୁ ଚେଷ୍ଟା କରୁଛନ୍ତି। କାହାକୁ ଅପମାନ କରିବା ମୋର ଉଦ୍ଦେଶ୍ୟ ନଥିଲା। ତଥାପି ଯଦି ମୋ କଥାରେ କାହାକୁ ଦୁଃଖ ହୋଇଛି, ଏଥିପାଇଁ ମୁଁ କ୍ଷମା ପ୍ରାର୍ଥନା କରୁଛି ବୋଲି ସେ ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି।

Bjp Congress AAP Priyanka Gandhi Delhi Election Ramesh Bidhuri