ନବ ଦାସ ହତ୍ୟାକାଣ୍ଡରେ ପାଣ୍ଡିଆନ-ବବିଙ୍କ ସମ୍ପୃକ୍ତି ଅଭିଯୋଗ: ବିଜେଡିର ବ୍ୟକ୍ତିଗତ ହାମଲା, ଜବାବ ଦେଲା ବିଜେପି

ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଆଜି ବିଧାନସଭା ପରିସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସିଧାସଳଖ ଫାଇଭ-ଟି ସଚିବ ଓ ଯାଜପୁର ବିଧାୟକଙ୍କ  ସମ୍ପୃକ୍ତିର ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା ।

Sonali Sahu

ବିଜେପି ନେତ୍ରୀ ସୋନାଲି ସାହୁ

Ordigital Desk
  • Published: Tuesday, 21 February 2023
  • Updated: 21 February 2023, 09:54 PM IST

Sports

Latest News

ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ଓ ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ସମ୍ପୃକ୍ତି  ରହିଛି ବୋଲି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆଜି ସିଧାସଳଖ ଅଭିଯୋଗ କରି ସେମାନଙ୍କ କଲ୍ ରେକର୍ଡ ଯାଂଚ ପାଇଁ ଦାବି କରିବା ପରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ନବଙ୍କ ହତ୍ୟାର ୨୪ଦିନ ପରେ ରହସ୍ୟ ଉନ୍ମୋଚନ କରିବାରେ କ୍ରାଇମବ୍ରାଂଚ ବିଫଳ ହୋଇଥିବା ତଥା  ଜୟନାରାୟଣଙ୍କ ଏଭଳି ସିଧାସଳଖ ହାମଲାରେ ବ୍ୟତିବ୍ୟସ୍ତ ବିଜେଡି ଆଜି ସ୍ଥିତି ସମ୍ଭାଳିବା ପାଇଁ ଜୋରଦାର ପ୍ରୟାସ କରିଛି । ତେବେ ପାରଦର୍ଶିତାର କଥା କହୁଥିବା ନବୀନ ପଟ୍ଟନାୟକ ସରକାର ବିରୋଧୀ ଦଳ ନେତାଙ୍କ ବୟାନକୁ ଗୁରୁତ୍ୱର ସହ ନେଇ ଉଭୟ ପାଣ୍ଡିଆନ ଓ ବବିଙ୍କୁ ତଦନ୍ତ ପରିସରଭୁକ୍ତ କରି ନିଜର ସ୍ୱଚ୍ଛତା ପ୍ରତିପାଦନ କରିବା ନିମନ୍ତେ ଦାବି ହେଉଥିବାବେଳେ ବିଜେଡି ପକ୍ଷରୁ ଏବେ ଜୟନାରାୟଣଙ୍କୁ ବ୍ୟକ୍ତିଗତସ୍ତରରେ ଅଶାଳୀନ ସମାଲୋଚନା ହେଉଥିବା ଜଣାପଡ଼ିଛି । ଏପଟେ ଜୟନାରାୟଣଙ୍କ ସପକ୍ଷରେ ବିଜେପି ଆଗକୁ ଆସି ବିଜେଡି ନେତାମାନଙ୍କୁ ଜବାବ ଦେଇଛି ।

ସୂଚନା ଅନୁସାରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ଆଜି ବିଧାନସଭା ପରିସରରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ସିଧାସଳଖ ଫାଇଭ-ଟି ସଚିବ ଓ ଯାଜପୁର ବିଧାୟକଙ୍କ  ସମ୍ପୃକ୍ତିର ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା । ସ୍ଥିତିକୁ ସମ୍ଭାଳିବା ପାଇଁ ବିଜେଡି ମାତ୍ର ୨ଘଣ୍ଟା ଭିତରେ ମୃତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳିଙ୍କୁ ଆଗକୁ ଆଣି ନବଙ୍କ ହତ୍ୟାକୁ ରାଜନୀତିକକରଣ ନକରିବା ଓ କ୍ରାଇମବ୍ରାଂଚ ତଦନ୍ତ ଉପରେ ଭରସା ଥିବା କଥା କୁହାଇଥିଲା । ଆଉ ନିଜର ଦଳର ନେତା ପ୍ରଶାନ୍ତ ମୁଦୁଲି, ସସ୍ମିତ ପାତ୍ର, ଅମର ଶତପଥୀ, ପ୍ରମିଳା ମଲ୍ଲିକଙ୍କଠୁ ଆରମ୍ଭ କରି ବହୁ ବିଜେଡି ନେତା ସୋସିଆଲ ମିଡିଆ ଓ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁ ବ୍ୟକ୍ତିଗତସ୍ତରରେ କଟୂ ସମାଲୋଚନା କରିବା ସହ ତାଙ୍କର ମାନସିକ ଅବସ୍ଥା ଭଲ ନଥିବା ଅଭିଯୋଗ କରିଛନ୍ତି । ତେବେ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ପଛର ରହସ୍ୟ ଜାଣିବାର ଅଧିକାର ଓଡ଼ିଶାବାସୀଙ୍କ ରହିଛି ବୋଲି କହି ଜୟନାରାୟଣ ବିଜେଡି ନେତାମାନଙ୍କର ଟୀକାଟିପ୍ପଣୀ ଉପରେ କିଛି ପ୍ରତିକ୍ରିୟା ରଖିବାକୁ ମନା କରିଦେଇଥିଲେ । ଆଉ ବିଜେଡି ନେତାମାନଙ୍କ ଏଭଳି ବ୍ୟକ୍ତିଗତ ଅଭିଯୋଗକୁ ମଧ୍ୟ ଶାଣିତ ଢଙ୍ଗରେ ଜବାବ ଦେଇଛି ବିଜେପି ।

ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ପିଏଜି ଦାୟିତ୍ୱରେ ଥିବାବେଳେ ବିଜେଡି ସରକାରର ବହୁ ଚୋରି, ଭ୍ରଷ୍ଟାଚାରୀ ଓ ମିଛକୁ ଲୋକଲୋଚନକୁ ଆଣି ଚର୍ଚ୍ଚାର ପରିଧିକୁ ଆସିଥିବା ବର୍ତ୍ତମାନର ବିଜେଡି ସାଂସଦ ଅମର ପଟ୍ଟନାୟକ କେଉଁ କାରଣରୁ ନବୀନ ପଟ୍ଟନାୟକଙ୍କର ଶରଣାଗତ ହୋଇଥିଲେ ? ଏ ପ୍ରଶ୍ନର ଜବାବକୁ ରାଜ୍ୟବାସୀ ଅପେକ୍ଷା କରିଥିବାବେଳେ ଆଜି ଶାଳିନତାର ସମସ୍ତ ସୀମା ପାରି ହୋଇ ଜଣେ ନିର୍ବାଚିତ ଜନପ୍ରତିନିଧିଙ୍କୁ ତଥା ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି କହି ଅମର ବାବୁ ନିଜେ ମାନସିକ ଭାରସାମ୍ୟ ହରାଇଥିବାର ସ୍ପଷ୍ଟ କରିଛନ୍ତି । ଆଇନର ବାଟ ଓଗାଳି ରାଜ୍ୟବାସୀଙ୍କୁ ନ୍ୟାୟ ଦେବାରୁ ବଂଚିତ ରଖୁଥିବା ମୁଖ୍ୟମନ୍ତ୍ରୀ ଆଜି ବିଭିନ୍ନ ଅପରାଧରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ନିଜ କୋଳରେ ବସାଇ ଅପରାଧକୁ ପ୍ରୋତ୍ସାହିତ କରୁଛନ୍ତି । ନିଜ ସାମ୍ବିଧାନିକ ଦାୟିତ୍ୱକୁ ଭଲ ଭାବେ ବୁଝିଥିବା ଏବଂ ରାଜ୍ୟବାସୀଙ୍କ ପାଖରେ ଉତ୍ତରଦାୟୀ ଥିବା ବିରୋଧୀ ଦଳ ନେତା ଶ୍ରୀ ମିଶ୍ର    ହତ୍ୟାକାଣ୍ଡର ୪ ଦିନ ପୂର୍ବରୁ ସ୍ୱର୍ଗତଃ ଦାସଙ୍କ ସହ କିଏ କିଏ କଥା ହୋଇଥିଲେ, କ’ଣ କଥା ହୋଇଥିଲେ, ସେ କୁଆଡ଼େ ଯାଇଥିଲେ, ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାରେ ବିଫଳ ବିଜେଡି ସରକାର ଏବେ ନିମ୍ନସ୍ତରକୁ ଯାଇ ବିରୋଧୀ ଦଳ ନେତାଙ୍କୁ ପାଗଳ ବୋଲି କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ତଦନ୍ତ ନହେଉଣୁ ବିଜେଡି ନେତାମାନେ ସନ୍ଦେହ ଘେରରେ ଥିବା ଅଭିଯୁକ୍ତମାନଙ୍କୁ କ୍ଲିନ ଚିଟ୍ ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସେ ପ୍ରଶ୍ନ କରିଛନ୍ତି ।

ସେହିପରି ବିଜେପି ନେତ୍ରୀ ସୋନାଲି ସାହୁ ମଧ୍ୟ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଳିକଙ୍କୁ ସିଧାସଳଖ ସମାଲୋଚନା କରି ୭୦୦କୋଟି ଟଙ୍କାର ଡାଲି ଦୁର୍ନୀତିରେ ଲିପ୍ତ ଥିବା ଏବେର ରାଜସ୍ୱ ମନ୍ତ୍ରୀଙ୍କର ବୟାନ ସଇତାନ ମୁହଁରେ ବେଦପାଠ ଭଳି ବୋଲି କହିଛନ୍ତି । ନବ ଦାସ ହତ୍ୟା ପୂର୍ବରୁ ଫାଇଭ-ଟି ସଚିବ ପାଣ୍ଡିଆନ ଓ ପ୍ରଣବ ପ୍ରକାଶ ଦାସଙ୍କ କଲ ରେକର୍ଡକୁ ସାର୍ବଜନୀନ କରିବାକୁ ସେ ଦାବି କରିଛନ୍ତି । ବ୍ଲାକରୋଜ୍ କେସରେ କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହୋଇଥିଲା, ସେଥିରେ ପ୍ରଣବ ପ୍ରକାଶ ଦାସଙ୍କ ସମ୍ପୃକ୍ତି କେତେ ଅଛି ତାକୁ ସାର୍ବଜନୀନ କରାଯାଉ । ବିଜେଡି ବିଧାୟକ ପ୍ରତାପ ଜେନାଙ୍କ ନାଁରେ ଦୁଇ ଦୁଇଟି ହତ୍ୟା ମାମଲା ଅଛି, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କର ପରକ୍ରିୟା ପ୍ରୀତି କଥା ଉଠିବା ପରେ ଧର୍ମେନ୍ଦ୍ର ସାହୁଙ୍କ ହତ୍ୟା ଏବେବି ପ୍ରଶ୍ନବାଚୀ ହୋଇ ରହିଛି । ମମିତା ମେହେର ହତ୍ୟା ମାମଲାରେ ତତକାଳୀନ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ନାଁ ଆସିଲା । ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୁଦ୍ଧରେ ସୋମାଲିକା ଅଭିଯୋଗ ଆଣିଲେ? ଏସବୁ ମାମଲାରେ ବିଜେଡି ସରକାର ଚୁପ୍ ବସିଛନ୍ତି । ଆଉ ଯେଉଁ ଦୁଇଟି ଘଟଣାର ଅଭିଯୋଗ ବିଜେଡି ନେତାମାନେ ଉଠାଇଛନ୍ତି ସେଥିରୁ ଛତ୍ରପୁର କେସରେ ପୁଲିସର ଚାର୍ଜସିଟରେ କ’ଣ ଲେଖାହୋଇଛି, ପୁଲିସ ଡିଜିଙ୍କୁ ପଚାରି ବୁଝିବାକୁ ସୋନାଲି ପରାମର୍ଶ ଦେଇଛନ୍ତି । ନବ ଦାସ ହତ୍ୟା ମାମଲାରେ ଯଦି କ୍ରାଇମବ୍ରାଂଚର ପାରିବାପଣିଆ ଅଛି ତା’ହେଲେ ଅବସରପ୍ରାପ୍ତ ବିଚାରପତିଙ୍କୁ ନେଇ ତଦନ୍ତର ଆବଶ୍ୟକତା କ’ଣ ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । ତେଣୁ ଯଦି ସତସାହାସ ଅଛି ତା’ହେଲେ ପାଣ୍ଡିଆନ ଓ ପ୍ରଣବ ପ୍ରକାଶଙ୍କ ମୋବାଇଲକୁ ଯାଂଚ କରାଇ ତଥ୍ୟକୁ ସାର୍ବଜନୀନ  କରି ରାଜ୍ୟ ସରକାର ଉଦାହରଣ ସୃଷ୍ଟି କରନ୍ତୁ ବୋଲି ଶ୍ରୀମତୀ ସାହୁ ଦାବି କରିଛନ୍ତି ।

Also Read

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos