Advertisment

ପାଲଟା ଜବାବ ଦେଲା ବିଜେପି: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କୁ କହିଲେ ବିଜେଡିକୁ ବାଧୁଛି କାହିଁକି

ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍ ବିବୃତ୍ତି ଜାରି କରି କହିଛନ୍ତି ଯେ, ଗଣତନ୍ତ୍ରରେ ଏକ ବିଧି ବ୍ୟବସ୍ଥା ଅଛି । ଯେଉଁ ବିଧି ବ୍ୟବସ୍ଥା ଆଧାରରେ ଆମେ ସମସ୍ତେ ବାନ୍ଧି ହୋଇଛନ୍ତି ।

author-image
Ordigital Desk
undefined

BJP

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ଇଙ୍ଗିତ କରି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ବିଭିନ୍ନ ସଙ୍ଗୀନ ଅଭିଯୋଗ ଆଣି ବର୍ଷିବା ପରେ ବିଜେଡି ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କୁ କଡ଼ା ସମାଲୋଚନା କରିଥିଲେ । ତେବେ ବିଜେଡିର ସାମ୍ବାଦିକ ସମ୍ମିଳନୀର କିଛି ଘଣ୍ଟା ପରେ ବିଜେପି ପୁଣିଥରେ ପାଲଟା ଜବାବ ଦେଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଉପରେ ମନ୍ତବ୍ୟ ଦେଲେ ବିଜେଡିକୁ କାହିଁକି କଷ୍ଟ ହେଉଛି ବୋଲି ପ୍ରଶ୍ନ କରିବା ସହ ବିଜେଡିର ସଦସ୍ୟତା ନେବାକୁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ସହାୟକ ଅପେକ୍ଷା କରିଛନ୍ତି କି ବୋଲି ଜାଣିବାକୁ ଚାହିଁଛି । ଆଜି ସକାଳୁ ଅପରାଜିତାଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ ବିଭିନ୍ନ ଅଭିଯୋଗ ସହ ଅଲଇଣ୍ଡିଆ ସର୍ଭିସ କଣ୍ଡକ୍ଟ ରୁଲସର ଉଲ୍ଲଘଂନ ଅଣାଯିବା ପରେ ବିଜେଡି ଶିବିରରେ ଚହଳ ପଡ଼ିଥିଲା । ବିଜେଡି ନିଜର ଯୁବ ତଥା ମହିଳା ଚେହେରା ଶ୍ରୀମୟୀ ମିଶ୍ରଙ୍କୁ ଆଗକୁ ଆଣି ଅପରାଜିତାଙ୍କ ବିରୁଦ୍ଧରେ କଡ଼ା ମନ୍ତବ୍ୟ ଦେଇଥିଲା । ଯାହାକୁ ନେଇ ବିଜେପି ପୁଣିଥରେ ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି ।

Advertisment

ରାଜ୍ୟ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଗଣମାଧ୍ୟମକୁ ପ୍ରେସ୍ ବିବୃତ୍ତି ଜାରି କରି କହିଛନ୍ତି ଯେ, ଗଣତନ୍ତ୍ରରେ ଏକ ବିଧି ବ୍ୟବସ୍ଥା ଅଛି । ଯେଉଁ ବିଧି ବ୍ୟବସ୍ଥା ଆଧାରରେ ଆମେ ସମସ୍ତେ ବାନ୍ଧି ହୋଇଛନ୍ତି । ଆଉ ଏହାକୁ ଯିଏ ଉଲ୍ଲଂଘନ କରେ, ତାହା ଗଣତନ୍ତ୍ର ପାଇଁ ଶୁଭ ସୂଚନା ନୁହେଁ । ଓଡ଼ିଶାରେ ବିଧି ବ୍ୟବସ୍ଥାକୁ ନ ମାନିବା ଭଳି ଘଟଣା ଦେଖିବାକୁ ମିଳୁଛି । ସତ କହିଲେ ବିଜୁ ଜନତା ଦଳକୁ କଷ୍ଟ ହେଉଛି । ସୁଶାସନ ଦେବା ପାଇଁ ସମ୍ବିଧାନ ମୁତାବକ ଏକ ଶାସନତନ୍ତ୍ର ଅଛି । ଏଥିରେ ଜନ ପ୍ରତିନିଧି ମାନଙ୍କ ଭୂମିକା ସ୍ପଷ୍ଟ । ଶାସନ ଯଦି ସତରେ ଲୋକାଭିମୁଖୀ ହୋଇଥାନ୍ତା, ତେବେ ଲୋକ ପ୍ରତିନିଧି ଏଥିରେ ବଳିଷ୍ଠ ଭୂମିକା ନେଇଥାନ୍ତେ । କିନ୍ତୁ ଶାସନ ଲୋକାଭିମୁଖୀ ବୋଲି ଯେଉଁ ପ୍ରଯୋଜିତ କାର୍ଯ୍ୟକ୍ରମ ଚାଲିଛି, ତାହା ଜନପ୍ରତିନିଧିଙ୍କୁ ଏକ ନିର୍ଦ୍ଦିଷ୍ଟ ଅମଲାଙ୍କ ପାଖରେ କ୍ରୀତଦାସ କରିସାରିଲାଣି ।

ଗଣତନ୍ତ୍ରରେ ଏହା ଏକ ଭୟଙ୍କର ପରମ୍ପରା ସୃଷ୍ଟି କରୁଛି, ଯାହା ନିର୍ବାଚିତ ବିଧାୟକ, ବିଭାଗୀୟ ମନ୍ତ୍ରୀ, ସଚିବ, ଉନ୍ନୟନ ସଚିବ, ମୁଖ୍ୟ ସଚିବ ଆଦି ସାମ୍ବିଧାନିକ ପଦ ପଦବୀକୁ ନ୍ୟୁନ କରିଚାଲିଛି । ରାଜ୍ୟରେ ଏମିତି ପରିସ୍ଥିତି ସୃଷ୍ଟି ହୋଇଛି ଯେ ସମ୍ପୂର୍ଣ୍ଣ ଶାସନ ବ୍ୟବସ୍ଥା ସ୍ଥାଣୁ ହୋଇଯାଇଛି ଆଉ କେବଳ ମାତ୍ର ଜଣେ ଅଧିକାରୀ କାର୍ଯ୍ୟରତ । ତାଙ୍କ ଇସାରାରେ ଶାସନ ବ୍ୟବସ୍ଥା ଯେପରି ଚାଲେ,ଏପରିକି ନିର୍ବାଚିତ ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ ଏହି ସଚିବଙ୍କ ଦ୍ୱାରା କ୍ଷମତାଚ୍ୟୁତ ହୋଇସାରିଛନ୍ତିି ।

Advertisment

ଏବେ ସରକାରୀ ଘୋଷଣା ବ୍ୟକ୍ତିଗତ ସହାୟକ ଘୋଷଣା କରୁଛନ୍ତି । ନିଜ ନିଜ ବିଭାଗର ଘୋଷଣା କରିବା ଏବଂ ଘୋଷଣା ହୋଇ ସାରିଥିବା କାର୍ଯ୍ୟର ସମୀକ୍ଷା କରିବା ପାଇଁ କଣ ମନ୍ତ୍ରିମଣ୍ଡଳର ସଦସ୍ୟ, ମୁଖ୍ୟ ଶାସନ ସଚିବ କିମ୍ବା ସେହି ବିଭାଗର ବ୍ୟକ୍ତିଗତ ସଚିବଙ୍କ ପାଖରେ ଯୋଗ୍ୟତା ନାହିଁ ?  ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକଙ୍କ କାର୍ଯ୍ୟକ୍ରମ ପାଇଁ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ମଂଚ ବାନ୍ଧିବାରେ ସହଯୋଗ କରୁଛନ୍ତି । ବ୍ୟକ୍ତିଗତ ସଚିବ ଏକା ମଂଚରେ ଛିଡ଼ା ହୋଇ ଭାଷଣ ଦେଉଛନ୍ତିି । ଏଥିରୁ ଜଣାପଡୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବ୍ୟବସ୍ଥାକୁ କେତେ ସମ୍ମାନ ଦେଉଛନ୍ତି?  ସମ୍ପୂର୍ଣ୍ଣ ରାଜ୍ୟରେ ଓ ସବୁ ବିଭାଗରେ, ଏମିତି ଏକ ଫର୍ମାଟ୍ ତିଆରି ହେଉଛି, ଯେଉଁଠି ସଫଳତା କେବଳ ବ୍ୟକ୍ତିଗତ ସଚିବଙ୍କର ଏବଂ ବିଫଳତା ମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କର । ରାଜ୍ୟରେ ପ୍ରବଳ ଗୁଳୁଗୁଳି ଓ ଭୀଷଣ ତାତି ସମୟରେ ଉତ୍କଟ ଶକ୍ତି ସମସ୍ୟା ଦେଖା ଦେଇଛି । ଏନେଇ ବ୍ୟକ୍ତିଗତ ସଚିବଙ୍କ କୌଣସି ପ୍ରତିକ୍ରିୟା ନାହିଁ କି ସମାଧାନ ନାହିଁ । ବ୍ୟକ୍ତିଗତ ସଚିବ ଏହି ଅକଥନୀୟ ବିଦ୍ୟୁତ ବିଭ୍ରାଟର ଦାୟିତ୍ୱ କାହିଁକି ନେଉନାହାନ୍ତି ।

ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ପ୍ରଶ୍ନର ସିଧା ସିଧା ଉତ୍ତର ନଦେଇ ବିଜେଡ଼ି ମୁଖପାତ୍ର ବୁଲେଇ ବଙ୍କେଇ ଉତ୍ତର ଦେବାରୁ ସ୍ପଷ୍ଟ ହେଉଛି ଯେ, ତାଙ୍କ ପାଖରେ କିଛି ଉତ୍ତର ହିଁ ନାହିଁ । ଜଣେ ନେତ୍ରୀ ଲୋକଙ୍କ ଭୋଟରେ ସାଂସଦ ହୋଇଛନ୍ତି । ପର୍ଯ୍ୟବେକ୍ଷକ ଦଳ ତରଫରୁ ନିଯୁକ୍ତ ହୋଇଥାଏ । ବିଜେଡ଼ିର ନେତ୍ରୀ ଯିଏ ନିର୍ବାଚନ ଲଢି ନାହାନ୍ତିି, ତାଙ୍କୁ ତାଙ୍କ ଦଳ ପର୍ଯ୍ୟବେକ୍ଷକ କରିଛି । ତେଣୁ ପର୍ଯ୍ୟବେକ୍ଷକଙ୍କୁ ସାଂସଦ ଡରିବେ, ଏଭଳି କହିବା ଏକ ହାସ୍ୟାସ୍ପଦ କଥା ବୋଲି ବିଜେପି ମୁଖପାତ୍ର ଶ୍ରୀ ପଣ୍ଡା କହିଛନ୍ତି ।

BjD Bjp State Bjp