ରାଜ୍ୟରେ ୨୪ବର୍ଷର ବିଜେଡି ଶାସନକାଳର ‘ପାପ’କୁ ଲୁଚାଇବାକୁ ଉଦ୍ୟମ ଚାଲିଛି କି? ବିଜେଡିର ଏକଛତ୍ରବାଦୀ ଶାସନରେ ଯେଉଁସବୁ ପୁଳାପୁଳା ଅନିୟମିତତା, କେଳେଙ୍କାରୀ, ଦୁର୍ନୀତି ଓ ହତ୍ୟା ଆଦି ହୋଇଛି ସେସବୁକୁ ଚାପି ଦେବାକୁ କସରତ ହେଉଛି କି? ‘ବିଧାନସଭାରେ ପ୍ରଶ୍ନ’ର ଉତ୍ତର ରଖିବା ହେଉ ଅବା ସୂଚନା ଅଧିକାର ଆଇନରେ ‘ସୂଚନା’ ଦେବା ହେଉ ରାଜ୍ୟର କ୍ଷମତାସୀନ ବିଜେପି ସରକାର ଏସବୁରେ ଟାଳଟୂଳ ନୀତି ଅବଲମ୍ବନ କରିବାରେ ଲାଗିଛନ୍ତି । ଆଉ ମାତ୍ର ସପ୍ତାହେ ପରେ ରାଜ୍ୟରେ ବିଜେପି ସରକାରକୁ ୬ମାସ ପୁରିବ । କିନ୍ତୁ ବିଜେଡି ସରକାରର ଯେଉଁ ସବୁ ଅନିୟମିତତା ଓ କେଳେଙ୍କାରୀକୁ ନେଇ ବିଜେପି ନିଜେ ରାଜରାସ୍ତାରେ ତୁମ୍ବିତୋଫାନ କରୁଥିଲା ଏବେ ଦଳ କ୍ଷମତାକୁ ଆସିବା ପରେ ସେହିସବୁ ପ୍ରସଙ୍ଗ ଉପରେ ଅସମ୍ଭବ ନୀରବତା ଆପଣାଇଛି । ମନ୍ତ୍ରୀ ନବ ଦାସ ହତ୍ୟା , ପାରାଦୀପ ସମୁଦ୍ରରେ ବ୍ଲାକରୋଜ୍ ଜାହାଜ ବୁଡ଼ି, ଭିକେ ପାଣ୍ଡିଆନଙ୍କ ସୁରକ୍ଷା ଓ ମାରାଥନ୍ ବିମାନବୁଲା, ବିନା ଗାଇଡଲାଇନରେ କୋଟିକୋଟି ଟଙ୍କା ପାଣ୍ଠି ମଞ୍ଜୁର ଆଦି ସମେତ ବହୁ ଦୁର୍ନୀତି,ଅନିୟମିତତା ଓ ହତ୍ୟା ମାମଲାରେ ବିଜେପି ସରକାର ନିରବ ରହିବା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ରାଜ୍ୟରେ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଗଠନକୁ ୬ ମାସ ପୁରିବାକୁ ବସିଲାଣି ସତ କିନ୍ତୁ ବିଜେଡି ସରକାରର ୨୪ବର୍ଷର ଶାସନ କିମ୍ବା ବିଜେଡିର ବିବାଦୀୟ ବଡ଼ପଣ୍ଡାମାନଙ୍କ ବିରୁଦ୍ଧରେ କୌଣସି ଗୋଟିଏ ବି ଅଭିଯୋଗ ଉପରେ ଏପର୍ଯ୍ୟନ୍ତ ସାମାନ୍ୟତମ କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବପର ହୋଇପାରିନାହିଁ । ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ସରକାର ବିରୁଦ୍ଧରେ ଦୁର୍ନୀତି,ଅନିୟମିତତା ଓ କଳାଶାସନର ପୁଳାପୁଳା ଅଭିଯୋଗ ଆଣୁଥିବା ବିଜେପି ଏବେ ରାଜ୍ୟରେ କ୍ଷମତାକୁ ଆସିବାପରେ ସତେଯେମିତି ସେସବୁକୁ ଆଖିବୁଜି ଦେଇଛି ।
ଆଶ୍ଚର୍ଯ୍ୟର କଥା, ମନ୍ତ୍ରୀ ନବ ଦାସ ହତ୍ୟା ଓ ବ୍ଲାକରୋଜ୍ ଜାହାଜ ବୁଡ଼ି ଭଳି ଦୁଇଟି ସଙ୍ଗୀନ ମାମଲାରେ ସିବିଆଇ ତଦନ୍ତ ଦାବି କରୁଥିବା ବିଜେପି ଏବେ ନିରବଦ୍ରଷ୍ଟା ସାଜିଛି । ଯଦିଓ ଏହି ଦୁଇଟି ଘଟଣା ପଛରେ ବିଜେଡିର ବଡ଼ପଣ୍ଡାଙ୍କ ଷଡ଼ଯନ୍ତ୍ର ଓ ସମ୍ପୃକ୍ତି ଥିବା ଖୋଦ୍ ବିଜେପି ଅଭିଯୋଗ କରିଥିଲା । କିନ୍ତୁ ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ବିଜେଡିର ସେହିସବୁ ‘କଳାକାରନାମା’ ଉପରେ ପରଦା ପକାଇବାକୁ ପ୍ରୟାସ କରୁଥିବା ଚର୍ଚ୍ଚା ହେଉଛି । ଏପରିକି ବିଧାନସଭାରେ ମଧ୍ୟ ଏହି ବହୁଚର୍ଚ୍ଚିତ ଘଟଣାର ଉତ୍ତର ଦେବାକୁ ବିଜେପି ସରକାର ଆଗ୍ରହ ଦେଖାଉନାହାନ୍ତି ।
ବିଧାନସଭାର ଚଳିତ ଶୀତ ଅଧିବେଶନରେ ଝାରସୁଗୁଡ଼ାର ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ଡିସେମ୍ବର ୨ତାରିଖରେ ଅଣତାରକା ପ୍ରଶ୍ନ-୧୧୩୫ରେ ମନ୍ତ୍ରୀ ନବ ଦାସ ହତ୍ୟାର ତଦନ୍ତର ସ୍ଥିତି ଓ ଅଦ୍ୟାବଧିର କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ପ୍ରଶ୍ନ କରିଥିଲେ । ରାଜ୍ୟ ସରକାର ଏହାର ଉତ୍ତର ଦେବା ପରିବର୍ତ୍ତେ ‘ତଥ୍ୟ ସଂଗ୍ରହ କରାଯାଉଛି’ କହି ଏଡ଼ାଇଯିବାକୁ ପ୍ରୟାସ କରିଛନ୍ତି ।
ସେହିପରି କଂଟାମାଳର ବିଜେପି ବିଧାୟକ କହ୍ନାଇ ଚରଣ ଡାଙ୍ଗ ଡିସେମ୍ବର ୫ତାରିଖ(ଆଜି) ଅଣତାରକା ପ୍ରଶ୍ନ-୧୮୭୫ରେ ୨୦୦୯ ବ୍ଲାକରୋଜ୍ ବୁଡ଼ି ଘଟଣାର ସିବିଆଇ ତଦନ୍ତ ଦାବିକୁ ତତକାଳୀନ ସରକାର ସହଯୋଗ ନକରିବାରୁ ତଦନ୍ତ ଆଗେଇ ପାରିନଥିବା ସତ କି ବୋଲି ଜାଣିବାକୁ ଚାହିଁଥିଲେ । ଯାହାକୁ ମଧ୍ୟ ସରକାର ଆଜି ଚତୁରତାର ସହ ‘ତଥ୍ୟ ସଂଗ୍ରହ କରାଯାଉଛି’ କହି ଏଡ଼ାଇ ଯାଇଛନ୍ତି ।
ଏହି ହତ୍ୟା ଓ ଦୁର୍ନୀତି ଘଟଣାରେ ବିଜେଡିର ଅଘୋଷିତ ସର୍ବେସର୍ବାଙ୍କ ଖାସ୍ ଅନୁଗତଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଆସୁଛି । ବିଜେପି ମଧ୍ୟ ବିରୋଧୀ ଦଳରେ ଥିବାବେଳେ ଅନୁରୂପ ଅଭିଯୋଗ ଆଣିଥିଲା । କିନ୍ତୁ ଏବେ ନିଜେ ସରକାରକୁ ଆସିବା ପରେ ଏହି ଦୁଇଟି ସମ୍ବେଦନଶୀଳ ଘଟଣାର ସତ୍ୟ ପଦାକୁ ଆଣିବା ପରିବର୍ତ୍ତେ ତଥ୍ୟକୁ ଲୁଚାଇବାକୁ ଉଦ୍ୟମ ହେଉଥିବା ଚର୍ଚ୍ଚା ହେଉଛି ।
ସେହିପରି, ସୂଚନା ଅଧିକାର ଆଇନ ବଳରେ ବିଜେଡିର ଅଘୋଷିତ ସର୍ବେସର୍ବା ଭିକେ ପାଣ୍ଡିଆନଙ୍କୁ ବିଗତ ଦିନରେ ମିଳିଥିବା ସୁରକ୍ଷା ଓ ତାଙ୍କର ବିମାନବୁଲା ସଂକ୍ରାନ୍ତରେ ତଥ୍ୟ ମଗାଯାଇଥିଲା । ଯାହାକୁ ବିଜେପି ସରକାର ସାର୍ବଜନୀନ କରାଯାଇ ପାରିବ ନାହିଁ ବୋଲି କହି ଏଡ଼ାଇଗଲେ ।
ଠିକ୍ ସେହିପରି ସରକାରୀ କ୍ୱାର୍ଟର୍ସକୁ ବେଆଇନ ଭାବେ ରାଜପ୍ରସାଦ ଭଳି ଗଢ଼ି ପରେ ଭାଙ୍ଗିବା ଘଟଣାକୁ ନେଇ ବ୍ୟାପକ ହୋ-ହାଲ୍ଲା ହେବାପରେ ପୂର୍ବତନ ବିଧାୟକ ପ୍ରଣବପ୍ରକାଶ ଦାସ(ବବି)ଙ୍କ ବିରୁଦ୍ଧରେ ବିଜେପି ସରକାର ଜୁନ୍ ୨୬ତାରିଖରେ ତଦନ୍ତ ପାଇଁ କମିଟି ଗଢ଼ିଥିଲେ । ୨୪ଘଣ୍ଟା ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ ମଧ୍ୟ ଅଫିସ୍ ଅର୍ଡର ଜାରି ହୋଇଥିଲା । କିନ୍ତୁ ଏଭଳି କିଛି ତଥ୍ୟ ନାହିଁ ବୋଲି ସୂଚନାକର୍ମୀଙ୍କୁ ନଭେମ୍ବର ୧୩ତାରିଖରେ କହି ସରକାର ଏହାକୁ ଏଡ଼ାଇଗଲେ ।
କେବଳ ସେତିକି ନୁହେଁ, ମମିତା ମେହେର ହତ୍ୟାଠୁ ଆରମ୍ଭ କରି ମାହାଙ୍ଗା ଡବଲ ମର୍ଡର, ସରକାରୀ ପାଣ୍ଠି ଓ କ୍ଷମତାର ଦୁରୂପଯୋଗ, ଖଣି-ପାଣି-ଚିଟଫଣ୍ଡ-ବିଜୁଳି ଆଦି ଦୁର୍ନୀତି ସମେତ କୋଭିଡ୍ ପାଣ୍ଠି ହେରଫେରକୁ ନେଇ ମଧ୍ୟ ବିଜେପି ନିରବ ରହିଛି । ଏପରିକି ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ୨୦୨୪ ଏପ୍ରିଲ ୨୪ତାରିଖରେ ବିଜେଡି ସରକାରର ୨୫ବର୍ଷ ଶାସନର ପାପପେଡ଼ିର ହିସାବ ଦେଇ ‘କେତେଦିନ ଆଉ ସହିବା’ କହି ୬୦ପୃଷ୍ଠାର ଚାର୍ଜସିଟ୍ ଆଣି ବିଜେପି ନେତାମାନେ ରାଜ୍ୟରେ ପରିବର୍ତ୍ତନ ପାଇଁ ଆହ୍ୱାନ ଦେଇଥିଲେ । ଏବେ ‘ରାଜ୍ୟବାସୀ ସେହି ପରିବର୍ତ୍ତନ ଆଣିବା’ପରେ ବିଜେପି ସରକାର ନିରବଦ୍ରଷ୍ଟା ସାଜିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ବିଗତ ୬ମାସ ମଧ୍ୟରେ ୨୫ବର୍ଷର ବିଜେଡି ସରକାରର କୌଣସି ଗୋଟିଏ ବି ଦୁର୍ନୀତି ଅବା ଅନିୟମିତତାକୁ ମୋହନ ମାଝୀଙ୍କ ସରକାର ପଦାକୁ ଆଣିବାରେ ସକ୍ଷମ ହୋଇନାହିଁ । ଓଲଟା ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଜଳସମ୍ପଦ , ବାଣିଜ୍ୟ ଓ ପରିବହନ ଭଳି ସବୁ ଲାଇନ୍ ଡିପାର୍ଟମେଂଟରେ ପାଣ୍ଡିଆନଙ୍କ ଫେଭରାଇଟ୍ ଅଫିସରମାନଙ୍କୁ ଯଥାବତ୍ କାର୍ଯ୍ୟ କରିବାର ସୁଯୋଗ ଦେଇ ବିଜେଡି ସରକାରର ଅନିୟମିତତାକୁ ‘ନିୟମିତ’ ପାଇଁ ସୁଯୋଗ ସୃଷ୍ଟି କରାଯାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।