ବିଜେଡିର କଲାକର୍ମ ପାଇଁ ରାଜ୍ୟରେ ଏବେ ଦରଦାମ ବୃଦ୍ଧି ପାଇଛି । ବିଜେଡି ଉତ୍ତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଦରବୃଦ୍ଧି ଦେଇଯାଇଛି । ଦରଦାମ ବୃଦ୍ଧି ପାଇଁ ବିଜେଡି ନିଜେ ଦାୟୀ ବୋଲି ଭୁଲିଯାଇଛି । ଏବେ ନିଜର ଅସ୍ତିତ୍ୱ ଲୋପ ପାଇବା ଭୟରେ ବିଜେଡି ଏଭଳି ପ୍ରଳାପ କରୁଛି । ଆଜି ଏଭଳି କିଛି କଡ଼ାଭାଷାରେ ବିଜେଡିକୁ ଟାର୍ଗେଟ୍ କରିଛି ବିଜେପି ।
ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି ଯେ, ଦଳକୁ ବଂଚାଇବା ପାଇଁ ଓ ଚର୍ଚ୍ଚାରେ ରହିବା ନିମନ୍ତେ ବିଜେଡି ଏବେ ରାସ୍ତାକୁ ଓହ୍ଲାଇଛି । ୬ମାସ ମଧ୍ୟରେ ମୋହନ ମାଝୀଙ୍କ ସରକାର ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ ହୋଇପାରିଛନ୍ତି । ଓଡ଼ିଶାର ଏହି ବିକାଶକୁ ଦେଖି ବିଜେଡି ଏବେ ଅସହିଷ୍ଣୁ ହୋଇପଡ଼ିଛି । ବିଗତ ୨୪ ବର୍ଷ ଧରି ବିଜେଡି ସରକାର ଯାହା କରି ପାରି ନଥିଲା ମୋହନ ସରକାର ମାତ୍ର ଅଳ୍ପ ଦିନ ମଧ୍ୟରେ ତାହା କରି ଦେଖାଇପାରିଛନ୍ତ । ମୋହନ ସରକାରଙ୍କ ସଫଳତା ଦେଖି ବିଜେଡିର ଚିନ୍ତା ବଢ଼ିଯାଇଛି । ଲୋକଙ୍କ ପାଇଁ ବିଜେପି ସରକାର ଏଭଳି ପ୍ରଗତି କରି ଚାଲିଲେ ବିଜେଡିର ସତା ଲୋପ ପାଇଯିବ ଭୟରେ ଏବେ ସେମାନେ ପ୍ରଳାପ କରୁଛନ୍ତି । ଗଣତାନ୍ତ୍ରିକ ପ୍ରକ୍ରିୟା ଆନ୍ଦୋଳନ କରିବାର ଅଧିକାର ସମସ୍ତଙ୍କ ରହିଛି । ମାତ୍ର ପ୍ରବାସୀ ଭାରତୀୟଙ୍କୁ ସ୍ୱାଗତ କରିବା ପାଇଁ ସମଗ୍ର ଓଡ଼ିଶା ଅପେକ୍ଷା କରିଥିବାବେଳେ ସାରା ବିଶ୍ୱରେ ରାଜ୍ୟର ଛବି ମଳିନ କରିବାକୁ ବିଜେଡି ଏଭଳି ହୀନ ପ୍ରୟାସ କରୁଛି । ବିଜେଡିର ଏଭଳି ଆଭିମୁଖ୍ୟକୁ ବିଜେପି ନିନ୍ଦା କରୁଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବିଜେଡି ସରକାର ସମୟରେ ଆଳୁ ଓ ପିଆଜ ମିଶନ ଫେଲ ହୋଇଥିବାବେଳେ ଅଣ୍ଡା ଓ ମାଛ ଆଦି ରାଜ୍ୟରେ ଉତ୍ପାଦନ କରି ନପାରି ଆନ୍ଧ୍ରରୁ ଅଣାଯାଉଥିଲା । ଏପରିକି ପରିବା ମଧ୍ୟ ରଖି ନପାରି ବାହାରୁ ଆମଦାନୀ କରାଯାଉଥିଲା । ସବୁଠାରୁ ଲଜ୍ଜାର କଥା ହେଉଛି, ବିଜେଡି ଉତରାଧିକାରୀ ସୂତ୍ରରେ ଓଡ଼ିଶାକୁ ଯାହା ଦେଇଛି ଏବେ ସେଥିପାଇଁ ନିଜେ ଆନ୍ଦୋଳନ କରୁଛି । ଦୀର୍ଘବର୍ଷ ଧରି ଶାସନ କରିବା ପରେ ଓଡ଼ିଶାରେ ଦରଦାମ ବୃଦ୍ଧି ହେଲା କାହିଁକି ବୋଲି ବିଜେଡି ନିଜେ ନିଜକୁ ପ୍ରଶ୍ନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିରଂଚି ତ୍ରିପାଠୀ, ସୁଜିତ ଦାସ, ଉର୍ମିଳା ମହାପାତ୍ର, ତେଜେଶ୍ୱର ପରିଡ଼ା ଓ ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।