Advertisment

ପାଣ୍ଡିଆନ ଓ କାମିଆ ଜାନିଙ୍କ ଗିରଫ ଦାବି କଲା ବିଜେପି, ଶ୍ରୀମନ୍ଦିରର ପବିତ୍ରତା ନଷ୍ଟ କରିଛି ଶାସକ ଦଳ

କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ପାଣ୍ଡିଆନ କେବଳ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି ।

ଅଦ୍ୟତନ ହୋଇଛି
Pandian And Kamia

Pandian And Kamia

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଗୋମାଂସ ଭକ୍ଷଣକାରୀ କାମିଆ ଜାନିଙ୍କୁ ପ୍ରବେଶ କରାଇବା ଅଭିଯୋଗ ଘଟଣାରେ ଶାସକ ବିଜେଡିକୁ ଦାୟୀ କରିଛି ବିଜେପି । ସୋସିଆଲ ମିଡିଆ ଇନଫ୍ଲୁଏନ୍ସର କାମିଆ ଜାନିଙ୍କୁ ଶ୍ରୀମନ୍ଦିରରେ ପ୍ରବେଶ କରାଇବାରେ ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ମୁଖ୍ୟ ଭୂମିକା ରହିଛି । ତେଣୁ ଉଭୟ ପାଣ୍ଡିଆନ ଓ କାମିଆ ଜାନିଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ଆଜି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଯତୀନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ବିଜେଡିରେ ଯୋଗଦେଇଥିବା ଭିକେ ପାଣ୍ଡିଆନ ଗତ କିଛିଦିନ ତଳେ ସୋସିଆଲ ମିଡିଆ ବ୍ଲଗର କାମିଆ ଜାନି ନାମ୍ନୀ ମହିଳାଙ୍କୁ ନେଇ ଶ୍ରୀଜଗନ୍ନାଥ ମନ୍ଦିର ପରିସର ଭିତରେ ଏକ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମରେ ଛାଡ଼ିଛନ୍ତି । ଏହି ଭିଡିଓଟି ସାରା ଓଡ଼ିଶା ନୁହେଁ ବରଂ ସମଗ୍ର ବିଶ୍ୱର କୋଟି କୋଟି ଜଗନ୍ନାଥପ୍ରେମୀ ଓ ସନାତନୀଙ୍କୁ ଧାର୍ମିକ ଆଘାତ ଲାଗିଛି ।

ପୂର୍ବରୁ କାମିଆ ଜାନି ଗୋ-ମାଂସ ଖାଇଥିବାର ଭିଡିଓ ଅଛି ତଥା ସେ ନିଜେ ଏହାକୁ ସ୍ୱୀକାର କରିଛନ୍ତି । ଶ୍ରୀମନ୍ଦିରର ନିୟମ ଅନୁସାରେ ଜଣେ ଗୋ-ମାଂସ ଭକ୍ଷଣକାରୀ ନିଜେ ଶୁଦ୍ଧି ଓ ପ୍ରାୟଶ୍ଚିତ ନହେବା ପର୍ଯ୍ୟନ୍ତ ମନ୍ଦିର ପ୍ରବେଶ କରିବାର କୌଣସି ଅଧିକାର ନାହିଁ । ତେବେ କାମିଆ ଜାନିଙ୍କୁ ମନ୍ଦିର ପ୍ରବେଶ କରାଇ ପାଣ୍ଡିଆନ କେବଳ ଓଡିଶାର ଜନସାଧାରଣ ନୁହେଁ ବରଂ ସମଗ୍ର ବିଶ୍ୱର ହିନ୍ଦୁମାନଙ୍କର ଧାର୍ମିକ ସମ୍ବେଦନ ଉପରେ କୁଠାରାଘାତ କରିଛନ୍ତି ।

Advertisment

ପାଣ୍ଡିଆନ ଓଡ଼ିଶାର ସମସ୍ତ ସନାତନଧର୍ମୀ ଓ ଜଗନ୍ନାଥପ୍ରେମୀଙ୍କ ଧାର୍ମିକ ଭାବନା ନେଇ ଖେଳ ଖେଳିଛନ୍ତି । ଏଥିପାଇଁ ଆଇପିସି ଧାରା- ୨୯୫(ଏ)ରେ ତାଙ୍କୁ ଦଣ୍ଡିତ କରିବାକୁ ବିଜେପି ଦାବି କରିଛି । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୨ର ଧାରା- ୩୦(ଏ)ରେ ମଧ୍ୟ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ, ମନ୍ଦିର ଭିତରକୁ କୌଣସି ନିଷେଧ ଦ୍ରବ୍ୟ ଯାହା ମନ୍ଦିର ପ୍ରଶାସନ ପକ୍ଷରୁ ନେବାକୁ ମନା କରାଯାଇଛି ତାକୁ ନେଇ ଭିଡିଓ କରାଇବା ଏକ ଧର୍ତ୍ତବ୍ୟ ଅପରାଧ । ଉଭୟ ଧାରା ଆଧାରରେ ଭିକେ ପାଣ୍ଡିଆନ ଓ କାମିଆ ଜାନି ଅଭିଯୁକ୍ତ ଥିବାରୁ ସେମାନଙ୍କ ବିରୋଧରେ ମନ୍ଦିର ପ୍ରଶାସନ ତୁରନ୍ତ ମାମଲା ରୁଜୁ କରିବା ସହ ଗିରଫ ପାଇଁ ବିଜେପି ଦାବି କରିଛି ।

ଭିକେ ପାଣ୍ଡିଆନଙ୍କ ସନାତନ ବିରୋଧୀ କାର୍ଯ୍ୟକୁ ଓଡ଼ିଶାର ଲୋକେ ବରଦାସ୍ତ କରିବେ ନାହିଁ । ପୁରୀକୁ ମଧ୍ୟ ଗୋବର୍ଦ୍ଧନକ୍ଷେତ୍ର କୁହାଯାଏ । ପୁରୀରେ ଗୋ ମାତାଙ୍କୁ ସ୍ୱଂରକ୍ଷଣ ଏବଂ ସମ୍ବର୍ଦ୍ଧନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି କିନ୍ତୁ କାମିଆ ଜାନି ମନ୍ଦିର ଭିତରେ ମହାପ୍ରସାଦକୁ ଖାଇ ସେ ବିଷୟରେ ଭିଡିଓ କରି ସନାତନ ଧର୍ମ ଓ ମନ୍ଦିରକୁ ଅପମାନ କରିଛନ୍ତି । ଶ୍ରୀମନ୍ଦିର ଶ୍ରୀକ୍ଷେତ୍ର ତଥା ଦର୍ଶନର କ୍ଷେତ୍ର ତାହା ଭୋଗ୍ୟ କ୍ଷେତ୍ର ନୁହେଁ । ଯେଉଁମାନେ ଏହାକୁ ଭୋଗ୍ୟକ୍ଷେତ୍ର ବୋଲି ମନେ କରୁଛନ୍ତି ସେମାନେ ଅପରାଧ କରୁଛନ୍ତି । କାମିଆ ଜାନି ମହାପ୍ରସାଦର ପବିତ୍ରତାକୁ ନଷ୍ଟ କରିବା ସହ ମନ୍ଦିରର ନୀତି ନିୟମକୁ ମଧ୍ୟ ନଷ୍ଟ କରିଛନ୍ତି । ପାଣ୍ଡିଆନ ଓ କାମିଆ ଜାନି ଏକାଠି ମହାପ୍ରସାଦ ସେବନ କରୁଥିବା ଫଟୋଚିତ୍ର ଭାଇରାଲ ହେଉଛି । ତେଣୁ ଉଭୟ ପାଣ୍ଡିଆନ ଓ କାମିଆଙ୍କୁ ଗିରଫ କରି ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ ଦଣ୍ଡ ପାଇଁ ବିଜେପି ଦାବି କରୁଛି ।

ଏହାସହିତ ପୁରୀ ଶ୍ରୀଶଙ୍କରାଚାର୍ଯ୍ୟଙ୍କ ସହ ମନ୍ଦିର ପ୍ରଶାସନ ଆଲୋଚନା କରି ଶ୍ରୀମନ୍ଦିରର ଶୁଦ୍ଧିକରଣ ଏବଂ ମାଜଣା କରନ୍ତୁ । ମନ୍ଦିର ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ ନକଲେ ବିଜେପି ଆଗାମୀ ଦିନରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ବିଜେପି ଡାହା ମିଛ କହୁଛି ଓ କୁତ୍ସାରଟନା କରୁଛି ବୋଲି କହିଛି ବିଜେଡି। ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ଓ ଇପ୍‌ସିତା ସାହୁ କହିଛନ୍ତି, ବିଜେପି ମିଛ ଅଭିଯୋଗ କରୁଛି। ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ। ଶ୍ରୀମନ୍ଦିର ଭିତରକୁ ଆଦୌ କ୍ୟାମେରା ଯାଇନାହିଁ। ଶ୍ରୀମନ୍ଦିର ଭିତରେ ମହାପ୍ରସାଦ ସେବନ କରାଯାଇନାହିଁ। ଶ୍ରୀମନ୍ଦିର ବାହାରେ ରାଧାବଲ୍ଲଭ ମଠରେ ମହାପ୍ରସାଦ ସେବନ ହୋଇଛି।

BjD Bjp Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe