Advertisment

ବିଜେପି ଦାବି କଲା କାର୍ଯ୍ୟାନୁଷ୍ଠାନ: ମୁଖ୍ୟ ସଚିବ ନିରବତା ଭାଙ୍ଗନ୍ତୁ, ଦେବୀ-ପ୍ରସନ୍ନ ନିଜ ବିବେକକୁ ପଚାରନ୍ତୁ

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବା ଭଳି ମନେ ହେଉଛି ।

author-image
Ordigital Desk
BJP Spokesperson Satyabrata Panda's press conference at the state office

BJP Spokesperson Satyabrata Panda's press conference at the state office

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ବାରମ୍ବାର ନିୟମ ଉଲ୍ଲଘଂନ କରୁଥିବାର ଅଭିଯୋଗ ଆସୁଛି ଓ କେନ୍ଦ୍ର ସରକାର ବାରମ୍ବାର କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ସଚିବଙ୍କୁ କହୁଛନ୍ତି । କିନ୍ତୁ ରାଜ୍ୟର ମୁଖ୍ୟ ସଚିବ ରହସ୍ୟଜନକ ନିରବତା ଅବଲମ୍ବନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ପାଇଁ ମଂଚ ବାନ୍ଧିବା ଓ ଚେୟାର ପକାଇବାକୁ ଯଦି ବିଜେଡିର ଦୁଇ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ରଙ୍କୁ ଯଦି ଖୁସି ଲାଗୁଛି, ତେବେ ଆମର କିଛି କହିବାର ନାହିଁ ଓ ସେମାନେ ତାଙ୍କ ବିବେକକୁ ପଚାରିକି କାର୍ଯ୍ୟ କରନ୍ତୁ ବୋଲି ବିଜେପି କହିଛି ।

Advertisment

ଆଜି ରାଜ୍ୟ କାର୍ଯ୍ୟାଳୟରେ ବିଜେପି ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ କିଛି ମାସ ହେବ ଗଣତନ୍ତ୍ର ଭୁଶୁଡ଼ି ପଡ଼ିଥିବା ଭଳି ମନେ ହେଉଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାଜ୍ୟର ବିଭିନ୍ନ ଅଂଚଳ ବୁଲି ଯେଉଁଭଳି ଭାବରେ ବିକାଶର ମିଛ କାହାଣୀର ଡିଣ୍ଡିମ ପିଟୁଛନ୍ତିି, ତାହା ଭାରତବର୍ଷରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା । ସେହିପରି କୋଟି କୋଟି ଟଙ୍କା ଜବତ ହୋଇଥିବା ଲାଂଚୁଆ ଅଫିସର ଓ ହତ୍ୟା ଅଭିଯୁକ୍ତଙ୍କ ସହିତ ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେବା ରାଜ୍ୟରେ ୫-ଟିର ସ୍ୱଚ୍ଛତା ପ୍ରତି ସନ୍ଦେହ ସୃଷ୍ଟି କରିଛି ।

ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଯଦି ବିଭିନ୍ନ ଅଂଚଳକୁ ଯାଇ ଜିଲ୍ଲାର ବିକାଶ ଓ ସମସ୍ୟା ବୁଝିବେ ତା'ହେଲେ ମନ୍ତ୍ରୀ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ସଦସ୍ୟ, ସରପଂଚମାନଙ୍କ ଭୂମିକା କଣ? ବ୍ୟକ୍ତିଗତ ସଚିବଙ୍କ ପାଇଁ କଣ ଗସ୍ତର ପୂର୍ବ ପ୍ରସ୍ତୁତି କରାଇବା ? ଚେୟାର ପକାଇବା ସହ ମଂଚ ବାନ୍ଧିବା ? ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହାର ଉତ୍ତର ରଖିବେ କି ? ବିଜେଡିର ମନ୍ତ୍ରୀ, ସାଂସଦ, ବିଧାୟକ କଣ ଅଣଦେଖା ଓ ଅଦରକାରୀ ହୋଇପଡିଛନ୍ତି କି? ଯେଉଁଥିପାଇଁ ବ୍ୟକ୍ତିଗତ ସଚିବ ସ୍ୱତନ୍ତ୍ର ପ୍ଲେନ ଓ ହେଲିକପ୍ଟରରେ ବିଭିନ୍ନ ଜିଲ୍ଲାକୁ ଯାଇ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସହ ସଭା ଓ ସମିତି ନାଁରେ କୋଟି କୋଟି ଟଙ୍କା କରୁଛନ୍ତି । ଏସବୁ ପିସି ଟଙ୍କା ବୋଲି ଚର୍ଚ୍ଚା ହେଉଛି ଓ ଏହାକୁ ଏକ ନାଟକୀୟ ଢଙ୍ଗରେ ଲୋକ ସମସ୍ୟାକୁ ବୁଝିବାର ବାହାନା କରି ସେ ଆତ୍ମପ୍ରଚାର କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତିି ।

Advertisment

ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟ ସଚିବଙ୍କୁ କେନ୍ଦ୍ର ସରକାର ଚିଠି ଦେଇଛନ୍ତି । ଅନୁରୂପ ଭାବେ ବ୍ୟକ୍ତିଗତ ସଚିବଙ୍କ କାର୍ଯ୍ୟକଳାପ ବାବଦରେ ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଦୁଇଟି ଅଭିଯୋଗ ଉପରେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମୁଖ୍ୟ ସଚିବଙ୍କୁ ଚିିଠି ଲେଖିଥିଲେ । ଏ ସବୁ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମୁଖ୍ୟ ସଚିବଙ୍କ ପାଖରୁ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ପାଖକୁ ଯାଇଛି ଓ ସେ ଏ ପର୍ଯ୍ୟନ୍ତ ସେହି ଚିଠିଗୁଡ଼ିକୁ କେବଳ ନିଜ ପାଖରେ ରଖି ଆତ୍ମସନ୍ତୋଷ ପ୍ରକାଶ କରୁଛନ୍ତି । ଏସବୁ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟ ସଚିବ ରହସ୍ୟଜନକ ନୀରବତା ଭାଙ୍ଗି ନିଜର ପଦ ମର୍ଯ୍ୟାଦା ରକ୍ଷା କରନ୍ତୁ ବୋଲି ବିଜେପି କହିଛି ।

ସେହିପରି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ଦେବୀ ମିଶ୍ରଙ୍କୁ ମଧ୍ୟ ବିଜେପି କଡ଼ା ସମାଲୋଚନା କରିଛି । ପ୍ରସନ୍ନ ଆଚାର୍ଯ୍ୟଙ୍କ ପିତା ସ୍ୱର୍ଗତ କୃତାର୍ଥ ଆଚାର୍ଯ୍ୟ, ଯେ ଜଣେ ଗାନ୍ଧୀବାଦୀ ବ୍ୟକ୍ତି ଓ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ । ସାମାଜିକ ଜୀବନରେ ତାଙ୍କର ବହୁତ ଭଲ ଅବଦାନ ଥିଲା । ଆଉ ଦେବୀ ମିଶ୍ର ଓଡ଼ିଶା ରାଜନୀତିରେ ଦୀର୍ଘବର୍ଷ ଧରି ବିଧାୟକ ଓ ମନ୍ତ୍ରୀ ଭାବେ ତାଙ୍କର ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ସପକ୍ଷରେ ଏହି ଦୁଇ ନେତା ଯେଉଁ ଭଳି ଭାବେ ବକ୍ତବ୍ୟ ରଖିଛନ୍ତିି, ଏହା କେବଳ ନିଜକୁ ରାଜନୀତିରେ ବଂଚାଇ ରଖିବା ପାଇଁ ବାଧ୍ୟ ହେଉଥିଲା ଭଳି ମନେ ହେଉଛି । ଯଦି ବ୍ୟକ୍ତିଗତ ସହାୟକ ପାଇଁ ଯଦି ମଂଚ ବାନ୍ଧିବା ଓ ଚେୟାର ପକାଇବାରେ ସେମାନଙ୍କୁ ଖୁସି ଲାଗୁଛି । ତା’ହେଲେ ସେମାନେ ତାଙ୍କର ବିବେକକୁ ପଚାରନ୍ତୁ ବୋଲି ଶ୍ରୀ ପଣ୍ଡା କଟାକ୍ଷ କରିଛନ୍ତି ।

ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଉପସ୍ଥିତ ଥିଲେ ।

Odisha Bjp Bjd Politics