/odisha-reporter/media/post_attachments/uploadimage/library/16_9/16_9_0/TDP_1717673886.jpg)
TDP
ଏନଡିଏ ମେଣ୍ଟରେ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ଓ ନୀତୀଶ କୁମାରଙ୍କ ଜେଡିୟୁର ଗୁରୁତ୍ୱ ବଢ଼ି ଯାଇଛି। ବିଜେପିକୁ ଏକାକୀ ସରକାର ଗଠନ କରିବାକୁ ମ୍ୟାଜିକ ନମ୍ବର ମିଳି ନଥିବାରୁ ଏହି ଦୁଲ ଦଳର ଆବଶ୍ୟକତା ରହିଛି।
ଏହାକୁ ଦୃଷ୍ଟିରେ ରଖି ଉଭୟ ଦଳ କେନ୍ଦ୍ର କ୍ୟାବିନେଟର ବଡ଼ବଡ଼ ମନ୍ତ୍ରଣାଳୟ ନେବାକୁ ଦାବି କରିଛନ୍ତି। କିନ୍ତୁ ବିଜେପି ଅତି ସହଜରେ ସେମାନଙ୍କ କଥାକୁ ଗ୍ରହଣ କରିବ ନାହିଁ। ପ୍ରତିରକ୍ଷା, ଅର୍ଥ, ସ୍ୱରାଷ୍ଟ୍ର ଓ ବୈଦେଶିକ ମନ୍ତ୍ରାଣଳୟ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ଦଳ ସହଯୋଗୀଙ୍କୁ ଦେବା ମୁଡରେ ନଥିବା ଜଣାପଡ଼ିଛି।
ସୂତ୍ର ଅନୁସାରେ, ଟିଡିପି ପାଖରେ ୧୬ ଓ ଜେଡିୟୁ ପାଖରେ ୧୨ ଜଣ ସାଂସଦ ରହିଛି। ତେଣୁ ଉଭୟ ନିଜ ଇଚ୍ଛାରେ ମନ୍ତ୍ରୀ ପଦ ନେବାକୁ ଲକ୍ଷ୍ୟ ରଖିଛନ୍ତି। ପ୍ରାରମ୍ଭିକ ଆଲୋଚନାରେ ସହଯୋଗୀ ଦଳଗୁଡ଼ିକ ୪ ଜଣ ସାଂସଦରେ ଗୋଟିଏ ମନ୍ତ୍ରୀ ପଦ ଚାହୁଁଥିବା ବିଜେପି ଆଗରେ ସର୍ତ୍ତ ରଖିଛନ୍ତି।
ଏହି ଫର୍ମୁଲା ଅନୁସାରେ ଟିଡିପି ମୋଦି ୩.୦ ସରକାରରେ ୪ଟି ଓ ଜେଡିୟୁ ୩ଟି ମନ୍ତ୍ରୀ ପଦ ହାସଲ କରିବାକୁ ଚାହୁଁଛି। ଅତିରିକ୍ତ ଭାବେ ଏକନାଥ ସିନ୍ଦେଙ୍କ ଶିବସେନା ପାଖରେ ୭ ଜଣ ଓ ଚିରାଗ ପାଶ୍ୱାନଙ୍କ ପାଖରେ ୫ ଜଣ ସାଂସଦ ରହିଛନ୍ତି। ତେଣୁ ଉଭୟ ଗୋଟିଏ କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ପଦ ଦାବି କରିଛନ୍ତି।
କ୍ୟାବିନେଟ ମନ୍ତ୍ରୀ ସହ ଚନ୍ଦ୍ରବାବୁ ନାଇଡୁ ଲୋକସଭା ବାଚସ୍ପତି ପଦ ମଧ୍ୟ ବିଜେପି ଠାରୁ ଆଣିବାକୁ ଚାହୁଁଛନ୍ତି। କିନ୍ତୁ ବିଜେପି ଏହି ଦାବିକୁ ମାନିବା ସପକ୍ଷରେ ନାହିଁ। ବାଚସ୍ପତି ଭଳି ଗୁରୁତ୍ୱପୂର୍ଣ୍ଣ ପଦକୁ ସହଯୋଗୀଙ୍କୁ ବିଜେପି ଦେବ ନାହିଁ ବୋଲି ନିଷ୍ପତ୍ତି ନେଇଛି।
ବିଜେପି ଏକାକୀ ୨୪୦ଟି ଲୋକସଭା ଆସନ ଜିତିଥିବା ବେଳେ ମ୍ୟାଜିକ ନମ୍ବର ଠାରୁ ୩୨ଟି ସିଟ ପଛରେ ରହିଛି। ତେଣୁ ମୋଦି ୩.୦ ସରକାର ଗଠନରେ ସହଯୋଗୀ ଦଳଗୁଡ଼ିକର ଗୁରୁତ୍ୱ ବଢ଼ି ଯାଇଛି। ଟିଡିପି, ଶିବସେନା, ଜେଡିୟୁ ଓ ଲୋକ ଜନଶକ୍ତି ପାର୍ଟି(ରାମ ବିଲାଶ) ମିଳିତ ଭାବେ ୪୦ଟି ଆସନ ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
