Advertisment

ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଲେ ୩୦ରୁ ଅଧିକ ସାଂସଦ

ପ୍ରଥମ ପର୍ଯ୍ୟାୟରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ।

ଅଦ୍ୟତନ ହୋଇଛି
BJP Leaders

BJP Leaders

Advertisment

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶନିବାର ବିଜେପି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୯୫ ଜଣଙ୍କ ନାଁ ଥିବା ବେଳେ ୩୦ରୁ ଅଧିକ ସାଂସଦଙ୍କୁ ଟିକେଟ ଦେଇ ନାହିଁ ଦଳ। ସେମାନଙ୍କ ଆସନରେ ନୂଆ ପ୍ରାର୍ଥୀ ଦେଇଛି ଦଳ।

Advertisment

ଆସାମ

ଆସାମର ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ସେଥିରୁ ୬ଟି ଆସନରେ ପୂର୍ବ ପ୍ରାର୍ଥୀଙ୍କ ଉପରେ ପୁଣି ଭରସା କରିଛି ଦଳ। ସେମାନେ ଏବେ ସାଂସଦ ଅଛନ୍ତି। କିନ୍ତୁ ୫ଟି ଆସନରେ ନୂଆ ପ୍ରାର୍ଥୀ ଦେଇଛି ଦଳ। 

ସିଲଚରରୁ ବିଜେପି ପରିମଲ ଶୁକ୍ଳାବୈଦ୍ୟଙ୍କୁ ପ୍ରାର୍ଥୀ କରିଛି। ସାଂସଦ ରାଜଦୀପ ରୟଙ୍କ ବଦଳରେ ଦଳ ତାଙ୍କୁ ଟିକେଟ ଦେଇଛି। ୨୦୧୯ରେ ରାଜଦୀପ ରୟ ଏହି ଆସନରୁ ବିଜୟୀ ହୋଇଥିଲା।

Advertisment

ଅଟୋନୋମସ ଜିଲ୍ଲା (ଏସ୍‌ଟି) ଆସନରୁ ଏବେ ସାଂସଦ ଅଛନ୍ତି ବିଜେପିର ହୋରେନ ସିଂହ ବେ। କିନ୍ତୁ ଦଳ ଏଥର ତାଙ୍କୁ ଏହି ଆସନରୁ ଟିକେଟ ଦେଇନି। ତାଙ୍କ ବଦଳରେ ଅମର ସିଂହ ଟିସୋଙ୍କୁ ପ୍ରାର୍ଥୀ କରିଛି।

ଗୌହାଟୀରୁ ଲଢ଼ିବେ ବିଜୁଳି କଲିତା ମେଧି। ଏବେ ଏହି ଆସନରୁ ସାଂସଦ ଅଛନ୍ତି ଦଳର କୁଇନ୍ ଓଜା। ତେଜପୁର ଆସନରୁ ସାଂସଦ ପଲ୍ଲବ ଲୋଚନ ଦାସଙ୍କ ବଦଳରେ ରଞ୍ଜି ଦତ୍ତାଙ୍କୁ ଟିକେଟ ଦେଇଛି। କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲଙ୍କୁ ଦିବ୍ରୁଗଡ଼ରୁ ପ୍ରାର୍ଥୀ କରାଯାଇଛି। ଏବେ ଏହି ଆସନରୁ ଦଳର ରମେଶ୍ୱର ତେଲି ସାଂସଦ ଅଛନ୍ତି।

ଛତିଶଗଡ଼

ଛତିଶଗଡ଼ରେ ୧୧ଟି ଆସନ ପାଇଁ ବିଜେପି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେମାନଙ୍କ ମଧ୍ୟରେ ୪ ଜଣ ହେଉଛନ୍ତି ନୂଆ ମୁହଁ।

ଜାଞ୍ଜଗୀର ଚମ୍ପା (ଏସ୍‌ସି) ଆସନରୁ ଦଳ ସାଂସଦ ଗୁହାରାମ ଅଜଗାଲେଙ୍କୁ ଟିକେଟ୍ ନଦେଇ କମଳେଶ ଜାଙ୍ଗଡେଙ୍କୁ ଚୟନ କରିଛି। ରାୟପୁର ଆସନରୁ ଦଳ ବରିଷ୍ଠ ନେତା ବୃଜମୋହନ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ଦଳର ସୁନୀଲ କୁମାର ସୋନି ଏଠାରୁ ଜିତିଥିଲେ ଓ ଏବେ ସାଂସଦ ଅଛନ୍ତି।

ମହାସମୁନ୍ଦ ଆସନରେ ସାଂସଦ ଚୁନ୍ନି ଲାଲ ସାହୁଙ୍କୁ ରିପିଟ୍ କରିନି ଦଳ। ତାଙ୍କ ବଦଳରେ ରୁପ କୁମାରୀ ଚୌଧୁରୀଙ୍କୁ ପ୍ରାର୍ଥୀ କରିଛି। କାଙ୍କେର (ଏସ୍‌ଟି) ଆସନରେ ସାଂସଦ ମୋହନ ମାଣ୍ଡବୀଙ୍କ ବଦଳରେ ଭୋଜରାଜ ନାଗଙ୍କୁ ଟିକେଟ୍ ଦେଇଛି ଦଳ।

ଦିଲ୍ଲୀ

ପ୍ରଥମ ପର୍ଯ୍ୟାୟରେ ବିଜେପି ଦିଲ୍ଲୀର ୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସେଥିରୁ ୪ଟିରେ ପ୍ରାର୍ଥୀ ବଦଳାଇଛି।

ନୂଆଦିଲ୍ଲୀ ଆସନରୁ ମିନାକ୍ଷୀ ଲେଖିଙ୍କୁ ଦଳ ଟିକେଟ୍ ଦେଇ ନଥିବା ବେଳେ ଗତଥର ଚାନ୍ଦିନୀ ଚୌକରୁ ବିଜୟୀ ହୋଇଥିବା ଡାକ୍ତର ହର୍ଷ ବର୍ଦ୍ଧନଙ୍କୁ ମଧ୍ୟ ଦଳ ଏଥର ପ୍ରାର୍ଥୀ କରି ନାହିଁ। ସେହିପରି ଗତ ଥର ଦକ୍ଷିଣ ଦିଲ୍ଲୀରୁ ବିଜୟୀ ହୋଇଥିବା ରମେଶ ବିଧୁଡ଼ୀ ଓ ପଶ୍ଚିମ ଦିଲ୍ଲୀରୁ ବିଜୟୀ ହୋଇଥିବା ପର୍ଭେଶ ସାହିବ ସିଂହଙ୍କୁ ଦଳ ଟିକେଟ୍ ଦେଇ ନାହିଁ। ଅନ୍ୟପକ୍ଷରେ ଉତ୍ତର ପୂର୍ବ ଦିଲ୍ଲୀରୁ ଦଳ ମନୋଜ କୁମାର ତିୱାରୀଙ୍କୁ ପୁଣି ପ୍ରାର୍ଥୀ କରିଛି।

ଚାନ୍ଦିନୀଚୌକରୁ ବିଜେପି ଏଥର ପ୍ରବୀଣ ଖଣ୍ଡେଲୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ପଶ୍ଚିମ ଦିଲ୍ଲୀରୁ କମଲଜୀତ ସହରାୱତ, ଦକ୍ଷିଣ ଦିଲ୍ଲୀରୁ ରାମବୀର ସିଂହ ବିଧୁଡ଼ୀ ଓ ନୂଆଦିଲ୍ଲୀରୁ ବାଂସୁରୀ ସ୍ୱରାଜଙ୍କୁ ଟିକେଟ୍ ଦେଇଛି।

ଗୁଜରାଟ

ଗୁଜରାଟର ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ସେଥିରେ ୫ ଜଣ ସାଂସଦଙ୍କ ନାଁ ନାହିଁ।

ବନାସକାଣ୍ଠାରୁ ସାଂସଦ ପ୍ରଭାତବାଭାଇ ସବାଭାଇ ପଟେଲଙ୍କ ବଦଳରେ ରେଖାବେନ୍ ହିତେଶଭାଇ ଚୌଧରୀଙ୍କୁ ଦଳ ଟିକେଟ୍ ଦେଇଛି। ଅହମଦାବାଦ ୱେଷ୍ଟ (ଏସ୍‌ସି)ରୁ ତିନି ଥର ସାଂସଦ ହୋଇଥିବା କିରିଓ ସୋଲାଙ୍କିଙ୍କ ବଦଳରେ ଦୀନେଶଭାଇ କୌଡରଭାଇ ମକୱାନାଙ୍କୁ ଟିକେଟ୍ ଦିଆଯାଇଛି।

ରାଜକୋଟରେ ବି ପ୍ରାର୍ଥୀ ବଦଳାଇଛି ବିଜେପି। ଗତଥର ଏଠାରୁ ବିଜୟୀ ହୋଇଥିଲେ ସାଂସଦ ମୋହନଭାଇ କଲ୍ୟାଣଜୀ କୁନ୍ଦରୀୟା। କିନ୍ତୁ ଦଳ ତାଙ୍କ ବଦଳରେ ଏଥର କେନ୍ଦ୍ର ମନ୍ତ୍ରୀ ପରଷୋତ୍ତମ ରୁପାଲାଙ୍କୁ ଏହି ଆସନରୁ ପ୍ରାର୍ଥୀ କରିଛି।

ସେହିପରି ପୋରବନ୍ଦରରୁ ଦଳ ଏଥର କେନ୍ଦ୍ର ମନ୍ତ୍ରୀ ମନସୁଖ ମାଣ୍ଡଭୀୟାଙ୍କୁ ପ୍ରାର୍ଥୀ କରିଛି। ୨୦୧୯ରେ ଏଠାରୁ ଦଳର ରମେଶଭାଇ ଲବିଜୀଭାଇ ଧାଡୁକ ଜିତିଥିଲେ।

ପଞ୍ଚମହଲ ଆସନରୁ ସାଂସଦ ରତନସିଂହ ମଗନସିଂହ ରାଠୋଡଙ୍କ ବଦଳରେ ରାଜପାଲସିଂହ ମହେନ୍ଦ୍ରସିଂହ ଜାଧବଙ୍କୁ ପ୍ରାର୍ଥୀ କରିଛି।

ଝାରଖଣ୍ଡ

ଝାରଖଣ୍ଡରେ ୧୧ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୨ ଜଣ ସାଂସଦଙ୍କୁ ଟିକେଟ୍ ମିଳିନାହିଁ।

ହଜାରୀବାଗ ଆସନରୁ ସାଂସଦ ଥିବା ଜୟନ୍ତ ସିହ୍ନାଙ୍କୁ ଦଳ ଟିକେଟ୍ ଦେଇ ନାହିଁ। ତାଙ୍କ ବଦଳରେ ମନୀଷ ଜୟସୱାଲଙ୍କୁ ମିଳିଛି ଟିକେଟ। ସୂଚନାଯୋଗ୍ୟ, ଗତକାଲି ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ଜୟନ୍ତ ସିହ୍ନା ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ।

ଲୋହାରଦଗା (ଏସ୍‌ଟି) ଆସନରୁ ତିନି ଥର ବିଜୟୀ ହୋଇଥିବା ସୁଦର୍ଶନ ଭଗତଙ୍କୁ ବିଜେପି ଏଥର ଟିକେଟ୍ ଦେଇ ନାହିଁ। ତାଙ୍କ ବଦଳରେ ଦଳ ଏଠାରୁ ସମୀର ଓରାଓନଙ୍କୁ ପ୍ରାର୍ଥୀ କରିଛି।

ମଧ୍ୟ ପ୍ରଦେଶ

ମଧ୍ୟ ପ୍ରଦେଶରେ ୨୯ଟି ଲୋକସଭା ଆସନ ଥିବା ବେଳେ ୨୪ଟି ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଘୋଷଣା କରାଯାଇଛି। ଏହି ୨୪ଟି ଆସନରୁ ୭ଟିରେ ନୂଆ ମୁହଁଙ୍କୁ ନେଇଛି ଦଳ। ଫଳରେ ବର୍ତ୍ତମାନ ସାଂସଦ ଥିବା ଦଳର ୭ ନେତା ଟିକେଟ୍ ପାଇ ନାହାନ୍ତି।

ଗ୍ୱାଲିୟରରୁ ଏବେ ସାଂସଦ ଅଛନ୍ତି ବିଜେପି ନେତା ବିବେକ ନାରାୟଣ ଶେଜୱାକର। ଦଳ ତାଙ୍କୁ ଏଥର ଟିକେଟ୍ ଦେଇ ନାହିଁ। ଏହି ଆସନରୁ ଦଳ ଭରତ ସିଂହ କୁଶୱାହଙ୍କୁ ପ୍ରାର୍ଥୀ କରିଛି।

ଗୁନା ସାଂସଦ କୃଷ୍ଣପାଲ ସିଂହ ଯାଦବଙ୍କୁ ମଧ୍ୟ ରିପିଟ୍ କରିଛି ବିଜେପି। ତାଙ୍କ ବଦଳରେ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦଳ ପ୍ରାର୍ଥୀ କରିଛି। ସାଗର ଲୋକସଭା ଆସନରୁ ସାଂସଦ ରାଜବାହାଦୁର ସିଂହଙ୍କ ବଦଳରେ ଲତା ୱାଙ୍ଗେଡେଙ୍କୁ ପ୍ରାର୍ଥୀ କରାଯାଇଛି। ବିଦିଶାରୁ ସାଂସଦ ରମାକାନ୍ତ ଭାର୍ଗବଙ୍କ ବଦଳରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କୁ ପ୍ରାର୍ଥୀ କରିଛି। ସେହିପରି ଭୋପାଳରୁ ସାଂସଦ ଥିବା ସାଧ୍ୱୀ ପ୍ରଜ୍ଞା ସିଂହଙ୍କ ବଦଳରେ ଆଲୋକ ଶର୍ମାଙ୍କୁ ପ୍ରାର୍ଥୀ କରିଛି ଦଳ।

ରତଲାମ (ଏସ୍‌ଟି) ଆସନରୁ ଦଳୀୟ ନେତା ଗୁମାନ ସିଂହ ଦାମୋର ଏବେ ସାଂସଦ ଅଛନ୍ତି। କିନ୍ତୁ ତାଙ୍କୁ ଟିକେଟ୍ ମିଳିନି। ତାଙ୍କ ବଦଳରେ ଦଳ ଅନୀତା ନାଗର ସିଂହ ଚୌହାନଙ୍କୁ ପ୍ରାର୍ଥୀ କରିଛି।

ରାଜସ୍ଥାନ, ତ୍ରିପୁରା ଓ ପଶ୍ଚିମବଙ୍ଗ

ରାଜସ୍ଥାର ୧୫ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ୫ ଜଣ ସାଂସଦଙ୍କୁ ଟିକେଟ୍ ମିଳିନି। ଚୁରୁ, ଭରତପୁର, ଜାଲୋର, ଉଦୟପୁର ଓ ବାଂଶୱାଡାରେ ଦଳ ନୂଆ ପ୍ରାର୍ଥୀ ଦେଇଛି।

ତ୍ରିପୁରାର ଗୋଟିଏ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବଙ୍କୁ ଦଳ ତ୍ରିପୁରା ୱେଷ୍ଟ ଆସନରୁ ପ୍ରାର୍ଥୀ କରିଛି। ଏହି ଆସନରୁ ଏବେ ସାଂସଦ ଅଛନ୍ତି ଦଳୀୟ ନେତା ପ୍ରତିମା ଭୌମିକ। ସେହିପରି ପଶ୍ଚିମବଙ୍ଗରେ ୨୦ଟି ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଅଲୀପୁରଦୁଆରରେ ସାଂସଦ ଜନ୍ ବାର୍ଲାଙ୍କ ବଦଳରେ ମନୋଜ ଟିଗ୍ଗାଙ୍କୁ ଟିକେଟ୍ ଦିଆଯାଇଛି।

Bjp Loka Sabha Election 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe