Advertisment

ଅଭିଷେକ ବାନାର୍ଜୀଙ୍କ ବିରୋଧରେ ଅଭିଜିତ ଦାସଙ୍କୁ ପ୍ରାର୍ଥୀ କଲା ବିଜେପି

୨୦୦୯ ଓ ୨୦୧୪ରେ ଅଭିଜିତ ଡାଇମଣ୍ଡ ହାର୍ବରରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା।

author-image
Hemant Lenka
Bobby

Bobby

ଅନେକ ମାନସମନ୍ଥନ ପରେ ଶେଷରେ ବିଜେପି ପଶ୍ଚିମବଙ୍ଗର ଡାଇମଣ୍ଡ ହାର୍ବର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଏଠାରେ ଅଭିଜିତ ଦାସ ବବୀ ବିଜେପିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ତାଙ୍କର ଲଢ଼େଇ ଟିଏମସିର ଅଭିଷେକ ବାନାର୍ଜୀଙ୍କ ସହ ହେବ। ଅଭିଷେକ ହେଉଛନ୍ତି ଡାଇମଣ୍ଡ ହାର୍ବର୍‌ର ସାଂସଦ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା।

Advertisment

୨୦୦୯ ଓ ୨୦୧୪ରେ ଅଭିଜିତ ଡାଇମଣ୍ଡ ହାର୍ବରରୁ ଲଢ଼ିଥିଲେ। କିନ୍ତୁ ତାଙ୍କୁ ହାରିବାକୁ ପଡ଼ିଥିଲା। ୨୦୧୯ରେ ବିଜେପି ଏଠାରେ ନୀଳଞ୍ଜନ ରୟଙ୍କୁ ଟିକେଟ ଦେଇଥିଲା। କିନ୍ତୁ ତାଙ୍କୁ ଅଭିଷେକ ବାନାର୍ଜୀ ଏକତରଫା ଭାବେ ପରାସ୍ତ କରିଥିଲେ।

ଅଭିଷେକଙ୍କୁ ୭,୯୧,୧୨୭ ଖଣ୍ଡ ଭୋଟ ମିଳିଥିବା ବେଳେ ରୟଙ୍କୁ କେବଳ ୪,୭୦,୫୩୩ ଖଣ୍ଡ ଭୋଟ ମିଳିଥିଲା। ୨୦୧୪ ଲୋକସଭା ନିର୍ବାଚନରେ ବିଜେପିର ଅଭିଜିତ ତୃତୀୟ ସ୍ଥାନରେ ରହିଥିଲେ।

Advertisment

୨୦୦୯ରେ ବି ସେ ମାତ୍ର ୩୭ ହଜାର ଭୋଟ ପାଇଥିଲେ। ସେହିବର୍ଷ ଟିଏମସିର ସୌମେନ୍ଦ୍ର ନାଥ ମିତ୍ର ଡାଇମଣ୍ଡ ହାର୍ବରରୁ ଜିତିଥିଲେ। ୨୦୧୪ ଓ ୨୦୧୯ରେ ଅଭିଷେକ ବାନାର୍ଜୀ ଏଠାରୁ ଜିତି ଚାଲିଛନ୍ତି। ତେଣୁ ଏଥର ଅଭିଜିତ କେତେ ସଫଳ ହେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।

ଅନ୍ୟପକ୍ଷରେ ବିଜେପି ମହାରାଷ୍ଟ୍ର ସତାରା ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି। ଏଠାରେ ଛତ୍ରପତି ଶିବାଜୀ ମହାରାଜଙ୍କ ବଂଶଜ ଛତ୍ରପତି ଉଦୟନରାଜ ଭୋସଲେ ବିଜେପି ଟିକେଟରୁ ଲୋକସଭା ନିର୍ବାଚନ ଲଢ଼ିବେ।

ଭୋସଲେ ହେଉଛନ୍ତି ଏନସିପିର ପୂର୍ବତନ ନେତା। ସେ ୨୦୨୨ରେ ବିଜେପିରେ ମିଶିଥିଲେ। ୨୦୧୯ ଉପ ନିର୍ବାଚନରେ ମଧ୍ୟ ତାଙ୍କୁ ହାରିବାକୁ ପଡ଼ିଥିଲା। ତଥାପି ବିଜେପି ତାଙ୍କୁ ପୁଣିଥରେ ସତାରାରୁ ପ୍ରାର୍ଥୀ କରିଛି। ଏଠାରେ ତାଙ୍କର ଲଢ଼େଇ ଏନସିପିର ଶଶିକାନ୍ତ ସିନ୍ଦେଙ୍କ ସହ ହେବ।

୧୨ତମ ପ୍ରାର୍ଥୀ ତାଲିକାରେ ବିଜେପି ଉତ୍ତର ପ୍ରଦେଶର ୨ଟି ଓ ପଞ୍ଜାବର ୩ଟି ଆସନ ପାଇଁ ନାଁ ଘୋଷଣା କରିଛି। ଉତ୍ତର ପ୍ରଦେଶର ଦେଓରିଆରୁ ଶଶାଙ୍କ ମଣି ତ୍ରିପାଠୀ ଓ ଫିରୋଜାବାଦରୁ ଠାକୁର ବିଶ୍ୱଦୀପ ସିଂହ ବିଜେପି ଟିକେଟରେ ଲଢ଼ିବେ।

ପଞ୍ଜାବାର ହୋସିଆରପୁରରୁ ଏଥର କେନ୍ଦ୍ରମନ୍ତ୍ରୀ ସୋମ ପ୍ରକାଶଙ୍କ ପତ୍ନୀ ଅନୀତାଙ୍କୁ ବିଜେପି ଟିକେଟ ଦେଇଛି। ଏହାବାଦ ଖାଦୋର ସାହିବରୁ ମନଜୀତ ସିଂହ ମାନ ଓ ଭଠିଣ୍ଡାରୁ ପାରାମପାଲ କୌର ସିଦ୍ଧୁଙ୍କୁ ଦଳ ପ୍ରାର୍ଥୀ କରିଛି।

Bjp West Bengal TMC Lok Sabha Election 2024 Abhishek Banerjee