୧୭ ବିଧାୟକଙ୍କୁ ରିପିଟ୍ କଲା ବିଜେପି,୨ ଜଣଙ୍କ ଟିକେଟ୍ କାଟିଲା

ବିଜେପି ନିଜର ୨୨ଜଣ ସିଟିଂ ବିଧାୟକଙ୍କ ମଧ୍ୟରୁ ୧୭ ଜଣଙ୍କ ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରି ସେମାନଙ୍କୁ ତାଙ୍କ ଆସନରେ ପ୍ରାର୍ଥୀ କରିଛି ।

ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ଫାଇଲ ଫଟୋ)

  • Published: Tuesday, 02 April 2024
  • , Updated: 02 April 2024, 01:32 PM IST

ସାଧାରଣ ନିର୍ବାଚନ ପାଇଁ ବିଜେପି ଆଜି ୧୧୨ଜଣ ବିଧାୟକଙ୍କ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ବାକି ୩୫ଟି ଆସନ ପାଇଁ ବିଜେଡି ଏବେବି ଅଙ୍କକଷା ଜାରି ରଖିଛି । ଦଳ ନିଜର ମୋଟ ୨୨ଜଣ ସିଟିଂ ବିଧାୟକଙ୍କ ମଧ୍ୟରୁ ୧୭ଜଣଙ୍କ ଉପରେ ପୁଣିଥରେ ଭରସା କରିଛି । ୨ଜଣ ବିଧାୟକଙ୍କ ଟିକେଟ୍ କାଟିଛି ।  ଅନ୍ୟଜଣେ ସିଟିଂ ବିଧାୟକଙ୍କ ଆସନରେ କିଏ ପ୍ରାର୍ଥୀ ହେବେ ତାହା ଏବେବି ଅସ୍ପଷ୍ଟ ରହିଛି । ଏସବୁ ବ୍ୟତୀତ ଦଳଡ଼ିଆଁ ନେତାମାନଙ୍କୁ ବି ବିଜେପି ଟିକେଟ୍ ଦେବାକୁ ପଛାଇ ନାହିଁ । ତେବେ ୧୧୨ଜଣ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ମାତ୍ର ୮ଟି ସ୍ଥାନରେ ମହିଳାଙ୍କୁ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଛି ।

ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକାରେ ମୋଟ ୧୧୨ଟି ଆସନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି । ନିଜର ୨୨ଜଣ ସିଟିଂ ବିଧାୟକଙ୍କ ମଧ୍ୟରୁ ୧୭ଜଣଙ୍କ ଉପରେ ଦଳ ପୁଣିଥରେ ଆସ୍ଥା ପ୍ରକଟ କରି ସେମାନଙ୍କୁ ତାଙ୍କ ଆସନରେ ପ୍ରାର୍ଥୀ କରିଛି । ମାଲକାନଗିରିରେ ସିଟିଂ ବିଧାୟକ ଆଦିତ୍ୟ ମାଢ଼ୀ ଓ ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ଦଳ ଚଳିତଥର ଟିକେଟ ଦେଇନି । ଆଦିତ୍ୟଙ୍କ ସ୍ଥାନରେ ଦଳ ନରସିଂହ ମାଡ଼କାମୀଙ୍କୁ ଏବଂ ଲଳିତେନ୍ଦୁଙ୍କ ବଦଳରେ ତାଙ୍କ ଝିଆରୀ ଉପାସନା ମହାପାତ୍ରଙ୍କୁ ବ୍ରହ୍ମଗିରିରୁ ଟିକେଟ୍ ଦେଇଛି । ସେହିପରି ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ଦଳ ପୂର୍ବରୁ ମୟୂରଭଞ୍ଜ ସାଂସଦ ପ୍ରାର୍ଥୀ କରିସାରିଛି । ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିକୁ ଡିଆଁ ମାରିଛନ୍ତି । କେବଳ ସାରସକଣାର ଦଳୀୟ ବିଧାୟକ ଡାକ୍ତର ବୁଧାନ ମୁର୍ମୁଙ୍କ ଟିକେଟକୁ ନେଇ ଏବେବି ଚିତ୍ର ସ୍ପଷ୍ଟ ହୋଇନି । ପ୍ରଥମ ପର୍ଯ୍ୟାୟ ତାଲିକାରେ ସାରସକଣା ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇନଥିବା ଜଣାପଡ଼ିଛି ।

ବିଜେଡିରୁ ଆସିଥିବା ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଜୟଦେବ,  ସିଦ୍ଧାନ୍ତ ମହାପାତ୍ରଙ୍କୁ ଦିଗପହଣ୍ଡି, ଅଭିନେତା ଆକାଶଦାସ ନାୟକଙ୍କୁ କୋରେଇ, ରଘୁରାମ ମାଛଙ୍କୁ କୋରାପୁଟ, ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଖଲ୍ଲିକୋଟ, ପ୍ରିୟଦର୍ଶୀ ମିଶ୍ରଙ୍କୁ ଭୁବନେଶ୍ୱର-ଉତ୍ତର, ତେଜେଶ୍ୱର ପରିଡ଼ାଙ୍କୁ ପାଟକୁରାଙ୍କ ସମେତ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ସୋର,  ଆଠମଲ୍ଲିକରୁ ସଞ୍ଜିବ ସାହୁ, କଂଗ୍ରେସ ଛାଡ଼ିଥିବା ନିହାର ରଞ୍ଜନ ମହାନନ୍ଦଙ୍କୁ ଅତାବିରା,ସ୍ମୃତିରେଖା ପହିଙ୍କୁ ଧର୍ମଶାଳା, ରାଜକିଶୋର ବେହେରାଙ୍କୁ ତିର୍ତ୍ତୋଲରୁ ପ୍ରାର୍ଥୀ କରାଯାଇଛି ।

ସେହିପରି ଦଳ ୧୧୨ଜଣ ପ୍ରାର୍ଥୀଙ୍କ ମଧ୍ୟରେ ମାତ୍ର ୮ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବାରେ ସକ୍ଷମ ହୋଇଛି । ବିଧାୟିକା କୁସୁମ ଟେଟେଙ୍କୁ ପୁଣିଥରେ ସୁନ୍ଦରଗଡ଼ ବିଧାନସଭା ଆସନରୁ ରିପିଟ୍ କରିଛି । ବଣାଇରେ ସେବତୀ ନାୟକ, ବିଂଝାରପୁରରେ ବବିତା ମଲ୍ଲିକ, ଧର୍ମଶାଳାରେ ସ୍ମୃତିରେଖା ପହି, ବାଲିଗୁଡ଼ାରେ କଳ୍ପନା କୁମାର କହଁର, ନିମାପଡ଼ାରେ ପାର୍ବତୀ ପରିଡ଼ା, ବ୍ରହ୍ମଗିରିରେ ଉପାସନା ମହାପାତ୍ର, ନୟାଗଡ଼ରେ ପ୍ରତ୍ୟୁଷା ରାଜେଶ୍ୱରୀ ସିଂଙ୍କୁ ଟିକେଟ୍ ଦେଇଛି ।

ତେବେ ବିଜେପିରେ ସାମିଲ ହୋଇଥିବା ବରିଷ୍ଠ ନେତା ଦେବାଶିଷ ନାୟକ, ପ୍ରଶାନ୍ତ ଜଗଦେବ, ଅନୁଭବ ମହାନ୍ତି, ଅରିନ୍ଦମ ରାୟ ଆଦିଙ୍କୁ ଦଳ କେଉଁଠି ପ୍ରାର୍ଥୀ କରିବ ତାହା ଜଣାପଡ଼ିନି । ଅବଶ୍ୟ ବରୀ, ଖୋର୍ଦ୍ଧା, ବେଗୁନିଆ, କଟକ-ବାରବାଟୀ ଭଳି ଆସନ ପାଇଁ ଦଳ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିନି ।

Related story