ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ଉପସ୍ଥାପନ ନିମନ୍ତେ ଆଜିଠୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ସରକାରଙ୍କ ଚିହ୍ନିତ ୧୦ଟି ପ୍ରାଥମିକତା ରଣନୀତିକ କ୍ଷେତ୍ରକୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୨୦ତାରିଖ ସୁଦ୍ଧା ବଜେଟ୍ ପ୍ରସ୍ତାବ ପଠାଇବା ପାଇଁ ପ୍ରଶାସନିକ ବିଭାଗଗୁଡ଼ିକୁ ଆଜି ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ନିଆଯାଇଥିବା ନୀତି ଉପରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆକଳନ ଆଧାରିତ ହେବ ବୋଲି ଅର୍ଥ ବିଭାଗ ସ୍ପଷ୍ଟ କରିଛି । ଏହାସହିତ ରାଜ୍ୟର ଅର୍ଥନୀତି ଚଳିତ ଆର୍ଥିକ ବର୍ଷରେ ୮%ରୁ ୮.୫% ହାରରେ ବୃଦ୍ଧି ପାଇବ ଓ ଏହି ଅଭିବୃଦ୍ଧି ହାର ୨୦୨୫-୨୬ରେ ମଧ୍ୟ ଜାରି ରହିବ ବୋଲି ଅର୍ଥ ବିଭାଗ ଆକଳନ କରିଛି ।
ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଆଜି ଶନିବାର ସମସ୍ତ ବିଭାଗର ସଚିବଙ୍କୁ ଚିଠି ଲେଖି ୨୦୨୫ ଫେବୃୟାରୀ ତୃତୀୟ ସପ୍ତାହରେ ୨୦୨୫-୨୬ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ବିଧାନସଭାରେ ଉପସ୍ଥାପିତ ହେବ । ତେଣୁ ୨୦୨୪-୨୫ ପାଇଁ ସଂଶୋଧିତ ଆକଳନ ଓ ୨୦୨୫-୨୬ ନିମନ୍ତେ ବଜେଟ୍ ଆକଳନର ପ୍ରକ୍ରିୟା ଶୀଘ୍ର ଶେଷ ହେବା ଆବଶ୍ୟକ ବୋଲି କହିଛନ୍ତି । ରାଜ୍ୟ ସରକାର ୨୦୨୪-୨୫ ଆର୍ଥିକ ବର୍ଷ ବଜେଟରେ ଗ୍ରହଣ କରିଥିବା ନୀତି ଆଧାରରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଆକଳନ ପ୍ରସ୍ତୁତ ହେବ ବୋଲି ଶ୍ରୀ ମିଶ୍ର ସ୍ପଷ୍ଟ କରିବା ସହ ରାଜ୍ୟ ସରକାର ବିକାଶର ୧୦ଟି ସ୍ତମ୍ଭ ଚିହ୍ନଟ କରିଥିବା ସୂଚନା ଦେଇଛନ୍ତି । ବିଜେପି ସରକାରଙ୍କ ବିକାଶର ୧୦ଟି ସ୍ତମ୍ଭ ହେଲା- ଅନ୍ନଦାତା(କୃଷକ), ନାରୀ ଶକ୍ତି(ମହିଳା), ସାମାଜିକ ନ୍ୟାୟ, ସ୍ୱାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ସାବଲୀଳ ଜୀବନଶୈଳୀ, ମୌଳିକ ନାଗରିକ ସୁବିଧା, ବିକଶିତ ଗାଁ-ବିକଶିତ ସହର-ବିକଶିତ ଓଡ଼ିଶା, ଶିଳ୍ପ, ରୋଜଗାର ଓ କର୍ମନିଯୁକ୍ତି, ଓଡ଼ିଆ ଅସ୍ମିତା ଓ ଜଗନ୍ନାଥ ସଂସ୍କୃତି ଏବଂ ଲୋକଙ୍କ ସରକାର । ଲୋକଙ୍କ ସାମଗ୍ରିକ ଅଭିବୃଦ୍ଧି ଓ ଉନ୍ନତ ଜୀବନଧାରଣର ମାନକୁ ଧ୍ୟାନରେ ରଖି ଉତ୍ତର ଜନସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଅର୍ଥ ବିଭାଗ କହିଛି ।
ଅର୍ଥ ବିଭାଗ ମଧ୍ୟ ରାଜ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ମୋଟ ରାଜସ୍ୱ ଆଦାୟ ଚଳିତବର୍ଷ ତୁଳନାରେ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରିଛି । ସାମଗ୍ରିକ ଘରୋଇ ଉତ୍ପାଦ ବୃଦ୍ଧି, ମୁଦ୍ରାସ୍ପୀତି ଓ ଜାତୀୟ ତଥା ରାଜ୍ୟସ୍ତରରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଟିକସ ବୃଦ୍ଧିକୁ ଦୃଷ୍ଟିରେ ରଖି ଅର୍ଥ ବିଭାଗ ଏହି ଆକଳନ କରିଥିଲେ ମଧ୍ୟ ଆନ୍ତର୍ଜାତିକସ୍ତରରେ ଖଣିଜ ମୂଲ୍ୟର ପରିବର୍ତ୍ତନ ହେତୁ ରାଜ୍ୟର ସମ୍ବଳ ପ୍ରଭାବିତ ହୋଇପାରେ ବୋଲି ଆଶଙ୍କା ବ୍ୟକ୍ତ କରିଛି । ତଥାପି ପ୍ରାକୃତିକ ଓ ଆର୍ଥିକ ସମ୍ବଳ ସହ ମାନବ ସମ୍ବଳକୁ ବ୍ୟବହାର କରି ୨୦୨୪-୨୫ ଆର୍ଥିକ ବର୍ଷରେ ଓଡ଼ିଶାର ଅର୍ଥନୀତି ୮%ରୁ ସାଢ଼େ ୮ପ୍ରତିଶତକୁ ବୃଦ୍ଧି ପାଇବ ଏବଂ ୨୦୨୫-୨୬ରେ ମଧ୍ୟ ଏହି ଧାରା ସମାନ ଭାବେ ଜାରି ରହିବ ବୋଲି ଅର୍ଥ ବିଭାଗ ଆଶାବ୍ୟକ୍ତ କରିଛି ।
ତେବେ ପୂର୍ବ ଆର୍ଥିକ ବର୍ଷଗୁଡ଼ିକରେ କ୍ରମାଗତ ଭାବେ ଅବ୍ୟବହୃତ ଋଣ ସୀମାକୁ ପରବର୍ତ୍ତୀ ସମୟରେ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରାଯାଇ ପାରିବ ବୋଲି ଅର୍ଥ ବିଭାଗ କହିଛି । ଏହାସହିତ ଏଫଆରବିଏମ୍ ଆକ୍ଟ-୨୦୦୫ ଅନୁଯାୟୀ ବଜେଟକୁ ରାଜସ୍ୱ ବଳକା ରଖିବା ସହ ବିତ୍ତୀୟ ନିଅଂଟ ପରିମାଣକୁ ଜିଏସଡିପିର ଅତିରିକ୍ତ ୦.୫% ଅର୍ଥାତ ୩.୫% ମଧ୍ୟରେ ସୀମିତ ରଖାଯିବ ବୋଲି ଅର୍ଥ ବିଭାଗ ସଙ୍କେତ ଦେଇଛି । ପଂଚଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ ୨୦୨୫-୨୬ ମସିହା ପର୍ଯ୍ୟନ୍ତ ସାମଗ୍ରିକ ରାଜସ୍ୱ ଘରୋଇ ଉତ୍ପାଦ(ଜିଏସଡିପି)ର ୦.୫ପ୍ରତିଶତ ଅତିରିକ୍ତ ବାର୍ଷିକ ଋଣସୀମା ଉପଲବ୍ଧ ଅଛି, ଯାହାକି ଭାରତ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କ୍ଷେତ୍ରୀୟ ସଂସ୍କାର ଅନୁରୂପ । ତେଣୁ ବିତ୍ତୀୟ ନିଅଂଟ ପରିମାଣ ଜିଏସଡିପିର ସାଢ଼େ ୩ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଆକଳନ ହୋଇଛି । ପ୍ରସ୍ତାବିତ ବାର୍ଷିକ ବଜେଟରେ ରାଜ୍ୟର ପ୍ରାଥମିକତା ଅନୁରୂପ କ୍ଷେତ୍ରୀୟ ପ୍ରାଥମିକତା ଚିହ୍ନଟ କରାଯିବ ଓ ଇଏଫସି/ଏସଏଫସି ଦ୍ୱାରା ଅନୁମୋଦିତ ରାଜ୍ୟସ୍ତରୀୟ ଯୋଜନାଗୁଡ଼ିକ ନିମନ୍ତେ ପାଣ୍ଠି ଯୋଗାଇ ଦିଆଯିବ ।
ଡିସେମ୍ବର ୨୦ତାରିଖ ସୁଦ୍ଧା ବଜେଟ୍ ସଂକ୍ରାନ୍ତ ପ୍ରସ୍ତାବ ପଠାଇବା ପାଇଁ ପ୍ରଶାସନିକ ବିଭାଗଗୁଡ଼ିକୁ ଅର୍ଥ ବିଭାଗ ନିର୍ଦ୍ଦେଶ ଦେଇଛି । ଡିସେମ୍ବର ୨୧ରୁ ଜାନୁୟାରୀ ୫ତାରିଖ ପର୍ଯ୍ୟନ୍ତ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ପ୍ରଶାସନିକ ବିଭାଗଗୁଡ଼ିକ ସହ କରାଯିବ । ଫେବୃୟାରୀ ୩ରେ ପ୍ରାକ୍ ବଜେଟ୍ ପରାମର୍ଶ ଓ କେନ୍ଦ୍ର ବଜେଟ ୨୦୨୫-୨୬ ପରେ ଆକଳନଗୁଡ଼ିକରେ ସଂଶୋଧନ, ଫେବୃୟାରୀ ୬ରେ ବିଭାଗୀୟ ସଚିବମାନଙ୍କ ସହ ପରାମର୍ଶ, ଫେବୃୟାରୀ ୭ରୁ ୧୦ ତାରିଖ ମଧ୍ୟରେ ମନ୍ତ୍ରିପରିଷଦ ଦ୍ୱାରା ବାର୍ଷିକ ଚିଠା ବଜେଟକୁ ଅନୁମୋଦନ, ଫେବୃୟାରୀ ତୃତୀୟ ସପ୍ତାହରେ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବାକୁ କାର୍ଯ୍ୟସୂଚୀ ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଥିବା ନେଇ ବିଭାଗୀୟ ସଚିବ ଶ୍ରୀ ମିଶ୍ର ସମସ୍ତ ସଚିବଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।