Advertisment

ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବେ ବିଜେପି ସରକାର, ଜିଲ୍ଲାପାଳଙ୍କୁ ମାଗିଲେ ରିପୋର୍ଟ

ତେବେ ବିଜେଡି ନିଜର ନିର୍ବାଚନୀ ଫାଇଦା ପାଇଁ ଘୋଷଣା କରିଥିବା ଏତେ ପରିମାଣର ଏନଏସି ଓ ମ୍ୟୁନିସପାଲଟି ଗଠନ ପାଇଁ ଏବେ ବିଜେପି ସରକାର କାହିଁକି ତତ୍ପରତା ଦେଖାଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

Loka Seva Bhavan

Loka Seva Bhavan

Advertisment

୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାସୀନ ବିଜେଡି ସରକାର ନିଜର ରାଜନୀତିକ ଫାଇଦା ପାଇଁ ନୂଆ ମ୍ୟୁନିପାଲିଟି ଓ ଏନଏସି ଗଠନ ନିମନ୍ତେ ଘୋଷଣା କରିଥିଲେ । ଏବେ ପ୍ରାୟ ୭ମାସ ପରେ ବିଜେଡିର ଏହି ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରଣ କରିବାକୁ ଆଗେଇ ଆସିଛନ୍ତି ବିଜେପି ସରକାର । ରାଜ୍ୟରେ ସରକାର ପରିବର୍ତ୍ତନ ହୋଇଛି ସତ କିନ୍ତୁ ତତକାଳୀନ ବିଜେଡି ସରକାର କରିଥିବା ଘୋଷଣାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଜେପି ସରକାର ଏବେ ଜିଲ୍ଲାପାଳମାନଙ୍କୁ ବିସ୍ତୃତ ରିପୋର୍ଟ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment

ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଗତକାଲି ଅର୍ଥାତ୍ ନଭେମ୍ବର ୪ତାରିଖରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ୬ଟି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ସମେତ ୫୭ଟି ନୂଆ ଏନଏଏସି ଗଠନ ନିମନ୍ତେ ପୂର୍ବ ସରକାର ନୀତିଗତ ଅନୁମୋଦନ କରିଥିବାରୁ ଏସବୁର ବିସ୍ତୃତ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଭାଗର ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଗଞ୍ଜାମ ଜିଲ୍ଲାର ଆସିକା, ଛତ୍ରପୁର ଓ ଭଞ୍ଜନଗର ଏନଏସି ସମେତ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ ଏନଏଏସି, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନଏସି ଏବଂ ବଲାଙ୍ଗୀର ଜିଲ୍ଲାର କଂଟାବାଞ୍ଜି ଏନଏସିକୁ ମ୍ୟୁନିସପାଲଟିକୁ ଉନ୍ନୀତ କରିବା ନିମନ୍ତେ ତୁରନ୍ତ ବିସ୍ତୃତ ତଥ୍ୟ ବିଭାଗକୁ ପଠାଇବାକୁ କହିଛନ୍ତି । ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ପ୍ରାବଧାନ ଓ ପ୍ରଚଳିତ ନୀତି ଆଧାରରେ ଏଦିଗରେ ପଦକ୍ଷେପ ନିଆଯିବ ବୋଲି କହିବା ସହ ୨୦୨୪ ମାର୍ଚ୍ଚ ୧୩ତାରିଖରେ ବିଭାଗ ମାଗିଥିବା ତଥ୍ୟ ଦେବାକୁ କହିଛନ୍ତି ।

ସେହିପରି ଅନ୍ୟ ଏକ ଚିଠିରେ ଦେବଗଡ଼, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ବିଭାଗୀୟ ଅତିରିକ୍ତ ସଚିବ ରବୀନ୍ଦ୍ର କୁମାର ସାହୁ ନୂଆ ୫୭ଟି ଏନଏସି ଗଠନ ନିମନ୍ତେ ନିଆଯାଇଥିବା ନୀତିଗତ ନିଷ୍ପତ୍ତି ଆଧାରରେ ଆବଶ୍ୟକ ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ପଠାଇବାକୁ କହିଛନ୍ତି । ଶ୍ରୀ ସାହୁ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶା ମ୍ୟୁନିସପାଲ ଆକ୍ଟ-୧୯୫୦ର ପ୍ରାବଧାନ ଓ ପ୍ରଚଳିତ ନୀତି ଆଧାରରେ ରାଜ୍ୟରେ ୫୭ଟି ନୂଆ ଏନଏଏସି ଗଠନକୁ ସରକାର ନୀତିଗତ ଅନୁମୋଦନ କରିସାରିଛନ୍ତି । ତେଣୁ ୨୦୧୧୧ ଜନସଂଖ୍ୟା ଆଧାରରେ ଏହି ଏନଏସି ଗଠନ ନିମନ୍ତେ ଆବଶ୍ୟକ ତଥ୍ୟ ଦେବାକୁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି ।

Advertisment

ତତକାଳୀନ ବିଜେଡି ସରକାର ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଯେଉଁ ୨୩ଟି ଜିଲ୍ଲାରେ ୫୭ଟି ନୂଆ ଏନଏଏସି ଗଠନ ପାଇଁ ନୀତିଗତ ନିଷ୍ପତ୍ତି ନେଇଥିଲେ ସେଥିରେ ସର୍ବାଧିକ ୫ଟି ସୋନପୁର ଜିଲ୍ଲାରେ, ୪ଟି ଲେଖାଏଁ ଯାଜପୁର,କଟକ,ବୌଦ୍ଧ, ବାଲେଶ୍ୱର ଓ ବଲାଙ୍ଗୀର ଜିଲ୍ଲାରେ ରହିଛି ।

ତେବେ ବିଜେଡି ନିଜର ନିର୍ବାଚନୀ ଫାଇଦା ପାଇଁ ଘୋଷଣା କରିଥିବା ଏତେ ପରିମାଣର ଏନଏସି ଓ ମ୍ୟୁନିସପାଲଟି ଗଠନ ପାଇଁ ଏବେ ବିଜେପି ସରକାର କାହିଁକି ତତ୍ପରତା ଦେଖାଉଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି ।

ସୂଚନାଯୋଗ୍ୟ, ବିଜେଡି ସରକାର ନିଜର ନିର୍ବାଚନୀ ଫାଇଦା ପାଇଁ ପଦମପୁରକୁ ନୂଆ ଜିଲ୍ଲା ମାନ୍ୟତା ଦେବାକୁ ଘୋଷଣା କରିଥିଲେ । କିନ୍ତୁ ରାଜ୍ୟର ଅନ୍ୟଭାଗରେ ସମାନ ଦାବି ଜୋର ଧରିବା ପରେ ଆଇନଗତ ସମସ୍ୟାର ବାହାନା ଦେଖାଇ ସେଥିରୁ ଦୂରେଇଯାଇଥିଲେ ।

Odisha BjD Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe