୧୪୬ ବିଧାନସଭା ପ୍ରଭାରୀ ଓ ସଂଯୋଜକଙ୍କ ନାଁ ଘୋଷଣା କଲା ବିଜେପି

କେବଳ ଭୁବନେଶ୍ୱର-ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀକୁ ଛାଡ଼ି ବାକି ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ବିଜେପି ଆଜି ତା’ର ପ୍ରଭାରୀ ଓ ସଂଯୋଜକଙ୍କ ନାଁ ଘୋଷଣା କରିଛି।

ମନମୋହନ ସାମଲ

  • Published: Tuesday, 27 February 2024
  • , Updated: 27 February 2024, 10:13 PM IST

କେବଳ ଭୁବନେଶ୍ୱର-ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀକୁ ଛାଡ଼ି ବାକି ସମସ୍ତ ବିଧାନସଭା କ୍ଷେତ୍ର ପାଇଁ ବିଜେପି ଆଜି ତା’ର ପ୍ରଭାରୀ ଓ ସଂଯୋଜକଙ୍କ ନାଁ ଘୋଷଣା କରିଛି । ଗତ ୭ତାରିଖରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା କ୍ଷେତ୍ର ପାଇଁ ପ୍ରଭାରୀ ଓ ସଂଯୋଜକଙ୍କ ନାଁ ବିଜେପି ଘୋଷଣା କରିଥିଲା । ଆଜି ରାଜ୍ୟ ବିଜେପିର ନିର୍ବାଚନ ପ୍ରସ୍ତୁତି ବୈଠକ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଓ ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଛି।

ଏହି ପ୍ରସ୍ତୁତି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ୨୦୨୪ ନିର୍ବାଚନ ପରିଚାଳନା ଓ ନିଶ୍ଚିତ ବିଜୟ ପାଇଁ କାର୍ଯ୍ୟଖସଡ଼ା ସମ୍ପର୍କରେ ଆଲୋଚନା ହୋଇଛି। ରାଜ୍ୟର ସମସ୍ତ ୨୧ଟି ସଂସଦୀୟ କ୍ଷେତ୍ର ଓ ୧୪୭ଟି ବିଧାନସଭା କ୍ଷେତ୍ରକୁ ୨ଜଣ ଲେଖାଏଁ ପର୍ଯ୍ୟବେକ୍ଷକ ପଠାଯିବ। ଆସନ୍ତା ୧ ତାରିଖ ପୂର୍ବରୁ ପ୍ରତି ସଂସଦୀୟ କ୍ଷେତ୍ର ପାଇଁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଦଳ ପକ୍ଷରୁ ପ୍ରସ୍ତାବିତ କରାଯିବ। ୨ତାରିଖରେ ୨୧ଟି ଲୋକସଭା ଓ ୧୪୭ଟି ବିଧାନସଭା କ୍ଷେତ୍ରର କୋର କମିଟି ଓ ନିର୍ବାଚନ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବ। ୩ତାରିଖରେ ହେବାକୁ ଥିବା ବୈଠକରେ ଏସବୁ ରିପୋର୍ଟ ଉପସ୍ଥାପିତ ହୋଇ ତା’ଉପରେ ଆଲୋଚନା କରାଯିବ। ସେହିପରି ୨୯ତାରିଖରେ ଭୁବନେଶ୍ୱରରେ ନିର୍ବାଚନୀ ଇସ୍ତାହାର କମିଟିର କାର୍ଯ୍ୟ ଆରମ୍ଭ ହେବ।

ରାଜ୍ୟ ସରକାରଙ୍କ ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ପ୍ରସଙ୍ଗରେ ଆଲୋଚନା କରାଯିବା ସହ ଅଭିଯୋଗପତ୍ର ସଂକଳ୍ପ କରାଯିବ । ସାଧାରଣ ଲୋକଙ୍କ ମତାମତ ଆହ୍ୱାନ କରାଯିବ ଓ ଏହାକୁ ଇସ୍ତାହାର ପ୍ରସ୍ତୁତିରେ ଗୁରୁତ୍ୱ ଦିଆଯିବ। ଦଳର ନିର୍ବାଚନ ଇସ୍ତାହାରରେ ସାଧାରଣ ଜନତାଙ୍କ ଭାଗିଦାରୀ ରହିବ ବୋଲି ଶ୍ରୀ ସାମଲ ସୂଚନା ଦେଇଛନ୍ତି।

Related story