Advertisment

ବିଜେଡି ନେତାଙ୍କ ଘରେ ମହିଳା ନିର୍ଯାତନା ଘଟଣାକୁ ଅସ୍ତ୍ର କଲା ବିଜେପି, ସ୍ମୃତି ପଟ୍ଟନାୟକ ପଚାରିଲେ ନବୀନ ଚୁପ୍ କାହିଁକି

ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧ ତାଲିକାରେ ଯୋଡ଼ି ହେଉଛି ବିଜେଡିର ଜଣକ ପରେ ଜଣେ ନେତା ମନ୍ତ୍ରୀଙ୍କ ନାଁ।

ଅଦ୍ୟତନ ହୋଇଛି
BJP has weaponized the incident of Torture of women

BJP has weaponized the incident of Torture of women

Advertisment

ରାଜ୍ୟରେ ବଢୁଥିବା ମହିଳା ବିରୋଧୀ ଅପରାଧ ତାଲିକାରେ ଯୋଡ଼ି ହେଉଛି ବିଜେଡିର ଜଣକ ପରେ ଜଣେ ନେତା ମନ୍ତ୍ରୀଙ୍କ ନାଁ। ଜଣକ ପରେ ଜଣେ ନେତା ମାମଲାରେ ଛନ୍ଦି ହେବା ପରେ ଦଳ ପାଇଁ ବଢୁଛି ଅଡୁଆ। ଯାହାକୁ ନେଇ ଦଳ ଓ ଦଳ ମୁଖିଆଙ୍କ ଚୁପ୍‌ଚାପ ଭାବମୂର୍ତ୍ତି ଅଲୋଚନାର ବିଷୟ ହୋଇଛି। ୨୪ ନିର୍ବାଚନ ଖୁବ୍‌ଶୀଘ୍ର ହେବାକୁ ଯାଉଥିବା ଅନୁମାନ କରାଯାଉଥିବା ବେଳେ ବିରୋଧୀଙ୍କ ପାଖରେ ଏହା ହିଁ ମୁଖ୍ୟ ଅସ୍ତ୍ର।

Advertisment

ଖାଲି ଅନଙ୍ଗ ଉଦୟ କି ଶଶିଭୂଷଣ ନୁହନ୍ତି, ମାଳ ମାଳ ନେତା ମନ୍ତ୍ରୀଙ୍କ ନାଁରେ ମାମଲା ଥାଇ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବିଜେଡି ମୁଖିଆ ନବୀନ ପଟ୍ଟନାୟକ, ତାକୁ ନେଇ ବି ଉଠିଲାଣି ପ୍ରଶ୍ନ। ଏସବୁ ଭିତରେ ଆଜି ବିରୋଧୀ ଅଭିଯୋଗ କରିଛନ୍ତି, ଏଠି ମହିଳା ସଶକ୍ତୀକରଣ ନାଁରେ ଶୋଷଣ ଚାଲିଛି। ମୁଖ୍ୟମନ୍ତ୍ରୀ ଚୁପ୍ କାହିଁକି।

ନଗଦରେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂ ଦେଓ ଏବଂ ବିଧାୟକ ଶଶିଭୂଷଣ ବେହେରାଙ୍କ ବିରୋଧରେ ବଧୂ ନିର୍ଯାତନା ଅଭିଯୋଗ ଆସିବା ଏବେ ରାଜ୍ୟ ରାଜନୀତିରେ ପାଲଟିଛି ବଡ଼ ପ୍ରସଙ୍ଗ। ସେହିପରି ନିକଟରେ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଥିବା ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦଳୀୟ ନେତ୍ରୀଙ୍କ ନିର୍ଯାତନା ଅଭିଯୋଗ ମାମଲା, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ପ୍ରେମ ଓ ପ୍ରତାରଣା ଅଭିଯୋଗ, ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀଙ୍କ ନିର୍ଯାତନା ଅଭିଯୋଗ, ମମିତା ମେହେର ହତ୍ୟା ପ୍ରସଙ୍ଗରେ ତତ୍କାଳୀନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ନୟାଗଡ଼ ପରୀ ହତ୍ୟାକାଣ୍ଡରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ଅଭିଯୋଗ ଆସିଥିଲା।

Advertisment

ଏ ତମାମ ମାମଲାକୁ ପ୍ରସଙ୍ଗ କରି ୨୪ ପାଇଁ ଷ୍ଟ୍ରାଟେଜି ପ୍ରସ୍ତୁତ କଲେଣି ବିରୋଧୀ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଟାର୍ଗେଟ୍ କରି କହିଥିଲେ, ମହିଳା ଓ ଏସ୍‌ଏଚ୍‌ଜି ମା’ମାନଙ୍କୁ ଅସମ୍ମାନ କରୁଛନ୍ତି। ଠିକ୍ ଏହା ପରେ ଅନଙ୍ଗଉଦୟ ଓ ଶଶିଭୂଷଣଙ୍କ ପରିବାରରେ ବଧୂ ନିର୍ଯାତନା ମାମଲା ସାମନାକୁ ଆସିବା ପରେ କାଉଣ୍ଟର ଆଟାକ୍ କରିଛନ୍ତି ବିରୋଧୀ।

ଆଜି ପ୍ରେସ୍‌ ମିଟ୍ କରି ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି, ମହିଳା ସଶକ୍ତିକରଣ ବାଟବଣା ହୋଇଛି। ମହିଳାଙ୍କ ଉପରେ ଶୋଷଣ ବଢ଼ିବାରେ ଲାଗିଛି। ବିଜେଡି ନେତାମାନଙ୍କ ଘରେ ଘଟୁଥିବା ଘଟଣା ଏହାର ନଗ୍ନ ଛବି। କିନ୍ତୁ ପ୍ରକୃତରେ ମହିଳାଙ୍କୁ ନ୍ୟାୟ ଦେବାରେ ବିଫଳ ନବୀନ ସରକାର। ବିଧାୟକ ଶଶୀଭୂଷଣ ବେହେରା ଓ ପୁଅ ବିରୋଧରେ ତାଙ୍କ ବୋହୂ ଯୌତୁକ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ସେହିପରି ଅର୍କେଶ ନାରାୟଣ ସିଂ ଦେଓଙ୍କ ନାଁ’ରେ ମଧ୍ୟ ସମାନ ଆଭିଯୋଗ ଆସିଛି। ଶାଶକ ଦଳର ନେତା ଓ ବିଧାୟକ ମାନେ ମଧ୍ୟ ମହିଳାଙ୍କୁ ନ୍ୟାୟ ଦେଇପାରୁ ନାହାନ୍ତି। ପୂର୍ବରୁ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କ ନାଁରେ ତାଙ୍କ ବାନ୍ଧବୀ ଯୌନ ନିର୍ଯାତନାର ଅଭିଯୋଗ ଆଣିଛନ୍ତି। ମହିଳାଙ୍କୁ ସମ୍ମାନ ଦେଉଥିବାର କଥା କହୁଥିବା ବିଜେଡି ମୁଖିଆଙ୍କ ଘର ଭିତରେ ଥିବା ନେତାଙ୍କ ଏହା ଅସଲ ଚେହେରା। ଏ ଦିଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ’ଣ ପଦକ୍ଷେପ ନେବେ? ସେ ଏ ବାବଦରେ ଜାଣିଛନ୍ତି ତ ? ସେ ଚୁପ କାହିଁକି ? ଏହି ଘଟଣାରେ ସେ କାର୍ଯ୍ୟାନୁଷ୍ଠାନ କାହିଁକି ନେଉ ନାହାଁନ୍ତି ? ବୋଲି ସ୍ମୃତି ପଟ୍ଟନାୟକ ପ୍ରଶ୍ନ କରିଛନ୍ତି।

ଏଥିସହ ବିଜେଡିକୁ କାଉଣ୍ଟର କରି ସ୍ମୃତି କହିଛନ୍ତି, ଅନଙ୍ଗ ଉଦୟ ସିଂ ଦେଓ ହେଉଛନ୍ତି ନବୀନଙ୍କ ବାଲ୍ୟବନ୍ଧୁ ଏବଂ ଶଶୀ ଭୂଷଣ ହେଉଛନ୍ତି ସହଯୋଗୀ। ତେଣୁ ମୁଖ୍ୟମନ୍ତ୍ରୀ ଚୁପ ରହିଛନ୍ତି କି ? ବିଜୁ ବାବୁଙ୍କ ରତ୍ନରେ ବିଜୟ ଶଙ୍କର ଦାସଙ୍କୁ ବିଭୂଷିତ କରଯାଉ। ମହିଳାଙ୍କୁ ନ୍ୟାୟ ନ ମିଳିଲେ ଦୁଇ ପୀଡିତଙ୍କ ସହିତ ଆଲୋଚନା କରି ବିଜେପି ରାଜରାସ୍ତାକୁ ଓହ୍ଲାଇବ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ନବୀନ ମହିଳାଙ୍କ ନିମନ୍ତେ କୁମ୍ଭୀର କାନ୍ଦଣା କାନ୍ଦନ୍ତି ନା ପ୍ରକୃତିରେ ମହିଳାଙ୍କ ସମ୍ମାନ ରକ୍ଷା ପ୍ରତି ତାଙ୍କର ଆନ୍ତରିକତା ଅଛି ବର୍ତ୍ତମାନର ଘଟଣା ଏହାକୁ ଲୋକ ଲୋଚନକୁ ଆଣିବ। 

ବିରୋଧୀଙ୍କ ଆରୋପର ଉତ୍ତର ରଖି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା କହିଛନ୍ତି, ଯେଉଁ ଘଟଣା ନଜରକୁ ଆସୁଛି ସାଙ୍ଗେସାଙ୍ଗେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଅନ୍ୟାୟ ହେଲେ ମୁଖ୍ୟମନ୍ତ୍ରୀ କାହାକୁ ଛାଡ଼ି ନାହାନ୍ତି, ଛାଡ଼ିବେନି ମଧ୍ୟ। ମହିଳାଙ୍କୁ ସ୍ୱାବଲମ୍ବି କରିବାକୁ ସଂରକ୍ଷଣ ବ୍ୟବସ୍ଥାରେ ମହିଳାଙ୍କୁ ୫୦ ପ୍ରତିଶତ ସ୍ଥାନ ସବୁଥିରେ ଦିଆଯାଉଛି। 

ଏ ସବୁ କାଉଣ୍ଟର ଓ ପ୍ରତିକାଉଣ୍ଟର ଭିତରେ ସବୁଠୁ ବଡ଼ କଥା ହେଲା ଏ ସବୁ ମାମଲାରେ ନବୀନଙ୍କ ନିରବତା। ପୂର୍ବ ୪ ପାଳିରେ ନିର୍ମଳ ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ବିବଦୀୟ ନେତାଙ୍କ ବିରୋଧରେ ନବୀନ କାର୍ଯ୍ୟାନୁଷ୍ଠାନ ନେଉଥିଲା ବେଳେ ପଞ୍ଚମ ପାଳିରେ କିନ୍ତୁ ଏକ ପ୍ରକାର ଚୁପ୍। ତେଣୁ ପ୍ରଶ୍ନ ଉଠୁଛି ଏ ସବୁ ମାମଲା ଦ୍ୱାରା ନବୀନଙ୍କ ଭାବମୂର୍ତ୍ତି କ୍ଷୂର୍ଣ୍ଣ ହେଉନି କି?

ମହିଳା ବିରୋଧୀ ଅପରାଧ ନେଇ ସରକାର ବିରୋଧରେ ଅସନ୍ତୋଷ ବଢୁଥିବାରୁ ନିକଟରେ ଦୁଇ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ସମୀର ରଞ୍ଜନ ଦାଶଙ୍କୁ ମନ୍ତ୍ରୀ ମଣ୍ଡଳରୁ ବାଦ ଦିଆଯାଇ ଭାବମୂର୍ତ୍ତି ସଜାଡିବାକୁ ବିଜେଡି ସୁପ୍ରିମୋ ଚେଷ୍ଟା କରୁଥିବା ଚର୍ଚ୍ଚା ହେଉଛି। ତେବେ ଆଗକୁ କାମ ଦେବ ତ ନବୀନଙ୍କ ମହିଳା କାର୍ଡ। ଏବେ ତାହା ଉପରେ ନଜର।

Crime Bjd Leader Bjp Bjd Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe