Advertisment

ବିବାଦରେ ବିଜେପି ପ୍ରାର୍ଥୀ: ମସଜିଦ୍‌କୁ ଇଙ୍ଗିତ କରି ତୀର ମାରିବା କଳା ଦେଖାଇଲେ!

ମସଜିଦକୁ ଲକ୍ଷ୍ୟ କରି ସେ ତୀର ମାରିବାର କଳା ଦେଖାଇବାରୁ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Hyderabad

Hyderabad

ବିବାଦରେ ବିଜେପିର ହାଇଦ୍ରାବାଦ ଲୋକସଭା ପ୍ରାର୍ଥୀ ମାଧବୀ ଲତା। ସେ ପ୍ରଚାର ବେଳେ ଗୋଟିଏ ମସଜିଦ ନିକଟରେ ତୀର ମାରିବା ଭଳି ଆଚରଣ ପ୍ରଦର୍ଶନ କରିଛନ୍ତି।

Advertisment

ମସଜିଦକୁ ଲକ୍ଷ୍ୟ କରି ସେ ତୀର ମାରିବାର କଳା ଦେଖାଇବାରୁ ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଛି। ମାଧବୀ ଲତାଙ୍କ ଏପରି ଆଚରଣ ଅତ୍ୟନ୍ତ ଆପତ୍ତିଜନକ, ଅଭଦ୍ର ଓ ଉତ୍ତେଜନା ସୃଷ୍ଟିକାରୀ ବୋଲି ହାଇଦ୍ରାବାଦର ସାଂସଦ ତଥା ଏଆଇଏମଆଇଏମ ଅସାଦୁଦ୍ଦିନ ଓୱେସୀ କହିଛନ୍ତି।

ରାମ ନବମୀ ପାଇଁ ବୁଧବାର ବିଜେପି ରାଲି କରୁଥିବା ବେଳେ ହାଇଦ୍ରାବାଦର ବିଜେପି ପ୍ରାର୍ଥୀ ମାଧବୀ ଲତା ଏପରି ଆଚରଣ ପ୍ରଦର୍ଶନ କରିଛନ୍ତି। ୨୦୦୪ରୁ ଓୱେସୀ ଏଠାରେ ଜିତି ଆସୁଥିବା ବେଳେ ୧୯୮୯ରୁ ତାଙ୍କ ବାପା ସୁଲତାନ ସଲାଉଦ୍ଦିନ ବିଜୟୀ ହେଉଥିଲେ।

Advertisment

ତୀର ମାରିବା ଆଚରଣ ପ୍ରଦର୍ଶନ କରିବା ଘଟଣାକୁ ନେଇ ବିବାଦ ତୀବ୍ର ହେବା ମାଧବୀ ଲତା ଏକ୍ସ ଯୋଗେ ଗୁରୁବାର କ୍ଷମା ମାଗିଛନ୍ତି। ସେ କହିଛନ୍ତି, “ଯଦି କେହି ଏଥିରେ ଆଘାତ ପାଇଛନ୍ତି, ତା’ହେଲେ ମୁଁ କ୍ଷମା ମାଗୁଛି। କିନ୍ତୁ ଭାଇରାଲ କରାଯାଉ ଥିବା ଭଡିଓ ଅସଂପୂର୍ଣ୍ଣ।”

ଭାଇରାଲ ହେଉଥିବା ୧୦ ସେକେଣ୍ଡର ଭିଡିଓରେ ଦେଖିବାକୁ ମୁଳୁଛି ଯେ ମାଧବୀ ଲତା ଗେରୁଆ ବସ୍ତ୍ର ପରିଧାନ କରିବା ସହ ଗେଣ୍ଡୁ ମାଳ ପକାଇଛନ୍ତି। ତାଙ୍କ ପାଖରେ ଧନୁ-ତୀର ନଥିଲେ ହେଁ ସେ ଏହାର କୌଶଳ ସମସ୍ତଙ୍କୁ ଦେଖାଇଥିଲେ। ସେ ନିକଟରେ ଥିବା ମସଜିଦ ଆଡ଼କୁ ଇଙ୍ଗିତ କରି ଅଦୃଶ୍ୟ ତୀର ମାରିଥିଲେ।

ମାଧବୀ ଲତା କହିଛନ୍ତି, “ମୋ ସମ୍ପର୍କରେ ଖରାପ ଧାରଣା ସୃଷ୍ଟି କରିବା ପାଇଁ ଗୋଟିଏ ଭିଡିଓ ଭାଇରାଲ କରାଯାଉଛି। ମୁଁ ଏଠାରେ ସ୍ପଷ୍ଟ କରିବାକୁ ଚାହେଁ ଯେ ଏହା ଅସଂପୂର୍ଣ୍ଣ ଭିଡିଓ। ଯଦି ଏପରି ଭିଡିଓ ପାଇଁ କେହି ଆଘାତ ପାଇଛନ୍ତି, ତା’ହେଲେ ମୁଁ ସେମାନଙ୍କୁ କ୍ଷମା ମାଗିବାକୁ ପ୍ରସ୍ତୁତ।

ବିଜେପି ବିରୋଧରେ ଷଡ଼ଯନ୍ତ୍ର ଚାଲିଛି। କାରଣ ଆମେ ଉଭୟ ହିନ୍ଦୁ ଓ ମୁସିଲମ ଲୋକଙ୍କ ପାଇଁ କାମ କରୁଛି। ମୁଁ ତୀର ମାରିବାର ଅଦୃଶ୍ୟ କଳା ଦେଖାଇବା ବେଳେ କେଉଁଠୁ ମସଜିଦ ଆସିଲା? ରାମ ନବମୀ ରାଲିରେ ମୁଁ ଆକାଶକୁ ଲକ୍ଷ୍ୟ କରି ତୀର ମାରିବା କଳା ଦେଖାଉଥିଲେ।

ମୁଁ ଗୋଟିଏ ବିଲଡିଂ ଆଡ଼କୁ ଅଦୃଶ୍ୟ ତୀର ମାରିଥିଲି। ସେଠାରେ ମସଜିଦ ଆସିଲା କୁଆଡ଼ୁ? ଏହି ଲୋକମାନେ (ଏଆଇଏମଆଇଏ) ସବୁବେଳେ ବିଜେପି ନେତାମାନଙ୍କୁ ସାଇଡ କରିବାକୁ ଏପରି ଘୃଣା ମନ୍ତବ୍ୟ ଦିଅନ୍ତି। ସେମାନେ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚାହାନ୍ତି। ଏହା ଏକ ଷଡ଼ଯନ୍ତ୍ର।”

ଅନ୍ୟପକ୍ଷରେ ଓୱେସୀ କହିଛନ୍ତି, “ହାଇଦ୍ରାବାଦର ଲୋକମାନେ ବିଜେପିର ଉଦ୍ଦେଶ୍ୟ ଜାଣି ସାରିଲେଣି। ସେମାନେ ବିଜେପି ଓ ଆରଏସ୍‌ଏର ଅଭଦ୍ର ଓ ଉତ୍ତେଜନାପୂର୍ଣ୍ଣ କାର୍ଯ୍ୟକୁ ଗ୍ରହଣ କରିବେ ନାହିଁ। ଏହି ବିକଶିତ ଭାରତ ସମ୍ପର୍କରେ କ’ଣ ବିଜେପି କହୁଛି? ନିର୍ବାଚନ ତା’ ବାଟରେ ହେବ। କିନ୍ତୁ ତେଲଙ୍ଗାନା ଓ ହାଇଦ୍ରାବାଦରେ ଶାନ୍ତି ବଜାୟୀ ରହିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଆଶା ତେଲଙ୍ଗାନା ବିଜେପି ବିରୋଧରେ ଭୋଟ ଦେବ। କାରଣ ବିଜେପି ଶାନ୍ତି ପ୍ରତିଷ୍ଠା ବିରୋଧୀ।” ଏଆଇଏମଆଇଏମ ମଧ୍ୟ ନିର୍ବାଚନ କମିଶନଙ୍କୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ଆସନ୍ତା ମେ’ ୧୭ ତାରିଖରେ ତେଲଙ୍ଗାନାର ସମସ୍ତ ୧୭ଟି ଆସନରେ ମତଦାନ ହେବ। ୨୦୧୯ରେ ବିଜେପି ଏଠାରେ ୪ଟି ଆସନ ଜିତିଥିବା ବେଳେ କଂଗ୍ରେସ ୩ଟି, ବିଆରଏସ୍‌ ୯ଟି ଓ ଓୱେସୀଙ୍କ ପାର୍ଟି କେବଳ ହାଇଦ୍ରାବାଦରେ ବାଜିମାତ କରିଥିଲା।

Bjp Hyderabad Asaduddin Owaisi