ଓଡ଼ିଶାରେ ନିର୍ବାଚନ ପ୍ରଚାର ମଇଦାନରେ ବିଜେପିର ଶୀର୍ଷ ନେତୃତ୍ୱ, ବିଜେଡିର ଚିନ୍ତା ବଢ଼ିଲା

ଆଜି ଗୋଟିଏ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ଚାଣକ୍ୟ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜ୍ୟରେ ପ୍ରଚାରର ମଙ୍ଗ ଧରିଛନ୍ତି

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ

  • Published: Wednesday, 15 May 2024
  • , Updated: 15 May 2024, 08:25 PM IST

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରକୁ ସରଗରମ କରିଛି ବିଜେପି । ନିଜର ଶୀର୍ଷ ନେତୃତ୍ୱଙ୍କୁ ନିର୍ବାଚନ ମଇଦାନରେ ପ୍ରଚାର ପାଇଁ ଓହ୍ଲାଇଛି ଦଳ । ବିଜେପି ନେତୃତ୍ୱଙ୍କ ଏଭଳି ଘନଘନ ଗସ୍ତ ଓ ଆକ୍ରମଣାତ୍ମକ ପ୍ରଚାର ବିଜେଡିର ଚିନ୍ତା ବଢ଼ାଇଛି । ବିଜେପି ରାଜ୍ୟରେ ନିର୍ବାଚନୀ ପ୍ରଚାରକୁ ତ୍ୱରାନ୍ୱିତ କରି ଡବଲ ଇଞ୍ଜିନ ସରକାର ଗଢ଼ିବ ବୋଲି ପ୍ରତିବଦ୍ଧତା ଜାହିର କରିଛି । ବିଜେଡିର ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକା ଥିଲେ ମଧ୍ୟ ଦଳ କେବଳ ଭିକେ ପାଣ୍ଡିଆନଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି । ନବୀନ ମଧ୍ୟ ପୂର୍ବ ନିର୍ବାଚନଗୁଡ଼ିକ ତୁଳନାରେ ଚଳିତଥର କମ୍ ପରିମାଣରେ ପ୍ରଚାର ମଇଦାନକୁ ଓହ୍ଲାଉଥିବା ଦେଖିବାକୁ ମିଳିଛି । ବିଜେପିର ଆକ୍ରମଣାତ୍ମକ ଆଭିମୁଖ୍ୟ ଓ କେନ୍ଦ୍ରୀୟ ନେତାମାନଙ୍କ ପ୍ରଚାର ଏବେ ବିଜେଡିର ଅଡ଼ୁଆ ବଢ଼ାଇବାରେ ଲାଗିଛି ।

ସୂଚନା ଅନୁସାରେ, ଆଜି ଗୋଟିଏ ଦିନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ବିଜେପି ଚାଣକ୍ୟ ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ୍ ଶାହ, ଲୋକସଭା ବାଚସ୍ପତି ଓମ୍ ବିର୍ଲା ରାଜ୍ୟରେ ପ୍ରଚାରର ମଙ୍ଗ ଧରିଛନ୍ତି । ଆସନ୍ତାକାଲି ଅର୍ଥାତ୍ ୧୬ତାରିଖରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଓ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ନିର୍ବାଚନ ମଇଦାନକୁ ଓହ୍ଲାଇବେ । ସେହିପରି ୧୭ତାରିଖରେ ସାଂସଦ ହେମାମାଳିନୀ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ ବିଜେପି ଚାଣକ୍ୟ ଶ୍ରୀ ଶାହ ମଧ୍ୟ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ ବୋଲି ଜଣାପଡ଼ିଛି ।

ଆଜି ଦିନକିଆ ଗସ୍ତରେ ଆସିଥିବା ବିଜେପି ଚାଣକ୍ୟ ଶ୍ରୀ ଶାହ ଆସିକା ଲୋକସଭା ମଣ୍ଡଳୀର ସୋରଡ଼ାଠାରେ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବା ପରେ କଟକରେ ବିଶାଳ ରୋଡ୍ ଶୋ’ କରିଛନ୍ତି । ଶ୍ରୀ ଶାହ ଆଜି ଫେରି ଯାଇଥିଲେ ମଧ୍ୟ ପୁଣିଥରେ ୧୭ତାରିଖରେ ଓଡ଼ିଶା ଆସି ରାଉରକେଲାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବାର କାର୍ଯ୍ୟକ୍ରମ ରହିଛି ।

ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ମହିଳା ସମାବେଶରେ ସାମିଲ ହୋଇଛନ୍ତି । ସେ ଆସନ୍ତାକାଲି ସକାଳେ ଭୁବନେଶ୍ୱରର ମାଉସୀମା’ ଛକଠୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ଶୋ’ କରିବା ପରେ ବରଗଡ଼ର ପଦମପୁର ଓ ସୁନ୍ଦରଗଡ଼ଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ।

ସେହିପରି ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଲୋକସଭା ବାଚସ୍ପତି ଓମ୍ ବିର୍ଲା ଆଜି ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । ସେ ଆସନ୍ତାକାଲି ଝାରସୁଗୁଡ଼ା ଓ ସମ୍ବଲପୁରଠାରେ ଦଳର ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିବେ। ସେହିପରି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ବ୍ରଜରାଜନଗର, ବଣାଇ ଏବଂ ବରଗଡ଼ର ଅତାବିରାଠାରେ ଏବଂ ସଂଧ୍ୟାରେ ଜଟଣୀଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ। ସେ ୧୭ତାରିଖରେ କବିସୂର୍ଯ୍ୟନଗର, କଂଟାବାଞ୍ଜି,ଲୋଇସିଂହା ଏବଂ ସଂଧ୍ୟାରେ ଡେଲାଙ୍ଗ-କଣାସଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଆସନ୍ତାକାଲି ୧୬ ତାରିଖରେ ବିଜେପୁର, ବୀରମହାରାଜପୁରଠାରେ ଏବଂ ୧୭ ତାରିଖରେ ତଳସରା, ସୁନ୍ଦରଗଡ଼ ଏବଂ ରାଜଗାଙ୍ଗପୁରଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବେ ବୋଲି ଜଣାପଡ଼ିଛି । କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆସନ୍ତାକାଲି ୧୬ ତାରିଖ ଦିନ ହିଂଜିଳିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ ବୋଲି ଜଣାପଡ଼ିଛି।

ସେହିପରି ୧୭ତାରିଖରେ ସାଂସଦ ହେମାମାଲିନୀ ଓଡ଼ିଶା ଗସ୍ତରେ ଆସି ପ୍ରଥମେ ଭୁବନେଶ୍ୱରର ସାଲିଆ ସାହିଠାରେ, କଟକ ସଦର ନିର୍ବାଚନମଣ୍ଡଳୀର କିଶୋରନଗରଠାରେ, ପିପିଲିଠାରେ ଅନୁଷ୍ଠିତ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିବେ। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ୍ ଶର୍ମା ଓଡ଼ିଶା ଆସି ସାନଖେମୁଣ୍ଡି, ଦଶପଲ୍ଲା ଏବଂ ଜି.ଉଦୟଗିରିଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ଓଡ଼ିଶାରେ ନିର୍ବାଚନୀ ପ୍ରଚାର ମଇଦାନକୁ ୧୭ତାରିଖରେ ଓହ୍ଲାଇବେ ବୋଲି ଜଣାପଡ଼ିିଛି। ସେ ୧୭ତାରିଖରେ କଟକର ନରସିଂହପୁର, ଆଠଗଡ଼ଠାରେ ଏବଂ ୧୮ ତାରିଖରେ ବଣାଇ ଓ ସୁନ୍ଦରଗଡ଼ଠାରେ ଅନୁଷ୍ଠିତ ନିର୍ବାଚନୀସ ଭାରେ ସାମିଲ ହେବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସି ଏକ ତାରକା ହୋଟେଲରେ ସାମ୍ବାଦିକ ସମ୍ମିଳନୀ କରିବେ । ଅପରାହ୍ନରେ ଫୁଲବାଣୀଠାରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ ।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ରୋଡ୍ ଶୋ’ କରିବାର କାର୍ଯ୍ୟକ୍ରମ ରହିଛି । ୧୭ତାରିଖରେ ନବୀନ ସମ୍ବଲପୁର, ରେଢ଼ାଖୋଲ, ଅନୁଗୁଳ ଓ ଢେଙ୍କାନାଳରେ ନିର୍ବାଚନୀ ସଭାରେ ଯୋଗ ଦେବେ ବୋଲି ଜଣାପଡ଼ିଛି ।

Related story