Advertisment

ଅଫେରା ପଥରେ ବିଜେପିର ଭେଟ୍‌ରାନ୍‌ ଲିଡର ସମୀର ଦେ

ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ।

ଅଦ୍ୟତନ ହୋଇଛି
Samir Dey

Samir Dey

Advertisment

ଆରପାରିକୁ ଚାଲିଗଲେ ପୂର୍ବତନ ମନ୍ତ୍ରୀ ସମୀର ଦେ’। କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷରେ ହୋଇଥିଲା। ପରଲୋକ ନେଇ ଘରୋଇ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Advertisment

କଟକର ଟାଣୁଆ ନେତା ତଥା ପୂର୍ବତନ ନଗର ଉନ୍ନୟନ ଓ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ନିମୋନିଆ, କିଡ୍‌ନୀ, ରକ୍ତଚାପ ଜନିତ ରୋଗରେ ଆକ୍ରାନ୍ତ ହୋଇଥିଲେ। ଡାକ୍ତରଙ୍କ ଆପ୍ରାଣ ଉଦ୍ୟମ ସତ୍ତ୍ୱେ ଆଜି ଆଖି ବୁଜିଛନ୍ତି ବିଜେପିର ଏହି ଭେଟ୍‌ରାନ୍‌ ନେତା। ତାଙ୍କ ବିୟୋଗରେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। 

ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ୱର୍ଗତ ଦେ ଜଣେ ଲୋକପ୍ରିୟ ଜନ ନେତା ଓ ଦୃଢ଼ ସଂଗଠକ ଥିଲେ। ଉଚ୍ଚ ଶିକ୍ଷା ଓ ନଗର ଉନ୍ନୟନ ମନ୍ତ୍ରୀ ଭାବରେ ସେ ରାଜ୍ୟର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରଖି ଯାଇଛନ୍ତି। ତାଙ୍କର ମିଷ୍ଟଭାଷୀ ବ୍ୟକ୍ତିତ୍ଵ ପାଇଁ ସେ ସବୁ ବର୍ଗର ଲୋକଙ୍କର ପ୍ରିୟପାତ୍ର ଥିଲେ। କଟକ ସହର ସହିତ ସାରା ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ସୁଦୃଢ କରିବାରେ ତାଙ୍କର ଗୁରୁତ୍ଵପୂର୍ଣ୍ଣ ଭୂମିକା ଥିଲା। ତାଙ୍କର ଶେଷ କୃତ୍ୟ ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସମୀର ଦେ’ଙ୍କ ପରଲୋକରେ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ ପ୍ରକାଶ କରିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ, ବିରୋଧୀଦଳ ନେତା ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ସାଂସଦ ବୈଜୟନ୍ତ ପଣ୍ଡା, ସାଂସଦ ଭର୍ତ୍ତୃହରି ମହତାବ, ବରିଷ୍ଠ ନେତା ସମୀର ମହାନ୍ତି ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

 

ସମୀର ଦେ ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଜେପି ଟିକେଟରେ କଟକ ସିଟି ବିଧାନସଭା ଆସନରୁ ଲଗାତାର ତିନି ଥର ବିଜୟୀ ହୋଇଥିଲେ। ୧୯୯୫, ୨୦୦୦ ଓ ୨୦୦୪ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ସମୀର ଦେ। ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ସେହିପରି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସେ ଉଚ୍ଚଶିକ୍ଷା ମନ୍ତ୍ରୀ ହୋଇଥିଲେ।

ଖାନ୍‌ନଗର ମଶାଣିରେ ହେବ ସମୀର ଦେ’ଙ୍କ ଶେଷକୃତ୍ୟ

କଟକ ଖାନ୍‌ନଗର ମଶାଣିରେ ହେବ ସମୀର ଦେ’ଙ୍କ ଶେଷକୃତ୍ୟ। କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଏନେଇ ସୂଚନା ଦେଇଛନ୍ତି। ସ୍ୱର୍ଗତ ଦେ’ଙ୍କ ମରଶରୀର ପ୍ରଥମେ ଓଡ଼ିଶା ବିଧାନସଭାକୁ ନିଆଯିବ। ସେଠାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯିବ। ସେଠାରେ ଦଳୀୟ କର୍ମକର୍ତ୍ତା ଶେଷ ଦର୍ଶନ କରିବେ। ତା’ପରେ ମରଶରୀରକୁ କଟକ ପୈତୃକ ଘରକୁ ଅଣାଯିବ। ସେଠାରୁ ଖାନ୍‌ନଗର ମଶାଣି ନିଆଯିବ। ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ କରାଯିବ।

Bjp Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe