Advertisment

କେଜ୍ରିୱାଲଙ୍କ ପାଖକୁ ଆମ୍ବୁଲାନ୍ସ ପଠାଇଲେ ବିଜେପି ନେତା ବିଜୟ ଗୋଏଲ

ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ନେଇ କେଜ୍ରିୱାଲ ସୁପ୍ରିମକୋର୍ଟରେ କହିବା ପରେ ତାଙ୍କ ପାଖକୁ ଆମ୍ବୁଲାନ୍ସ ପଠଇଛନ୍ତି ବିଜୟ ଗୋଏଲ।

author-image
Debibandita Barick
Arvind Kejriwal

Arvind Kejriwal

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ଅରବିନ୍ଦ କେଜ୍ରିୱାଲଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପଠାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ଗୋଏଲ। ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଥିବା ନେଇ କେଜ୍ରିୱାଲ ସୁପ୍ରିମକୋର୍ଟରେ କହିବା ପରେ ଆଜି ବିଜେପି ନେତା ତାଙ୍କ ପାଖକୁ ଏକ ଆମ୍ବୁଲାନ୍ସ ପଠାଇଛନ୍ତି।

Advertisment

ତେବେ ଦିଲ୍ଲୀ ପୁଲିସ ଲାଇନରେ ଥିବା କେଜ୍ରିୱାଲଙ୍କ ବାସଭବନକୁ ଆମ୍ବୁଲାନ୍ସ ଏବଂ ବିଜୟ ଗୋଏଲ ଯିବା ସମୟରେ ପୁଲିସ ଅଟକାଇଥିବା ଜଣାପଡ଼ିଛି।

ପ୍ରକାଶ ଥାଉକି, ଦିଲ୍ଲୀ ଅବକାରୀ ନୀତିରେ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମାର୍ଚ୍ଚରେ ଗିରଫ କରିଥିବା ବେଳେ ସେ ତିହାର ଜେଲରେ ଥିଲେ। ଲୋକସଭା ନିର୍ବାଚନ ପ୍ରଚାର ପାଇଁ ମେ' ୧୦ରେ ତାଙ୍କୁ ଅନ୍ତରୀଣ ଜାମିନ ମିଳିଥିଲା।

Advertisment

ସର୍ତ୍ତ ଅନୁସାରେ ଜୁନ୍ ୨ରେ କେଜ୍ରିୱାଲ ଜେଲ୍ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିବେ। କିନ୍ତୁ ଏହା ପୂର୍ବରୁ ମେ ୨୬ରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଜାମିନକୁ ଆଉ ୭ ଦିନ ଘୁଞ୍ଚାଇବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ କେଜ୍ରିୱାଲ। ତାଙ୍କର PET-CT ସ୍କାନ୍ ସମେତ ଅନ୍ୟାନ୍ୟ ଡାକ୍ତରୀ ପରୀକ୍ଷା କରାଇବାକୁ ଥିବା ସେ ଆବେଦନରେ ଉଲ୍ଲେଖ କରିଥିଲେ।

କିନ୍ତୁ ଏହି ଆବେଦନ ଉପରେ ସୁପ୍ରିମକୋର୍ଟ ତୁରନ୍ତ ଶୁଣାଣି କରିବାକୁ ମନା କରିଦେବା ପରେ ତଳ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କେଜ୍ରିୱାଲ। ଗତକାଲି ଏହି ଆବେଦନ ଉପରେ ଶୁଣାଣି ହୋଇଥିବା ବେଳେ ଆଜି ମଧ୍ୟ ବିଚାର ଚାଲିଛି। 

ସେପଟେ ଗୋଏଲ ଅଭିଯୋଗ କରିଛନ୍ତି ଯେ, ଲୋକଙ୍କ ସହାନୁଭୂତି ପାଇବା ପାଇଁ କେଜ୍ରିୱାଲ ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଡ୍ରାମା କରୁଛନ୍ତି। ଏଥିପାଇଁ ତାଙ୍କ ପାଖକୁ ଆମ୍ବୁଲାନ୍ସ ପଠାଯାଇଛି। ଏହି ଆମ୍ବୁଲାନ୍ସ ତାଙ୍କୁ ଯେକୌଣସି ଡାକ୍ତରଖାନାକୁ ନେଇଯିବ, ଯେଉଁଠାରେ ସେ ଦୁଇ ଘଣ୍ଟା ମଧ୍ୟରେ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଇପାରିବେ।

 ମୁଖ୍ୟମନ୍ତ୍ରୀ ଡ୍ରାମା ନ କରି ଯଦି ତାଙ୍କ ସ୍ୱାସ୍ଥ୍ୟ ପ୍ରତି ଚିନ୍ତିତ ତେବେ ତାଙ୍କ ସହ ଡାକ୍ତରଖାନା ଚାଲନ୍ତୁ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ କହିଛନ୍ତି ଗୋଏଲ। 

Arvind Kejriwal Delhi Liquor Policy Scam Vijay Goel