Advertisment

କାନ୍ଦି ପକାଇଲେ ବିଜେପି ଏମ୍‌ପି, କହିଲେ- ପଶ୍ଚିମବଙ୍ଗ ଝିଅଙ୍କ ଉପରେ ବି ହେଉଛି ପଶୁ ପରି ଅତ୍ୟାଚାର

ପଶ୍ଚିମବଙ୍ଗରେ ବି ମୁଣ୍ଡରେ ବନ୍ଧୁକ ରଖି ମହିଳାଙ୍କୁ ଉଲଗ୍ନ କରି ସର୍ବ ସମ୍ମୁଖରେ ଅସଦାଚରଣ କରାଯାଉଛି।

author-image
Niharika Rout
Bjp MP Locket Chatterjee

Bjp MP Locket Chatterjee

ପଶ୍ଚିମବଙ୍ଗରେ ବି ଘଟୁଛି ମଣିପୁର ପରି ଘଟଣା। ପଶ୍ଚିମବଙ୍ଗରେ ବି ମହିଳାଙ୍କ ଉପରେ ଖୁଲମଖୁଲା ହେଉଛି ଅକଥନୀୟ ନିର୍ଯାତନା। ସେଠାରେ ବି ମୁଣ୍ଡରେ ବନ୍ଧୁକ ରଖି ମହିଳାଙ୍କୁ ଉଲଗ୍ନ କରି ସର୍ବ ସମ୍ମୁଖରେ ଅସଦାଚରଣ କରାଯାଉଛି। ହେଲେ ପଶ୍ଚିମବଙ୍ଗରେ ଘଟୁଥିବା ଏପରି ଅମାନବୀୟ ଘଟଣାର ଭିଡିଓ ସାମନାକୁ ଆସୁ ନ ଥିବାରୁ ସେଠାକାର ମହିଳା କେଉଁ ପରିସ୍ଥିତି ଦେଇ ଗତି କରୁଛନ୍ତି ତାହା କେହି ଜାଣି ପାରୁ ନାହାନ୍ତି। ହେଲେ ସେଠାରେ ମହିଳାଙ୍କ ବଞ୍ଚିବା ନର୍କ ପାଲଟି ଯାଇଛି ବୋଲି କାନ୍ଦି କାନ୍ଦି କହିଛନ୍ତି ପଶ୍ଚିମବଙ୍ଗର ବିଜେପି ଏମ୍‌ପି ଲକେଟ ଚାଟାର୍ଜୀ।

Advertisment

ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ମଣିପୁର ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ହେଲେ ଆମେ ବି କମ୍‌ କଷ୍ଟ ସହୁନୁ। ମଣିପୁରରେ ମହିଳାଙ୍କ ଉପରେ ଅକଥନୀୟ ନିର୍ଯାତନା ଘଟିଥିବା ବେଳେ ସମଗ୍ର ଦେଶ ଏହା ବିରୋଧରେ ସ୍ୱର ଉତ୍ତୋଳନ କରୁଛି। ହେଲେ ଆମ ରାଜ୍ୟର ମହିଳା ବି କିଛି କମ୍‌ ନିର୍ଯାତନାର ଶିକାର ହେଉ ନାହାନ୍ତି। ସେମାନଙ୍କ ଉପରେ ବି ପଶୁ ପରି ଅତ୍ୟାଚାର କରାଯାଉଛି।

ଗତ ୮ ତାରିଖରେ ପଞ୍ଚାୟତ ନିର୍ବାଚନ ବେଳେ ଜଣେ ମହିଳା ପ୍ରାର୍ଥୀଙ୍କୁ ବୁଥ୍‌ ଭିତରେ ବିବସ୍ତ୍ର କରି ସର୍ବସମ୍ମୁଖରେ ଅସଦାଚରଣ କରିବାକୁ ପଛାଇଲେ ନାହିଁ କିଛି ଲୋକ । ୧୧ ଜୁଲାଇରେ ଗଣତି ଦିନ ଟିଏମ୍‌ସିର ଜଣେ ମହିଳା ପ୍ରାର୍ଥୀଙ୍କ ଉପରେ ଅତ୍ୟାଚାର କରାଗଲା। ଏନେଇ ଏଫଆଇଆର ରୁଜୁ ହୋଇଛି। ହେଲେ ସେଠାକାର ଭିଡିଓ ଭାଇରାଲ ହୋଇ ପାରୁନି। କାରଣ ସେଠାରେ କାଉଣ୍ଟିଂ ରୁମ୍‌କୁ ଅବାଧରେ ଲୋକେ ବନ୍ଧୁକ, ବମ୍‌ ଧରି ପଶୁଥିଲେ।

Advertisment

ସେଠାରେ ବନ୍ଧୁକ ମୁନରେ ମହିଳାଙ୍କୁ ବିବସ୍ତ୍ର କରି ପଶୁ ପରି ଅତ୍ୟାଚାର କରାଯାଇଛି। କାଳିଆଗଞ୍ଜରେ ଜଣେ ଦଳିତ ମହିଳାଙ୍କ ଉପରେ ଅତ୍ୟାଚାର କରି ହତ୍ୟା କରି ଫୋପାଡ଼ି ଦେଲେ। ଜଣେ ମହିଳା ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଚୁଟି ଟାଣି ଟାଣି ବାହାରେ ଫୋପାଡ଼ି ଦିଆଗଲା। ପୁଲିସ୍‌ ସବୁ ଦେଖି ବି ଚୁପ୍‌ ରହିଲା। ଏସବୁର ଭିଡିଓ ଭାଇରାଲ ନ ହେଲେ କ’ଣ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବନି ବୋଲି ପଚାରିଛନ୍ତି ଲକେଟ ଚାଟାର୍ଜୀ।

ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହେବା ପରଠୁ ରାଜ୍ୟରେ ମହିଳାମାନେ ସୁରକ୍ଷିତ ନୁହନ୍ତି। ସେଠାରେ ମହିଳାଙ୍କ ଉପରେ ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲିଥିବା ବେଳେ ମୁଖ୍ୟମନ୍ତ୍ରୀ କିନ୍ତୁ ଚୁପ୍‌ ବସିଛନ୍ତି। ତେଣୁ ଆମେ ନ୍ୟାୟ ଓ ସୁରକ୍ଷା ପାଇଁ କେଉଁଠିକୁ ଯିବୁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପରେ ମୁଖ୍ୟମନ୍ତ୍ରୀ କହିଲେ, ପଞ୍ଚାୟତ ନିର୍ବାଚନ ଶାନ୍ତିପୂର୍ଣ୍ଣ ଥିଲା। କିଛି ସ୍ଥାନରେ ଛୋଟ ମୋଟ ହିଂସାକାଣ୍ଡ ଘଟିଥିବା କହି ସେ ନିଜ ଦାୟିତ୍ୱ ସାରିଦେଲେ। ରାଜ୍ୟରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ସବୁବେଳେ ତାଙ୍କୁ ଛୋଟ ଘଟଣା ପରି ଦୃଶ୍ୟମାନ ହୁଏ। କେନ୍ଦ୍ର କୌଣସି ଅଭିଯୋଗର ଯାଞ୍ଚ କଲେ ରାଜ୍ୟ କିଛି ବି ସହଯୋଗ କରୁନି। ତେଣୁ ପୀଡ଼ିତା ନ୍ୟାୟ ପାଇ ପାରୁ ନାହାନ୍ତି।

ମୁର୍ଶିଦାବାଦ, ହୁଗଳି, ଉତ୍ତର ୨୪ ପ୍ରଗଣା, ଦକ୍ଷିଣ ୨୪ ପ୍ରଗଣା, ଆଲିପୁର ଆଦି ରାଜ୍ୟର ସମସ୍ତ ଅଞ୍ଚଳରେ ମହିଳାଙ୍କ ଉପରେ ନିର୍ଯାତନା ଦିଆଯାଉଛି। ନିର୍ବାଚନରେ ବାଲାଟ ବାକ୍ସ ନେଇ ବାହାରେ ଫୋପାଡ଼ି ଦିଆଯାଇଥିବା ବେଳେ ଶାସକ ଦଳର ପ୍ରାର୍ଥୀ କିନ୍ତୁ ବିଜେତା ଘୋଷିତ ହେଲେ।

ଗତ ନିର୍ବାଚନରେ ବିଜେପି କର୍ମୀ ରାଜ୍ୟରେ ଆକ୍ରମଣ ଶିକାର ହୋଇଛନ୍ତି। ଭୋଟ ବେଳେ ସେଠାରେ ଖୁଲମଖୁଲା ବୁଥ୍‌ ଟାମ୍ପରିଂ କରାଗଲା। କାଉଣ୍ଟିଂ ରୁମ୍‌କୁ ବନ୍ଧୁକ, ବମ୍‌ ଧରି ଲୋକା ପଶିଲେ।

 ଏହାପରେ ଗତକାଲି ରାଜ୍ୟରେ ଟିଏମ୍‌ସି ପକ୍ଷରୁ ସହୀଦ ଦିବସ ପାଳନ କରାଯାଇଥିବା ବେଳେ ଉକ୍ତ ବନ୍ଧୁକଧାରୀ ଲୋକଙ୍କୁ ଆୟୋଜିତ ସଭାରେ ଦେଖିବାକୁ ମିଳିଲା। ରାଜ୍ୟରେ ଖୁଲମଖୁଲା ଗଣତନ୍ତ୍ରକୁ ହତ୍ୟା କରାଯାଉଥିବା ବେଳେ ଏହାକୁ ବିରୋଧ କରିବାକୁ କେହି ସାହସ କରି ପାରୁ ନାହାନ୍ତି। ସମସ୍ତେ ଚୁପଚାପ୍‌ ।

ତେଣୁ ମଣିପୁର ପରି ସ୍ଥିତି ପଶ୍ଚିମବଙ୍ଗରେ ବି ଅଛି।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମଣିପୁରକୁ ନିଜ ପ୍ରତିନିଧୀ ପଠାଉଥିବା ବେଳେ ପ୍ରଥମେ ପଶ୍ଚିମବଙ୍ଗ ସମ୍ଭାଳ, ପରେ ମଣିପୁର ବିଷୟରେ ମୁଣ୍ଡ ଖେଳାଇବ ବୋଲି କହିଛନ୍ତି ଲକେଟ ଚାଟାର୍ଜୀ।

Bjp West Bengal Manipur Manipur Violence