୩୧ପର୍ଯ୍ୟନ୍ତ ଚାଲିବ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ

ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି ।

‍ବିଜେପି

  • Published: Tuesday, 15 October 2024
  • , Updated: 15 October 2024, 08:55 PM IST

ରାଜ୍ୟରେ ଆସନ୍ତାକାଲିଠୁ ୩୧ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ ଜାରି ରହିବ । ଏହାସହିତ ଚଳିତମାସ ୨୧ତାରିଖରେ ଦଳର କେନ୍ଦ୍ରୀୟ କମିଟି ବୈଠକ ବସି ଆଗାମୀ ଦିନର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ କରିବ ବୋଲି ବିଜେପି ପକ୍ଷରୁ ସୂଚନା ଦିଆଯାଇଛି ।

ଦଳର ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ସମ୍ପୂର୍ଣ୍ଣ ରାଷ୍ଟ୍ରବାଦରେ ବିଶ୍ୱାସ କରୁଥିବା ବିଜେପି ହେଉଛି ବିଶ୍ୱର ସବୁଠୁ ବଡ଼ ରାଜନୈତିକ ଦଳ । ବିଜେପିରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରତି ୬ ବର୍ଷରେ ସଦସ୍ୟ ସଂଗ୍ରହ କରାଯାଏ । ପ୍ରଥମେ ପ୍ରାଥମିକ ସଦସ୍ୟ ହେବା ପରେ ସେମାନଙ୍କ ମଧ୍ୟରୁ ସକ୍ରିୟ ସଦସ୍ୟ ହୁଅନ୍ତି । ଏହାପରେ ବୁଥରୁ ଆରମ୍ଭ କରି ମଣ୍ଡଳ, ଜିଲ୍ଲା, ରାଜ୍ୟ ଏବଂ ରାଷ୍ଟ୍ରୀୟସ୍ତରୀୟ କମିଟି ନିର୍ବାଚନ ହୁଏ ।

ଚଳିତ ଥର ସଦସ୍ୟତା ଅଭିଯାନ-୨୦୨୪ ଗତ ସେପ୍ଟେମ୍ବର ୨ ତାରିଖରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି । ଚଳିତମାସ ୧୬ ତାରିଖ ଅର୍ଥାତ୍ ଆସନ୍ତାକାଲିଠାରୁ ଅକ୍ଟୋବର ୩୧ତାରିଖ ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ସଂଗ୍ରହର ପ୍ରକ୍ରିୟା ଚାଲୁ ରହିବ । ଏହି ସମୟରେ ପ୍ରାଥମିକ ସଦସ୍ୟ ସଂଗ୍ରହ ଅଭିଯାନ ମଧ୍ୟ ଜାରି ରହିବ । ବିଜେପିର ପ୍ରାଥମିକ ସଦସ୍ୟ ସଂଗ୍ରହ ପାଇଁ ଉଭୟ ଅନ୍‌ଲାଇନ ଓ ଅଫ୍‌ଲାଇନ୍‌ରେ ବ୍ୟବସ୍ଥା କରାଯାଇଛି ।

ଅନ୍‌ଲାଇନ୍‌ରେ ମୋବାଇଲ୍ ନମ୍ବର-୮୮୦୦୦୦୨୦୨୪ରେ ମିସ୍ କଲ୍ ଦେଇ ସଦସ୍ୟ ହୋଇପାରିବେ । ଆଉ ଅଫ୍‌ଲାଇନରେ ସଦସ୍ୟତା ସଂଗ୍ରହ ଅଭିଯାନ ପାଇଁ ପ୍ରତ୍ୟେକ ବୁଥ୍‌କୁ ଆବଶ୍ୟକ ପରିମାଣର ସଦସ୍ୟ ପୁସ୍ତିକା ଦିଆଯାଇଛି । ଏସବୁ ପୁସ୍ତିକା ବୁଥଗୁଡ଼ିକରୁ ଫେରି ନ ଥିବାରୁ ମୋଟ ସଦସ୍ୟ ସଂଖ୍ୟା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ବିଜେପି ସରକାରଙ୍କ ଜନକଲ୍ୟାଣକାରୀ କାର୍ଯ୍ୟରେ ଉତ୍ସାହିତ ହୋଇ ଅଧିକରୁ ଅଧିକ ଜନସାଧାରଣ ଦଳରେ ସାମିଲ ହେଉଛନ୍ତି । ବିଜେପିକୁ ଭଲ ପାଉଥିବା ସମସ୍ତ ଇଚ୍ଛୁକ ବ୍ୟକ୍ତିବିଶେଷଙ୍କୁ ଦଳରେ ସାମିଲ କରିବା ପାଇଁ ପ୍ରାଥମିକ ସଦସ୍ୟ ଅଭିଯାନ ସଂଗ୍ରହ କାର୍ଯ୍ୟକ୍ରମ ଜାରି ରହିବ । ଆସନ୍ତା ୨୧ ତାରିଖରେ ଦଳର କେନ୍ଦ୍ରୀୟ କମିଟି ବୈଠକରେ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରଣ ହେବ । ଏହାପରେ ଦଳରେ କେବେ ଓ କେଉଁଭଳି ଭାବେ ସାଙ୍ଗଠନିକ ନିର୍ବାଚନ ହେବ ସେ ସମ୍ପର୍କରେ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

 

Related story