ଖୋଲିବ କି ଯାଜପୁର ଖଣି ଦୁର୍ନୀତିର ପେଡ଼ି: ଖଣି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

ଯଦି ସରକାରୀସ୍ତରରେ ଏହି ତଦନ୍ତ ଆରମ୍ଭ ହୁଏ ତା’ହେଲେ ପୂର୍ବର ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବେଆଇନ ଭାବେ କିଭଳି ଖଣି ଓ କ୍ରସର ୟୁନିଟ୍ ପରିଚାଳିତ ହେଉଥିଲା ଏବଂ କୋଟିକୋଟି ଟଙ୍କା ରାଜସ୍ୱ ଲୁଟ୍ କରାଯାଉଥିଲା ତାହା ପଦାରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି।

ବିଧାୟକ ହିମାଂଶୁ ଶେଖର ସାହୁ

  • Published: Monday, 08 July 2024
  • , Updated: 08 July 2024, 09:39 PM IST

ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନମଣ୍ଡଳୀରେ ବେଆଇନ ଖଣି ଓ କ୍ରସର କାରବାରର ତଦନ୍ତ ପାଇଁ ବିଜେପି ବିଧାୟକ ହିମାଂଶୁ ଶେଖର ସାହୁ ଦାବି କରିଛନ୍ତି । ତାଙ୍କ ନିର୍ବାଚନମଣ୍ଡଳୀର ବିଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ବାଜବତୀ, ଚଢ଼େଇଧରା, ମଳାଗଡ଼ା, କୁସୁମପୁର ସମେତ ଅନ୍ୟାନ୍ୟ କ୍ରସର ଓ ଖଣିରେ  ବେଆଇନ ଖନନ ଆଦିର ତଦନ୍ତ ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଧର୍ମଶାଳା ବିଧାୟକ ଶ୍ରୀ ସାହୁ ତାଙ୍କର ୪ ପୃଷ୍ଠାର ଚିଠିରେ ୧୪ଟି ପ୍ରସଙ୍ଗ ଉଠାଇ କିଭଳି ବେଆଇନ ଭାବେ କ୍ରସର ଓ ଖଣି ଖନନ ହୋଇଛି, ପରିବେଶକୁ ନଷ୍ଟ କରି କୋଟିକୋଟି ଟଙ୍କା ରାଜସ୍ୱ ଲୁଟ୍ କରାଯାଇଛି ସେ ସମ୍ପର୍କରେ ତଥ୍ୟ ରଖିଛନ୍ତି ।

ସୂଚନା ଅନୁସାରେ, ଧର୍ମଶାଳା ବିଧାୟକ ଶ୍ରୀ ସାହୁ ଗତମାସ ୨୮ତାରିଖରେ ରାଜ୍ୟ ଖଣି ନିର୍ଦ୍ଦେଶକଙ୍କୁ ଚିଠି ଲେଖି ତାଙ୍କ ନିର୍ବାଚନମଣ୍ଡଳୀରେ ବେଆଇନ ଖଣି ଖନନ ଓ କ୍ରସର କାରବାର ଯୋଗୁ କିଛି ଲୋକ ରାଜକୋଷକୁ ବିପୁଳ ଭାବେ ଲୁଟ୍ କରିଥିବା କହିଛନ୍ତି। ଏହାସହିତ ଖଣି ବିଭାଗର ନାକ ତଳେ ଏସବୁ ବେଆଇନ କାର୍ଯ୍ୟ ବେଧଡ଼କ ଚାଲିଥିଲା ।  ଏସବୁ ବେଆଇନ କ୍ରସର ଓ ଖଣି ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସହ କେତେ ଖଣିଜ ସାମଗ୍ରୀ ଲୁଟ୍ ହୋଇଛି ତା’ର ହିସାବ କରି ଲୁଟେରାଙ୍କଠୁ ଆଦାୟ ପାଇଁ ଦାବି କରିଛନ୍ତି । ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଏସବୁ ଖଣି ଓ କ୍ରସରଗୁଡ଼ିକରେ ବେଆଇନ ଖନନ ଆଦିର ତଦନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରିବା ସହ ଆବଶ୍ୟକ ଜୋରିମାନା ଓ ଦଣ୍ଡାଦେଶ   ପାଇଁ ଚିଠିରେ ଉଲ୍ଲେଖ କରିଥିବା ଜଣାପଡ଼ିଛି ।

ଜୁନ୍ ୮ତାରିଖରେ ଶ୍ରୀ ସାହୁ ଧର୍ମଶାଳା ତହସିଲଦାର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖି ଏହି ବେଆଇନ ଖଣି ଓ କ୍ରସର କାରବାର ତଦନ୍ତ ପାଇଁ ଦାବି କରିଛନ୍ତି । ଯଦି ସରକାରୀସ୍ତରରେ ଏହି ତଦନ୍ତ ଆରମ୍ଭ ହୁଏ ତା’ହେଲେ ପୂର୍ବର ବିଜେଡି ସରକାରର ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ବେଆଇନ ଭାବେ କିଭଳି ଖଣି ଓ କ୍ରସର ୟୁନିଟ୍ ପରିଚାଳିତ ହେଉଥିଲା ଏବଂ କୋଟିକୋଟି ଟଙ୍କା ରାଜସ୍ୱ ଲୁଟ୍ କରାଯାଉଥିଲା ତାହା ପଦାରେ ପଡ଼ିବାର ସମ୍ଭାବନା ସୃଷ୍ଟି ହୋଇଛି ।

ସୂଚନାଯୋଗ୍ୟ, ଧର୍ମଶାଳା ନିର୍ବାଚନମଣ୍ଡଳୀର ପ୍ରତିନିଧିତ୍ୱ ପ୍ରାୟ ୩ ଦଶନ୍ଧି ଧରି କଳ୍ପତରୁ ଦାସଙ୍କ ପରିବାର ପାଖରେ ରହିଥିଲା । କଳ୍ପତରୁ ଓ ତାଙ୍କ ପୁଅ ପ୍ରଣବ ବଳବନ୍ତରାୟଙ୍କ ପ୍ରତ୍ୟକ୍ଷ ପ୍ରୋତ୍ସାହନରେ ଏସବୁ ଅଂଚଳରେ ବେଆଇନ ଖଣି କାରବାର ଚାଲିଥିଲା ବୋଲି ବିରୋଧୀ ଦଳର ସଦସ୍ୟମାନେ ବାରମ୍ବାର ଅଭିଯୋଗ କରୁଥିଲେ । ଏପରିକି ସୂଚନା କର୍ମୀଙ୍କ ଦ୍ୱାରା ଏନେଇ ଲୋକାୟୁକ୍ତରେ ମାମଲା ମଧ୍ୟ ରୁଜୁ ହୋଇଛି ।

 

 

Related story