ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଏମିତି କହିଲେ ସମ୍ୱିତ ପାତ୍ର
ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ଖନନ କାର୍ଯ୍ୟକୁ ନେଇ ଦେଖାଦେଇଛି ବିବାଦ। ଆଉ କଥା ଯାଇ ପହଞ୍ଚିଥିଲା ସଂସଦରେ। ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି। ଏହା ଭିତରେ ଏହି ପ୍ରସଙ୍ଗକୁ ନେଇ ବହୁ ହୋ-ହଲ୍ଲା ହେଉଥିବା ବେଳେ ଆଜି ଶ୍ରୀକ୍ଷେତ୍ର ଆସିଛନ୍ତି ବିଜେପିର ଜାତୀୟ ମୁଖପାତ୍ର ଡାକ୍ତର ସମ୍ୱିତ ପାତ୍ର। ସେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ପରିକ୍ରମା ପ୍ରକଳ୍ପକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ପଚାରିଥିଲେ ଅନେକ ପ୍ରଶ୍ନ। ହେଲେ କୌଣସି ପ୍ରଶ୍ନର ସିଧାସିଧା ଉତ୍ତର ଦେଇନଥିଲେ ସମ୍ୱିତ ପାତ୍ର।
ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ପ୍ରତ୍ନତତ୍ତ୍ୱ ବିଭାଗର ୧୯୫୮ ଆଇନ୍ ବହି ଦେଖାଇ ସମ୍ୱିତ ପାତ୍ର କହିଛନ୍ତି, ଶ୍ରୀମନ୍ଦିର ମେଘନାଦ ପାଚେରୀଠାରୁ ୧୦୦ ମିଟର ପରିଧି ଭିତରେ କୌଣସି ନିର୍ମାଣ କାର୍ଯ୍ୟକୁ ଅନୁମତି ନାହିଁ। ମରାମତି କାର୍ଯ୍ୟ, ଲୋକଙ୍କୁ ବିଦ୍ୟୁତ ସଂଯୋଗ ଓ ଟଏଲେଟ୍ ଫେସିଲିଟି ଦେବାକୁ ଅନୁମତି ରହିଛି। କିନ୍ତୁ ଲୋକେ ଦେଖୁଛନ୍ତି, ବହୁ ଫୁଟ୍ ଗାତ ଖୋଳା ଯାଉଛି। କଣ ଚାରୋଟି ଟଏଲେଟ୍ ତିଆରି କରିବା ପାଇଁ ଏତେ ଗହୀର ଗାତ ଖୋଳିବା ଦରକାର ବୋଲି ଲୋକଙ୍କ ମନରେ ଅବିଶ୍ୱାସ ଆସୁଛି। ରାଜନୈତିକ କର୍ମୀ ନୁହେଁ, ଜଣେ ଭକ୍ତ ହିସାରେ ମୋର ନିବେଦନ, ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଅବିଶ୍ୱାସ ସରକାର ଦୂର କରନ୍ତୁ। ଏଥିରେ ଅହଙ୍କାର ନରହୁ ବୋଲି ଡାକ୍ତର ପାତ୍ର କହିଛନ୍ତି।
ଶ୍ରୀମନ୍ଦିର ପରିକ୍ରମା ପରେ ଆପଣ କଣ ଦେଖିଲେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଡାକ୍ତର ପାତ୍ର କହିଛନ୍ତି, ମୁଁ ଦେଖିଲି ବହୁ ଗାତ ଖୋଳା ଯାଇଛି। କନ୍ଷ୍ଟ୍ରସନ୍ କାର୍ଯ୍ୟ ଚାଲିଛି। ସବୁଠାରୁ ମୁଖ୍ୟ ହେଉଛନ୍ତି ଜନତା ଜନାର୍ଦ୍ଦନ। ସେମାନଙ୍କ ମନରେ ସୃଷ୍ଟି ହୋଇଥିବା ଅବିଶ୍ୱାସ ଶାସକ ଦଳ କାହିଁକି ଦୂର କରିପାରୁ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।
ସେ ଆହୁରି କହିଛନ୍ତି, ଏ ଦରବାର ହେଉଛି ଓଡ଼ିଶାର ସବୁଠାରୁ ବଡ଼ ଦରବାର। ଇଏ ହେଉଛି ମହାପ୍ରଭୁ ଜଗନ୍ନାଥଙ୍କ ଦରବାର। ଇଏ ରାଜନୈତିକ ଆଖଡ଼ା ନୁହେଁ। ମୁଁ ଏଠାକୁ ଆସି ରାଜନୀତି କରିବି ନାହିଁ। ଆମେ କୌଣସି ରାଜନୈତିକ ପାର୍ଟିର କର୍ମୀ ନୁହେଁ। ଆମେ ଏଠି ସମସ୍ତେ ଭକ୍ତ। ସରକାର ହେଉ ବା କୌଣସି ରାଜନୈତିକ ଦଳ, ଏଠି କାହାର ଅହଙ୍କାରର ସ୍ଥାନ ନାହିଁ। ମହାପ୍ରଭୁଙ୍କ ଶ୍ରୀମନ୍ଦିର କେମିତି ସୁରକ୍ଷିତ ରହିବ? ତାହା ଉପରେ କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତବାସୀ ଚିନ୍ତିତ ବୋଲି ସମ୍ୱିତ ପାତ୍ର କହିଛନ୍ତି।
ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାଲୁଥିବା ଶ୍ରୀମନ୍ଦିର ଐତିହ କରିଡର ପ୍ରକଳ୍ପ ପ୍ରସଙ୍ଗରେ ମିଡ଼ିଆ ବନ୍ଧୁମାନଙ୍କ ସାମ୍ନାରେ ନିଜର ମତ ଉପସ୍ଥାପନ କଲି ।
महाप्रभु श्री जगन्नाथ जी के मंदिर परिसर में चल रहे निर्माण कार्य की परियोजना का निरीक्षण करने के पश्चात् उपस्थित मीडिया बंधुओं को संबोधित किया। pic.twitter.com/jTeHBEETOD
— Sambit Patra (@sambitswaraj) April 12, 2022
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।