Advertisment

ପୁତୁରାଙ୍କୁ ହଁ, ଦାଦାଙ୍କୁ ଲୋକସଭା ସିଟ୍‌ ଦେବାକୁ ବିଜେପି ଅମଙ୍ଗ!

ଯଦି ଏଲଜେପି ଲୋକସଭା ନିର୍ବାଚନ ନ ଲଢ଼ିବ, ତା’ହେଲେ ପଶୁପତିଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ବିହାରର ରାଜ୍ୟପାଳ ପଦ ଦେବ।

author-image
Hemant Lenka
JP Nadda

JP Nadda

ବିଜେପି ନେତୃତ୍ୱାଧୀନ ଏନଡିଏ ବିହାରରେ ସିଟ ଶେୟାରିଂ ଫର୍ମୁଲା ଏକ ପ୍ରକାରର ଚୂଡ଼ାନ୍ତ କରିଛି। ଚିରାଗ ପାଶ୍ୱାନଙ୍କ ନେତୃତ୍ୱାଧୀନ ଲୋକ ଜନଶକ୍ତି ପାର୍ଟି(ରାମ ବିଳାଶ)ଙ୍କୁ ବିଜେପି ବିହାରରେ ୫ଟି ସିଟ୍‌ ଛାଡ଼ିବାକୁ ରାଜି ହୋଇଛି।

Advertisment

ରାଜ୍ୟର ହାଜିପୁର, ବୈଶାଳୀ, ଜାମୁଇ, ସମସ୍ତିପୁର ଓ ଖାଗାରିଆରେ ଚିରାଗଙ୍କ ଦଳ ଏଥର ଲୋକସଭା ନିର୍ବାଚନ ଲଢ଼ିବ। ଆଜି ଚିରାଗ ପାଶ୍ୱାନ ଦିଲ୍ଲୀରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ। ଏହାପରେ ଏପରି ସିଟ ଶେୟାରିଂ ଫର୍ମୁଲା ସାମ୍ନାକୁ ଆସିଛି। ଚିରାଗ ହେଉଛନ୍ତି ଦିବଙ୍ଗତ ରାମ ବିଳାଶ ପାଶ୍ୱାନଙ୍କ ପୁଅ।

ରାମ ବିଳାଶଙ୍କ ମୃତ୍ୟୁ ପରେ ତାଙ୍କ ଦଳ ଏଲଜେପି ଦୁଇ ଭାଗରେ ବିଭକ୍ତ ହୋଇଥିଲା। ଗୋଟିଏ ପଟେ ଚିରାଗ ରହିଥିବା ବେଳେ ଅନ୍ୟପଟେ ତାଙ୍କ ସମ୍ପର୍କୀୟ ଦାଦା ପଶୁପତି ପାରସ ରହିଥିଲେ। ବିବାଦ ବଢ଼ିବାରୁ ଚିରାଗଙ୍କୁ ଏଲଜେପି(ରାମ ବିଳାଶ) ନାଁରେ ଆଉ ଗୋଟିଏ ଦଳ ଗଠନ କରିବାକୁ ପଡ଼ିଥିଲା। ପଶୁପତି ପ୍ରକୃତ ଏଲଜେପିର ମାନ୍ୟତା ପାଇଥିଲେ। ପଶୁପତି ମଧ୍ୟ ବିଜେପି ସରକାରରେ ମନ୍ତ୍ରୀ ହୋଇଥିଲେ।

Advertisment

ଏବେ ଚିରାଗଙ୍କ ଭଳି ସେ ମଧ୍ୟ ବିହାରର କିଛି ଲୋକସଭା ଆସନ ଏଲଜେପି ପାଇଁ ଚାହୁଁଛନ୍ତି। କିନ୍ତୁ ବିଜେପି ଚିରାଗଙ୍କୁ ସିଟ ଛାଡ଼ିଥିଲେ ହେଁ ପଶୁପତିଙ୍କ ଦଳ ନିର୍ବାଚନ ନ ଲଢ଼ୁ ବୋଲି ଚାହୁଁଛି।

ପଶୁପତି ଏଥରେ ରାଜି ହେଉନାହାନ୍ତି। ତଥାପି ସହଯୋଗୀ ଦଳ ହିସାବରେ ବିଜେପି ତାଙ୍କୁ ବଡ଼ ଅଫର ଦେଇଛି। ଯଦି ଏଲଜେପି ଲୋକସଭା ନିର୍ବାଚନ ନ ଲଢ଼ିବ, ତା’ହେଲେ ପଶୁପତିଙ୍କୁ ବିଜେପି ନେତୃତ୍ୱାଧୀନ ଏନଡିଏ ବିହାରର ରାଜ୍ୟପାଳ ପଦ ଦେବ। ସେହିପରି ଦଳର ସମସ୍ତିପୁର ସାଂସଦ ପ୍ରିନ୍ସ ରାଜଙ୍କୁ ବିହାରରେ ମନ୍ତ୍ରୀ ପଦ ମିଳିବ।

ରାଜ ହେଉଛନ୍ତି ଚିରାଗଙ୍କ ସମ୍ପର୍କୀୟ ଭାଇ। ବିଜେପି ପକ୍ଷରୁ ଏପରି ଅଫର ପାଇବା ପରେ ପଶୁପତି ଏବେ ଦ୍ୱନ୍ଦ୍ୱରେ ରହିଛନ୍ତି। ଯଦି ସେ ଅଫର ଗ୍ରହଣ କରି ନିଅନ୍ତି, ତା’ହେଲେ ଏଲଜେପି ଲୋକସଭାରୁ ପୂରା ମୂଳପୋଛ ହୋଇଯିବ।

ଆଜି ଜେପି ନଡ୍ଡାଙ୍କୁ ଭେଟିବା ପରେ ଚିରାଗ କହିଛନ୍ତି, ଆଗାମୀ ଲୋକସଭା ନିର୍ବାଚନ ପାଇଁ ସିଟ ଶେୟାରିଂ ଫର୍ମୁଲା ଚୂଡ଼ାନ୍ତ ହୋଇଛି। ଆଗାମୀ ଦିନରେ ଏହାର ବିଧିବଦ୍ଧ ଘୋଷଣା ହେବ।

ଚିରାଗ ଓ ପଶୁପତିଙ୍କ ବ୍ୟତୀତ ଏନଡିଏରେ ଜିତନ ରାମ ମାଞ୍ଝୀଙ୍କ ହିନ୍ଦୁସ୍ତାନୀ ଆବାମ ମୋର୍ଚ୍ଚା ଓ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତ ପାର୍ଟି ମଧ୍ୟ ରହିଛି। ଏମାନଙ୍କୁ ଗୋଟିଏ ଲେଖାଏ ଆସନ ଦେବାକୁ ବିଜେପି ନିଷ୍ପତ୍ତି ନେଇଛି। କିନ୍ତୁ କୁଶୱାହା ୨ଟି ଆସନ ଦାବି କରୁଛନ୍ତି।

Bjp Lok Sabha Elections Chirag Paswan Lok Sabha Elections 2024 Lok Sabha Election Lok Sabha Election 2024 Bihar Jp Nadda