Advertisment

ପାଣ୍ଡିଆନଙ୍କୁ କାହିଁକି ଏତେ ସୁରକ୍ଷା, ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କଲା ବିଜେପି

ତେଣୁ ବିଜେପି ଜାଣିବାକୁ ଚାହୁଁଛି ଯେ, ଏତେ ପରିମାଣର ସୁରକ୍ଷାକର୍ମୀଙ୍କ ମୁତୟନ କରାଯାଇ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବାକୁ ପ୍ରୟାସ ହେଉଛି ନା ତାଙ୍କ ଜୀବନର ମୂଲ୍ୟ ପାଇଁ ନା ସେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।

author-image
Ordigital Desk
BJP

BJP

ସାଧାରଣ ନିର୍ବାଚନ ପାଇଁ ରାଜ୍ୟରେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧିକୁ ରାଜ୍ୟ ସରକାର ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି। ବିଜେଡିର ଜଣେ ସାଧାରଣ କର୍ମୀ ଭିକେ ପାଣ୍ଡିଆନଙ୍କୁ କାହିଁକି ୭୪ଜଣ ପୁଲିସ କର୍ମଚାରୀଙ୍କ ସୁରକ୍ଷା ଦିଆଯାଇଛି ଏବଂ ଏନେଇ ରାଜ୍ୟ ପୁଲିସ ଡିଜି ଓ ଗୃହ ସଚିବଙ୍କୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଶ୍ନ କରିଛନ୍ତି କି ବୋଲି ବିଜେପି ଜାଣିବାକୁ ଚାହିଁଛି। ଏହାସହିତ ରାଜ୍ୟରେ ନିରପେକ୍ଷ ନିର୍ବାଚନ ହୋଇପାରିବ କି ନାହିଁ ସେ ନେଇ ମଧ୍ୟ ବିଜେପି ସନ୍ଦେହ ବ୍ୟକ୍ତ କରିଛି।

Advertisment

ରାଜ୍ୟ ବିଜେପିର ବରିଷ୍ଠ ନେତା ସୁରଥ ବିଶ୍ୱାଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କିନ୍ତୁ ତା’ର ସିଧାସଳଖ ଉଲ୍ଲଘଂନ ରାଜ୍ୟ ସରକାର କରୁଛନ୍ତି। ତେଣୁ ରାଜ୍ୟରେ ନିରପେକ୍ଷ ନିର୍ବାଚନ ହୋଇପାରିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଲାଣି। ବିଜେଡିର ଜଣେ ସାଧାରଣ କର୍ମୀଙ୍କୁ ଜଗିବା ଦାୟିତ୍ୱରେ ୭୪ଜଣ ପୁଲିସ କର୍ମଚାରୀ ଅଛନ୍ତି। ଏହାବାଦ୍ ଆଉ କିଛି ସାଦା ପୋଷାକଧାରୀ ପୁଲିସ୍ ଥାଇପାରନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ ଅନୁସାରେ ୭୪ଜଣ ପୁଲିସ କର୍ମଚାରୀ ଏବେ ପାଣ୍ଡିଆନଙ୍କ ସୁରକ୍ଷାରେ ଅଛନ୍ତି। ଏବେ ନିର୍ବାଚନ ଘୋଷଣା ହେବାପରେ ରାଜ୍ୟରେ କେବଳ ମୁଖ୍ୟମନ୍ତ୍ରୀଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ଅଛି। ଏପରିକି ଅନ୍ୟ ମନ୍ତ୍ରୀମାନଙ୍କୁ ବି ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଉ ନାହିଁ। ଜେଡ୍ ସିକ୍ୟୁରିଟି ସୁରକ୍ଷା ଯେଉଁମାନଙ୍କୁ ମିଳିଛି ତାଙ୍କୁ ୫୫ଜଣ ସୁରକ୍ଷାକର୍ମୀ ସୁରକ୍ଷା ଦେଇଥାନ୍ତି। ପାଣ୍ଡିଆନଙ୍କ ସୁରକ୍ଷାରେ ତା’ଠୁ ବି ଅଧିକ ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି।

ତେଣୁ ବିଜେପି ଜାଣିବାକୁ ଚାହୁଁଛି ଯେ, ଏତେ ପରିମାଣର ସୁରକ୍ଷାକର୍ମୀଙ୍କ ମୁତୟନ କରାଯାଇ ପାଣ୍ଡିଆନଙ୍କ ଗୁରୁତ୍ୱ ବଢ଼ାଇବାକୁ ପ୍ରୟାସ ହେଉଛି ନା ତାଙ୍କ ଜୀବନର ମୂଲ୍ୟ ପାଇଁ ନା ସେ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏ ସମ୍ପର୍କରେ ଗୃହ ସଚିବ ଓ ପୁଲିସ ଡିଜିଙ୍କୁ କିଛି ପ୍ରଶ୍ନ କଲେଣି କି? ଏନେଇ କିଛି କାର୍ଯ୍ୟାନୁଷ୍ଠାନ କରିଛନ୍ତି କି? ଏହା କ’ଣ ତାଙ୍କ ଦୃଷ୍ଟିରେ ନାହିଁ କି?

Advertisment

ଯଦି ନୁହେଁ ତା’ହେଲେ ରାଜ୍ୟରେ ଆଦର୍ଶ ଆଚରଣ ବିଧି କାର୍ଯ୍ୟକାରୀ ହେଉଛି ଏବଂ ଅବାଧ ଓ ନିରପେକ୍ଷ ନିର୍ବାଚନ ହୋଇପାରିବ କେମିତି ଆଶା କରିବା ବୋଲି ଶ୍ରୀ ବିଶ୍ୱାଳ ପ୍ରଶ୍ନ କରିଛନ୍ତି ।

BjD Bjp