Advertisment

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି

ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ଶୁଣିବା ମାତ୍ରେ ବିଜେଡି ନେତାମାନେ ଛାନିଆ ହୋଇପଡ଼ୁଛନ୍ତି ।

author-image
Ordigital Desk
CM Naveen Patnaik

CM Naveen Patnaik

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ବିଜେଡି ନେତାମାନେ କଟାକ୍ଷ କରିବା ପରେ ଆଜି ବିଜେପି ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ପ୍ରଶ୍ନ କରିଛି । ମୁଖ୍ୟମନ୍ତ୍ରୀ ଏବେ ଚାଲିବୁଲି ପାରୁଛନ୍ତି ତ, ମୁଖ୍ୟମନ୍ତ୍ରୀଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଠିକ୍ ଅଛି କି ନାହିଁ ସେ ନେଇ ଲୋକଙ୍କ ମନରେ ସନ୍ଦେହ ଉପୁଜିଛି ବୋଲି ବିଜେପି ଅଭିଯୋଗ କରିଛି ।

Advertisment

ବିଜେପି ମିଡିଆ ସେଲ୍ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନାଁ ଶୁଣିବା ମାତ୍ରେ ବିଜେଡି ନେତାମାନେ ଛାନିଆ ହୋଇପଡ଼ୁଛନ୍ତି । ସେହି ଭୟରୁ ବଂଚିବା ପାଇଁ ସେମାନଙ୍କ ପାଇଁ ଏବେ ଫାଇଭ-ଟି ଚାଳିଶା ଭରସା । ଆଉ କିଛିଦିନ ପରେ ବିଧାନସଭା ଅଧିବେଶନ ଆରମ୍ଭ ହେବ । ବିଧାନସଭାରେ ଜୟନାରାୟଣଙ୍କୁ କିଭଳି ସାମ୍ନା କରିବେ ସେଥିପାଇଁ ବିଜେଡି ନେତାମାନେ ଏବେଠୁ ଭୟଭୀତ ହୋଇ ଦିନ କାଟୁଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଣଓଡ଼ିଆ ଅଫିସରମାନେ ପ୍ରତିଦିନ ବିଜେଡି ନେତାମାନଙ୍କୁ ନୂଆ ନୂଆ ନିର୍ଦ୍ଦେଶ ଦେଇ ହାକିମାତି କରୁଛନ୍ତି । ବିଜେଡି ନେତାମାନେ ଏବେ କେତେ ମାନସିକ ଦୁଶ୍ଚିନ୍ତାରେ ବଂଚୁଛନ୍ତି ତାହା ସେମାନଙ୍କର ବକ୍ତବ୍ୟରୁ ବୁଝାପଡ଼ି ଯାଉଛି । ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟକୁ ନେଇ ଅରୁଚିକର ଓ ଶସ୍ତା ବୟାନ ଦେଉଥିବା ବିଜେଡି ନେତାମାନେ ତାଙ୍କର ମୁଖିଆଙ୍କ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଟିକେ ଖବର ରଖନ୍ତୁ ବୋଲି ଶ୍ରୀ ମଲ୍ଲିକ ପରାମର୍ଶ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ ପ୍ରଶ୍ନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଚାଲିବୁଲି ପାରୁଛନ୍ତି ତ? ମୁଖ୍ୟମନ୍ତ୍ରୀଙ୍କ ମାନସିକ ଓ ଶାରୀରିକ ଅବସ୍ଥା ଠିକ୍ ଅଛି କି ନାହିଁ ସେ ନେଇ ଲୋକଙ୍କ ମନରେ ସନ୍ଦେହ ବଢ଼ିଲାଣି ବୋଲି ମଲ୍ଲିକ କହିଛନ୍ତି ।

ରାଜ୍ୟରେ ଯେଉଁଭଳି ଅଗଣତାନ୍ତ୍ରିକ ବ୍ୟବସ୍ଥା ଚାଲିଛି ତାହା ବିରୁଦ୍ଧରେ ବିଜେପି କରୁଥିବା ଲଢ଼େଇରେ ସାରା ଓଡ଼ିଶାର ଲୋକେ ଠିଆ ହୋଇଛନ୍ତି । ଫାଇଭ-ଟି ନାଁରେ ଯେଉଁଭଳି ଭାବେ ୫୦% ପିସି ଆଦାୟ କରାଯାଉଛି ତାହା ଓଡ଼ିଶା ଲୋକଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ନବୀନବାବୁ ନିଜେ ଏସି ଲଗାଇ ଆରାମ କରୁଛନ୍ତି, ଆଉ ଓଡ଼ିଶା ଲୋକେ ଦୁର୍ନୀତି, ଭ୍ରଷ୍ଟାଚାର ଓ ଗୁଣ୍ଡାରାଜରେ ଛଟପଟ ହେଉଛନ୍ତି । ଫାଇଭ-ଟି ଯନ୍ତ୍ରଣାରୁ ସବୁଦିନ ପାଇଁ ମୁକ୍ତି ପାଇବା ନିମନ୍ତେ ଓଡ଼ିଶା ଲୋକେ ବ୍ୟାକୁଳ ହେଲେଣି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି ।

Advertisment

ସୂଚନାଯୋଗ୍ୟ, ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଆଜି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସ୍ୱାସ୍ଥ୍ୟବସ୍ଥାକୁ ନେଇ କଟାକ୍ଷ କରିଥିଲେ ।

BjD Bjp Naveen Patnaik