BJP's Allegation
ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ପ୍ରମୁଖ ରାଜନୀତିକ ଦଳ ବିଜେଡି ଓ ବିଜେପି ରାଜ୍ୟରେ ମୁହାଁମୁହିଁ ହୋଇଥିବାବେଳେ ବିଜେପି ଆଜି ଏକ ସାଂଘାତିକ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ)ର ଉପଯୋଗ ହେଉଥିବା ନେଇ ସନ୍ଦେହ ବ୍ୟକ୍ତ କରିଛି।
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡ଼ିଓ ଓ ଅଡିଓ ଏବେ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରାଯାଉଛି । ମୁଖ୍ୟମନ୍ତ୍ରୀ ବାସ୍ତବରେ ଭିଡିଓ କଲରେ ଉପସ୍ଥିତ ରହୁଛନ୍ତି ତ ବୋଲି ସେ ପ୍ରଶ୍ନ କରିବା ସହ ରାଜ୍ୟ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ହେଉଛନ୍ତି କି ନାହିଁ, ତାହା ମଧ୍ୟ ରହସ୍ୟଜନକ ଘଟଣା ଭଳି ମନେ ହେଉଛି । ଏଆଇ (ଆର୍ଟିଫିସିଆଲ ଇଂଟେଲିଜେନ୍ନ) ଟେକ୍ନୋଲୋଜିକୁ ବ୍ୟବହାର କରି ମୁଖ୍ୟମନ୍ତ୍ରୀଙ୍କ କଥା ଓ ଛବିକୁ ବ୍ୟବହାର କରାଯାଉନି ତ ବୋଲି ସେ ସନ୍ଦେହ ବ୍ୟକ୍ତ କରିଛନ୍ତି ।
ତେବେ ସମୀରଙ୍କ ଏଭଳି ଅଭିଯୋଗ ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ରଖିଛି । ସମୀର ମହାନ୍ତି ସ୍ମାର୍ଟଫୋନ୍ ଭଲ ଭାବେ ଧରି ଶିଖିନାହାନ୍ତି । ଆଉ ସେ ଏଆଇ ଉପରେ କହିବା ହାସ୍ୟାସ୍ପଦ ଓ ଅନ୍ୟର ପ୍ରରୋଚନାରେ ସେ ଏଭଳି ବିଚିତ୍ର ମନ୍ତବ୍ୟ ଦେଇଛନ୍ତି ବୋଲି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି କହିଛନ୍ତି ।
ସେପଟେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପୁଣିଥରେ ନିଜ ଟ୍ୱିଟର ମାଧ୍ୟମରେ ବିଜୁ ଯୁବ ଜନତା ଦଳର ବୈଠକକୁ ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ ସମ୍ବୋଧିତ କରୁଥିବାର ଫଟୋଚିତ୍ର ପୋଷ୍ଟ କରିଛନ୍ତି । ବିଜେଡି ବୈଠକରେ ସରକାରୀ କର୍ମଚାରୀ କିଭଳି ଭାଷଣ ଦେଉଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ଓଡ଼ିଶାରେ ଶାସନ ବ୍ୟବସ୍ଥା ହାସ୍ୟାସ୍ପଦ ହୋଇସାରିଛି ଓ କେତେକ ନିର୍ଦ୍ଦିଷ୍ଟ ସରକାରୀ କର୍ମଚାରୀ ଏବେ ରାଜନୀତିକ କାର୍ଯ୍ୟକ୍ରମକୁ ଆସୁଛନ୍ତି । ଆମ ସରକାରଙ୍କୁ ନେଇ ଲଜ୍ଜା ଅନୁଭବ ହେଉଛି । ଏହା ଚିନ୍ତାଜନକ ବିଷୟ ବୋଲି ଅପରାଜିତା କହିଛନ୍ତି ।
ସେହିପରି ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ କହିଛନ୍ତି ଯେ, ବିଜେଡି ଆଉ ବିଜୁ ଜନତା ଦଳ ହୋଇ ନାହିଁ । ବିଜେଡି ହେଉଛି ବ୍ୟୁରୋକ୍ରାଟିକ୍ ଜନତା ଦଳ । ବ୍ୟୁରୋକ୍ରାଟମାନେ ଦଳୀୟ କାର୍ଯ୍ୟକ୍ରମ ଭାଷଣ ଦେଉଛନ୍ତି । ସଚିବ ଦଳ ଚଳାଉଛନ୍ତି, ବିଜେଡି ନେତାମାନେ ଏବେ ଅଫିସରଙ୍କ ପାଇଁ ଟୁଇଟ୍ କରୁଛନ୍ତି । ବିଜେଡିରେ ରାଜନୀତିକ ଅସହାୟତା ତିଆରି ହେଲାଣି । ସିଏମଓରେ ଥିବା ଆଇପିଏସ୍ ଅଫିସର ଏବେ ଟିକେଟ୍ ପାଇଁ ସର୍ଭେ କରୁଛନ୍ତି । ନିର୍ବାଚନୀ ଟିକେଟ୍ ପାଇ ମୂଲଚାଲ ଆରମ୍ଭ ହୋଇସାରିଲାଣି । ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରାଜ୍ୟରେ ପଲିଟିକାଲ ଇକୋ ସିଷ୍ଟମ ଦୁର୍ବଳ ହୋଇ ପଡ଼ିଛି ବୋଲି ବିଜେପି ଅଭିଯୋଗ କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1689092231.jpg)