Advertisment

କେଜ୍ରିୱାଲଙ୍କ ଇସ୍ତଫା ଘୋଷଣା: ବିଜେପି କହିଲା ଏମିତି କଥା, କଂଗ୍ରେସ ବି ଛାଡ଼ିଲାନି

ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଓ ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚଦେବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି।

AAP

AAP

Advertisment

ଜେଲରୁ ମୁକୁଳିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ୨ ଦିନ ଭିତରେ ଇସ୍ତଫା ଦେବେ। ଆଜି କେଜ୍ରିୱାଲ ଏପରି ଘୋଷଣା କରିବା ପରେ ବିଜେପି ସାଂଘାତିକ କଥା କହିଛି। ଦଳ ଏପରି ଘୋଷଣାକୁ ସମାଲୋଚନା କରିବା ସହ ଆପ୍‌ରେ ବିବାଦ ଚାଲିଛି ଓ ଏହାକୁ ମୁଖିଆ କେଜ୍ରିୱାଲ ନିୟନ୍ତ୍ରଣ କରିପାରୁ ନାହାନ୍ତି କି ବୋଲି ପ୍ରଶ୍ନ କରିଛି।

Advertisment

ବିଜେପି ସାଂସଦ ସୁଧାଂଶୁ ତ୍ରିବେଦୀ ଓ ବିଜେପିର ଦିଲ୍ଲୀ ମୁଖ୍ୟ ବୀରେନ୍ଦ୍ର ସଚଦେବା ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଯୋଗୁ ରାଜଧାନୀର ଶାସନ ନୀତି ଭୁଶୁଡ଼ି ପଡ଼ିଥିବା ଉଭୟ ଅଭିଯୋଗ କରିଛନ୍ତି।

ସୁଧାଂଶୁ ତ୍ରିବେଦୀ କହିଛନ୍ତି, “ଆପଣ ଜେଲରେ ଥିବା ବେଳେ ଇସ୍ତଫା ଦେଇ ନଥିଲେ। କିନ୍ତୁ ଏବେ ୪୮ ଘଣ୍ଟା ମଧ୍ୟରେ ଇସ୍ତଫା ଦେବେ ବୋଲି କାହିଁକି ଘୋଷଣା କରିଛନ୍ତି? ଲୋକମାନେ ଏହି ୪୮ ଘଣ୍ଟାର ରହସ୍ୟ ବିଷୟରେ ଜାଣିବାକୁ ଚାହୁଁଛନ୍ତି। କାହିଁକି ଆପଣ ୪୮ ଘଣ୍ଟା ଚାହୁଁଛନ୍ତି?”

Advertisment

ଶୁକ୍ରବାର ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ୬ ମାସ ହେଲା ଜେଲରେ ଥିବା କେଜ୍ରିୱାଲଙ୍କୁ ଜାମିନ ଦେଇଥିଲେ। ଜାମିନ ମିଳିଥିଲେ ହେଁ ସେ ମୁଖ୍ୟମନ୍ତ୍ରୀ ଅଫିସରେ ପ୍ରବେଶ କରିପାରିବେ ନାହିଁ ଓ ଉପ ରାଜ୍ୟପାଳଙ୍କ ମଞ୍ଜୁରୀ ବିନା କୌଣସି ଫାଇଲରେ ଦସ୍ତଖତ କରିପାରିବେ ନାହିଁ ବୋଲି ସର୍ତ୍ତ ରହିଥିଲା। ଏହାପରେ ହିଁ କେଜ୍ରିୱାଲ ଇସ୍ତଫା କଥା ଘୋଷଣା କରିଛନ୍ତି।

ତ୍ରିବେଦୀ ଆହୁରି କହିଛନ୍ତି, “କେଉଁ ବ୍ୟକ୍ତିଗତ କାମ ପାଇଁ ଆପଣ ୪୮ ଘଣ୍ଟାର ସମୟ ନେଇଛନ୍ତି? ତାଙ୍କ ଇସ୍ତଫା ଘୋଷଣା ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ଆଉ ଏକ ସନ୍ଦେହ ସୃଷ୍ଟି ହୋଇଛି। ଆପଣ ଆଗୁଆ ନିର୍ବାଚନ ଚାହୁଁଛନ୍ତି। ସମ୍ଭବତଃ ଆପଣଙ୍କ ଦଳ ଭିତରେ ସୃଷ୍ଟି ହୋଇଥିବା ଯୁଦ୍ଧ ବା ବିବାଦକୁ ଆପଣ ହ୍ୟାଣ୍ଡେଲ କରିପାରୁ ନଥିବାରୁ ନିର୍ବାଚନ ଯୁଦ୍ଧ କଥା କହୁଛନ୍ତି।

ଏପରି ଇସ୍ତଫା ଘୋଷଣା ପଛର କାରଣ କ’ଣ? କେଜ୍ରିୱାଲ ଏବେ ବି ଦିଲ୍ଲୀର ମୁଖ୍ୟମନ୍ତ୍ରୀ। ତାଙ୍କ ପାଖରେ ବିପୁଳ ବହୁମତ ରହିଛି। ଯଦି ଆପଣ ନିର୍ବାଚନ ଚାହୁଁଛନ୍ତି, ତା’ହେଲେ କ୍ୟାବିନେଟ ମିଟିଂ ଡାକନ୍ତୁ। ବିଧାନସଭାକୁ ଭଙ୍ଗ କରନ୍ତୁ। ନିର୍ବାଚନ ପାଇଁ ଦାବି କରିବାର କାରଣ କ’ଣ?”

ଦିଲ୍ଲୀ ବିଜେପି ମୁଖ୍ୟ ସଚଦେବା କହିଛନ୍ତି, “କେଜ୍ରିୱାଲ କହୁଛନ୍ତି ସେ ମୁଖ୍ୟମନ୍ତ୍ରୀ ରହିବେ କି ନାହିଁ, ସେକଥା ଲୋକମାନେ ନିଷ୍ପତ୍ତି ନେବେ। ହେଲେ ଲୋକମାନେ ୩ ମାସ ତଳୁ(ଲୋକସଭା ନିର୍ବାଚନ) ସେମାନଙ୍କ ରାୟ ଦେଇ ସାରିଛନ୍ତି। ଆପଣ ଦିଲ୍ଲୀର ଗଳି ଗଳି ବୁଲିଥିଲେ ଓ ଭୋଟ ମାଗିଥିଲେ। ଲୋକମାନେ ସେମାନଙ୍କ ଉତ୍ତର ଦେଇଛନ୍ତି ଓ ଆପଣଙ୍କୁ ନିଜ ସ୍ଥାନକୁ ପଠାଇ ଦେଇଛନ୍ତି।

ଆପ ସରକାର ଡ୍ରେନ ସଫା ନ କରିବାରୁ ଦିଲ୍ଲୀରେ ୪୦ ଜଣ ପିଲା ପ୍ରାଣ ହରାଇଛନ୍ତି। ଏହାପରେ ବି ଆପଣ କହୁଛନ୍ତି ଯେ ଆପଣ ସ୍ୱଚ୍ଛ? ଆପଣଙ୍କ ଦୁର୍ନୀତି ଯୋଗୁ ପିଲାମାନେ ପ୍ରାଣ ହରାଇଛନ୍ତି।”

ବିଜେପିର ହରିଶ ଖୁରାନ ମଧ୍ୟ ଆପ୍‌ ନେତାଙ୍କ ଏପରି ଘୋଷଣା କେବଳ ଡ୍ରାମା ସୃଷ୍ଟି କରିବା ପାଇଁ ବୋଲି କହିଛନ୍ତି। ସେ କହିଛନ୍ତି, “କାହିଁକି ୪୮ ଘଣ୍ଟା? ସେ ଆଜି ଇସ୍ତଫା ଦେବା କଥା। ପୂର୍ବରୁ ମଧ୍ୟ ସେ ଏମିତି କରିଛନ୍ତି। ଦିଲ୍ଲୀର ଲୋକମାନେ ପ୍ରଶ୍ନ କରୁଛନ୍ତି ଯେ ସେ ସଚିବାଳୟ ଯାଇ ପାରିବେ ନାହିଁ। ଫାଇଲରେ ଦସ୍ତଖତ କରିପାରିବେ ନାହିଁ? ତା’ହେଲେ ଏସବୁ କ’ଣ? ବିଜେପି ନିର୍ବାଚନ ପାଇଁ ପ୍ରସ୍ତୁତ କି ନାହିଁ, ସେ ପଚାରୁଛନ୍ତି। ମୁଁ ତାଙ୍କୁ କହିବାକୁ ଚାହେଁ ଯେ ଆମେ ପ୍ରସ୍ତୁତ। ଆଜି ହେଉ କି କାଲି, ଆମେ ୨୫ ବର୍ଷ ପରେ ଦିଲ୍ଲୀରେ କ୍ଷମତାକୁ ଫେରିବୁ।” 

ଲୋକସଭା ନିର୍ବାଚନରେ ଆପ୍‌ ଓ କଂଗ୍ରେସ ଏକାଠି ଲଢ଼ିଥିଲେ। କିନ୍ତୁ କେଜ୍ରିୱାଲଙ୍କ ଇସ୍ତଫା ଘୋଷଣାକୁ ଦିଲ୍ଲୀ କଂଗ୍ରେସ ରାଜନୀତିକ ଷ୍ଟଣ୍ଟ ବୋଲି କହିଛି। ଦିଲ୍ଲୀ କଂଗ୍ରେସ ମୁଖିଆ ଦେବେନ୍ଦ୍ର ଯାଦବ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ କେଜ୍ରିୱାଲଙ୍କ ପାଖରେ କୌଣସି କ୍ଷମତା ନଥିବାରୁ ସେ ଇସ୍ତଫା କଥା ଘୋଷଣା କରିଛନ୍ତି। ସେ ସୁପ୍ରିମକୋର୍ଟଙ୍କ ଜାମିନ ସର୍ତ୍ତରେ ବନ୍ଧା। ଏହା ଏକ ରାଜନୀତିକ ଷ୍ଟଣ୍ଟ। ଏଥିରେ ଆଉ କିଛି ନାହିଁ। ଏହାର ପ୍ରଭାବ ଆସନ୍ତା ନିର୍ବାଚନ ଉପରେ କୌଣସି ପ୍ରକାରରେ ପଡ଼ିବ ନାହିଁ। ଏବେ ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ସେ କହିଛନ୍ତି। 

ଦେବେନ୍ଦ୍ର ଯାଦବ କହିଛନ୍ତି, “ବିଳମ୍ବରରେ ହେଉ ପଛେ ଠିକ ନିଷ୍ପତ୍ତି ନେଇଛନ୍ତି। ଯଦି ସେ ଦିଲ୍ଲୀର ବନ୍ୟା ଓ ଜଳ ସଙ୍କଟ ବେଳେ ଇସ୍ତଫା ଦେଇ ଥାଆନ୍ତେ, ତା’ହେଲେ ଭଲ ହୋଇଥାଆନ୍ତା। ମୋର ଆଶା ଦିଲ୍ଲୀ ଖୁବଶୀଘ୍ର ଗୋଟିଏ ନୂଆ ମୁଖ୍ୟମନ୍ତ୍ରୀ ପାଇବ। ଏହି ମୁଖ୍ୟମନ୍ତ୍ରୀ ଅଫିସ ଯାଇ ପାରିବେ ଓ ଫାଇଲରେ ଦସ୍ତଖତ କରିପାରିବେ।”

Bjp Congress Delhi Arvind Kejriwal AAP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe