ଭୁଲ ହୋଇଗଲା ସବୁ ଆକଳନ, ହରିୟାଣାରେ ବିଜେପିର ଐତିହାସିକ ହ୍ୟାଟ୍ରିକ

କଂଗ୍ରେସ ହରିୟାଣାରେ କ୍ଷମତାକୁ ଫେରିବାକୁ ଆଶା ରଖିଥିଲା। ଏକଜିଟ ପୋଲ ମଧ୍ୟ କଂଗ୍ରେସ ସପକ୍ଷରେ ରାୟ ଦେଇଥିଲେ। ହେଲେ ଦେଶର ସର୍ବପୁରାତନ ଦଳ କେବଳ ୩୭ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

ହରିୟାଣା ମୁଖ୍ୟମନ୍ତ୍ରୀ ସୈନି ଓ ପ୍ରଧାନମନ୍ତ୍ରୀ ମୋଦି

  • Published: Tuesday, 08 October 2024
  • , Updated: 08 October 2024, 08:46 PM IST

ଫେଲ ମାରିଲା ସବୁ ସଂସ୍ଥାର ଏକଜିଟ ପୋଲ୍‌ ତଥ୍ୟ। ରାଜନୀତିକ ପଣ୍ଡିତମାନଙ୍କ ଭବଷ୍ୟତବାଣୀ ବି ଭୁଲ ହେଲା। ଏକା ବିଜେପି କରିଥିବା ଆକଳନ ଶେଷରେ ସତ ପ୍ରମାଣିତ ହୋଇଛି।

ଜୋରଦାର ସରକାରୀ ବିରୋଧୀ ଆହ୍ୱା ସତ୍ତ୍ୱେ ହରିୟାଣାରେ ବିଜେପି ହାସଲ କରିଛି ଐତିହାସିକ ହ୍ୟାଟ୍ରିକ ବିଜୟ। ହରିୟାଣା ବିଧାନସଭା ନିର୍ବାଚନରେ ବିଜୟ ବାନା ଉଡ଼ାଇଛି ବିଜେପି। ଏହାକୁ ମିଶାଇ ଦଳ କ୍ରମାଗତ ତୃତୀୟ ଥର ପାଇଁ ହରିୟାଣାରେ ସରକାର ଗଠନ କରିବାକୁ ଯାଉଛି। ୨୦୧୯ ତୁଳନାରେ ଦଳ ଏଥର ଆହୁରି ଭଲ ପ୍ରଦର୍ଶନ କରି ୯୦ ବିଧାନସଭା ଅରସନରୁ ଏକାକୀ ୪୮ ଆସନ ଜିତିଛି।

୩ ସ୍ୱାଧୀନ ବିଧାୟକ ଓ ଆଇଏନଏଲଡିର ୨ ଜଣ ବିଧାୟକ ମଧ୍ୟ ବିଜେପି ସରକାରଙ୍କୁ ସମର୍ଥନ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କଂଗ୍ରେସ ହରିୟାଣାରେ କ୍ଷମତାକୁ ଫେରିବାକୁ ଆଶା ରଖିଥିଲା। ଏକଜିଟ ପୋଲ ମଧ୍ୟ କଂଗ୍ରେସ ସପକ୍ଷରେ ରାୟ ଦେଇଥିଲେ। ହେଲେ ଦେଶର ସର୍ବପୁରାତନ ଦଳ କେବଳ ୩୭ଟି ଆସନ ଜିତିବାକୁ ସକ୍ଷମ ହୋଇଛି।

୨୦୧୪ ଓ ୨୦୧୯ ଭଳି ବିଜେପି ଏଥର ହରିୟାଣାରେ ସଫଳତା ପାଇବ ନାହିଁ ବୋଲି ସମସ୍ତେ କହୁଥିଲେ। ଲୋକସଭା ନିର୍ବାଚନରେ ବିଜେପି ବିଜୟୀ ହୋଇଥିଲେ ହେଁ ଆଶା ଅନୁସାରେ ପ୍ରଦର୍ଶନ କରିପାରି ନଥିଲା। ଏହାପରେ ଅନୁଷ୍ଠିତ ପ୍ରଥମ ବିଧାନସଭା ନିର୍ବାଚନରେ ବିଜେପି କେମିତି ପ୍ରଦର୍ଶନ କରୁଛି, ତା’ ଉପରେ ସମସ୍ତଙ୍କ ନଜର ରହିଥିଲା।

ଏସବୁ ଭିତରେ ରାଜୀତିକ ପଣ୍ଡିତମାନେ କହିଥିଲେ ଯେ ହରିୟାଣା ସରକାର ବିରୋଧରେ ପ୍ରବଳ ‌ଆହ୍ୱା ବହୁଛି। କଂଗ୍ରେସ ମଧ୍ୟ ଏହାର ଫାଇଦା ଉଠାଇବାକୁ ଜୋରଦାର ଉଦ୍ୟମ କରିଥିଲା। ବେକାରୀ ଓ ଚାଷୀ ସମସ୍ୟାକୁ ମୁଖ୍ୟ ମୁଦା କରିଥିଲା।

ଲାଗୁଥିଲା କଂଗ୍ରେସ ୧୦ ବର୍ଷର ବନବାସ ପରେ ହରିୟାଣାରେ କ୍ଷମତାକୁ ଫେରିବ। ହେଲେ ଦଳର ଗୋଷ୍ଠୀ କନ୍ଦଳ କଂଗ୍ରେସକୁ ମହଙ୍ଗା ସାବ୍ୟସ୍ତ ହୋଇଛି। କୁମାର ସେଲଜା ଓ ଭୂପେନ୍ଦର ସିଂହ ହୁଡ୍ଡାଙ୍କ ମଧ୍ୟରେ ଥିବା ବିବାଦ ଶେଷରେ ଦଳ ପାଇଁ ଘାତକ ପରିଣାମ ଆଣିଛି। ହରିୟାଣାରେ ବିଜେପି ହାସଲ କରିଛି ହ୍ୟାଟ୍ରିକ ବିଜୟ।

ପୂର୍ବରୁ ରାଜ୍ୟରେ ଯାହା କେବେ ହୋଇ ନଥିଲା ତାକୁ ପୁଣି ଦଳ କରି ଦେଖାଇଛି। ପୂର୍ବଠୁ ଆହୁରି ବଡ଼, ଦୃଢ଼, ବିଶାଳ ବିଜୟ ହାସଲ କରିଛି ଦଳ। ଦଳ ୪୮ଟି ଆସନ ଜିତି ସରକାର ଗଠନ କରିବାକୁ ଯାଉଥିବାରୁ ପଦ୍ମ ଶିବିରରେ ଜବରଦସ୍ତ ବିଜୟ ଉତ୍ସବ। ଦିଲ୍ଲୀକୁ ଲାଗିଥିବା ୯୦ ଆସନ ବିଶିଷ୍ଟ ହରିୟାଣାରେ ବିଜେପି ଏକାକୀ କ୍ଷମତାର କୁହୁକ ସଂଖ୍ୟା ପାର୍ କରିବା ମାତ୍ରେ ଆରମ୍ଭ ହୋଇଯାଇଥିଲା ସେଲିବ୍ରେସନ। ବିଜେପି ବିଜୟର ନାୟକ ସାଜିଥିବା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ବାସଭବନରେ ଭିଡ଼ ଜମିବରେ ଲାଗିଥିଲା। ସେ ମଧ୍ୟ ଲଡୱା ବିଧାନସଭା ଆସନରୁ ଜିତିଛନ୍ତି।

ତେବେ ବିଜେପି ପାଇଁ ଏ ବିଜୟ ଆଦୌ ସହଜ ନଥିଲା। ୧୦ ବର୍ଷର ବିଜେପି ସରକାର ପ୍ରତି ହାୱା ବିପରୀତ ଦିଗରେ ବହୁଥିଲା। ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ପ୍ରତି ଲୋକପ୍ରିୟତା ସର୍ବନିମ୍ନ ସ୍ତରରେ ଥିଲା। ଆଣ୍ଟି ଇନକମ୍ବେନସି ସହିତ ଲମ୍ବା ସମୟ ଧରି ଚାଷୀଙ୍କ ଆକ୍ରୋଶ, ପହିଲମାନଙ୍କ ରୋଷ, ଅଗ୍ନିବୀର ଯୋଜନାକୁ ନେଇ ଅସନ୍ତୋଷ ଆଦି ନିର୍ବାଚନୀ ପ୍ରସଙ୍ଗ ଥିଲା।

ନିର୍ବାଚନର ଠିକ ୨୦୦ ଦିନ ପୂର୍ବରୁ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳି ଖଟ୍ଟରଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦେଇଥିଲା। ସୈନିଙ୍କୁ ଦାୟିତ୍ୱ ଦେଇ ଜାଟ୍‌ ସଂପ୍ରଦାୟର ଭୋଟକୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଥିଲା। ଏଥିରେ ଦଳ ମଧ୍ୟ ଶେଷରେ ସଫଳ ହୋଇଛି।

ଆଇଟି ହବ ଭାବେ ପରିଚିତ ଗୁରୁଗ୍ରାମ, ଫରିଦାବାଦ ଓ ସହାରାଞ୍ଚଳରେ ବିଜେପି କ୍ଲିନ ସୁଇପ କରିଛି। ଲୋକସଭା ନିର୍ବାଚନରେ କଂଗ୍ରେସ ସପକ୍ଷରେ ଥିବା ଜାଟ୍ ଭୋଟ ବିଜେପି ନିଜ ସପକ୍ଷକୁ ଆଣିବାରେ ସଫଳ ହୋଇଛି। ସହରାଞ୍ଚଳ ଭୋଟରଙ୍କ ଉପରେ ପ୍ରଭାବକୁ ଅକ୍ଷୁଣ୍ଣ ରଖିଛି। ଅହିରୱାଲ ଅଞ୍ଚଳରେ ଥିବା ନିଜ ଦବଦବାରେ ଆଞ୍ଚ ଆଣିବାକୁ ବିଜେପି ଦେଇ ନାହିଁ।

ଭୋଟରଙ୍କ ନାଡ଼ି ଚିପି ନିର୍ବାଚନର ବର୍ଷକ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ବଦଳାଇ ମନୋହର ଲାଲ୍ ଖଟ୍ଟରଙ୍କ ସ୍ଥାନରେ ନାୟବ ସିଂହ ସୈନିଙ୍କୁ ଏହି ପଦକୁ ଦଳ ଆଣିଥିଲା। ନିଜ ଦଳରେ ଥିବା ଗୋଷ୍ଠୀ ବିବାଦକୁ ଦୂରେଇ କଂଗ୍ରେସରେ ଥିବା ଗୋଷ୍ଠୀ ବିବାଦରୁ ଭରପୁର ଫାଇଦା ନେଇ ଦଳ ଐତିହାସିକ ବିଜୟ ହାସଲ କରିଛି।

ହରିୟାଣା ରାଜନୀତିକ ଇତିହାସରେ କେବେ ବି କୌଣସି ଦଳ ଲଗାତର ତୃତୀୟ ଥର ପାଇଁ କ୍ଷମତାକୁ ଆସିନଥିଲା। ହେଲେ ୨୦୧୪ ଓ ୨୦୧୯ ତୁଳନାରେ ବିଜେପିର ଏଥିର ବଡ଼ ବିଜୟ ହାସଲ କରିଛି।

Related story