Advertisment

ଏକଜିଟ ପୋଲ: ଦିଲ୍ଲୀରେ ଆପ୍‌କୁ ସାଫ କରିବ ବିଜେପି, ମାଟି କାମୁଡ଼ିବ କଂଗ୍ରେସ

ପୋଲ ଅଫ ଏକଜିଟ ପୋଲ ଅନୁଯାୟୀ, ଦିଲ୍ଲୀରେ ବିଜେପି ୩୯ଟି, ଆପ ୩୦ ଓ କଂଗ୍ରେସ କେବଳ ଗୋଟିଏ ଆସନ ଜିତିବ।

author-image
Hemant Lenka
ଅଦ୍ୟତନ ହୋଇଛି
AAP

AAP

ହାଇଭୋଲଟେଜ ଦିଲ୍ଲୀ ବିଧାନସଭା ପାଇଁ ଭୋଟିଂ ଶେଷ ହୋଇଛି। ସମସ୍ତ ୭୦ଟି ଯାକ ଆସନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଯାଇଛି। ଆସନ୍ତା ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀରେ ପ୍ରାୟ ୫୮% ଭୋଟିଂ ହୋଇଛି।

Advertisment

ସନ୍ଧ୍ୟା ୬ଟା ଭୋଟିଂ ଶେଷ ହେବାର ସମୟ ରହିଥିଲା। ତଥାପି ଅନେକ ବୁଥରେ ଲମ୍ବା ଧାଡ଼ି ଦେଖିବାକୁ ମିଳିଛି। ସମୟ ଶେଷ ହୋଇଥିଲେ ହେଁ ଧାଡ଼ିରେ ଥିବା ଲୋକମାନେ ଭୋଟ ଦେବେ। କିନ୍ତୁ ସନ୍ଧ୍ୟା ୬ଟା ଯାଏ ଭୋଟିଂ ସମୟ ଥିବାରୁ ବିଧିବଦ୍ଧ ଭାବେ ଦିଲ୍ଲୀ ନିର୍ବାଚନ ଶେଷ ହୋଇଛି।

ଭୋଟିଂ ଶେଷ ହେବା ପରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ବୁଥ ବାହୁଡ଼ା ମତ ବା ଏକଜିଟ ପୋଲ ରେଜଲ୍ଟ ଜାରି କରାଯାଇଛି। ଅଧିକାଂଶ ସର୍ଭେ ସଂସ୍ଥା ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଆପ୍‌କୁ ହ୍ୟାଟ୍ରିକ ବିଜୟ ମିଳିବ ନାହିଁ ବୋଲି ଆକଳନ କରିଛନ୍ତି। ସେହିପରି ବିଜେପି ଦିଲ୍ଲୀ ବିଜୟ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲା, ତା’ହା ଏଥର ସାକାର ହେବ ବୋଲି ଏକଜିଟ ପୋଲରେ ଦାବି କରାଯାଇଛି। ୨୦୧୫ ଓ ୨୦୨୦ ଭଳି କଂଗ୍ରେସ ଏଥର ମଧ୍ୟ ଦିଲ୍ଲୀରେ ନୈରାଶ୍ୟଜନକ ରେଜଲ୍ଟ କରିବ।

Advertisment

୨୦୧୩ରେ ଆପ୍‌ ପ୍ରଥମଥର ଦିଲ୍ଲୀରେ କ୍ଷମତା ଦଖଲ କରିଥିଲା। ଏହି ସମୟରେ ଦଳ କଂଗ୍ରେସ ସମର୍ଥନରେ ସରକାର କରିଥିଲା। କିନ୍ତୁ ଅରବିନ୍ଦ କେଜ୍ରିୱାଲ ମାତ୍ର କିଛି ଦିନ ପରେ ଇସ୍ତଫା ଦେବାରୁ ୨୦୧୫ରେ ପୁଣି ବିଧାନସଭା ନିର୍ବାଚନ ହୋଇଥିଲା। ୨୦୧୫ରେ ଆପ୍‌ ଏକାକୀ ରେକର୍ଡ ୬୭ଟି ଆସନ ଜିତିଥିଲା। ବିଜେପି ୩ଟି ଓ କଂଗ୍ରେସ ଖାତା ଖୋଲି ପାରି ନଥିଲା। ୨୦୨୦ରେ ଆପ୍‌ ପୁଣି ୬୨ଟି ଓ ବିଜେପି ୮ଟି ଆସନରେ ବାଜିମାତ କରିଥିଲା।

୨୦୨୫ରେ ବିଜେପି ଜତିବା ସହ ୨୭ ବର୍ଷ ପରେ କ୍ଷମତାକୁ ଫେରିବ ବୋଲି ଅଧିକାଂଶ ଏକଜିଟ ପୋଲରେ କୁହାଯାଇଛି। ୨୭ ବର୍ଷ ପରେ ବିଜେପି ଦିଲ୍ଲୀରେ ପଦ୍ମ ଫୁଟାଇବାକୁ ସକ୍ଷମ ହେବ।  କିନ୍ତୁ ମ୍ୟାଟ୍ରିଜ ନାମକ ସଂସ୍ଥା ଦିଲ୍ଲୀରେ କାଣ୍ଟେ କା ଟକ୍କର ହେବ ବୋଲି ଆକଳନ କରିଛି। ସେହିପରି ୱି ପ୍ରିସାଇଡ କହିଛି ଯେ ବିଜେପି ୧୮ରୁ ୨୩, ଆପ୍‌ ୪୬ରୁ ୫୨ ଓ କଂଗ୍ରେସ ଶୂନରୁ ୧ଟି ଆସନ ଜିତିବ।

ଦିଲ୍ଲୀ ବିଧାନସଭାର ମୋଟ ଆସନ ସଂଖ୍ୟା ୭୦। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୬। ଚୂଡ଼ାନ୍ତ ଫଳାଫଳ ପୂର୍ବରୁ ଆଜି ଏକଜିଟ ପୋଲ ରେଜଲ୍ଟ ସାମ୍ନାକୁ ଆସିଛି।

ଚାଣ୍ୟକ ଷ୍ଟ୍ରାଟେଜିସ କହିଛି ଯେ ଦିଲ୍ଲୀରେ ବିଜେପି ୩୯ରୁ ୪୪, ଆପ୍‌ ୨୫ରୁ ୨୮ ଓ କଂଗ୍ରେସ ୨ରୁ ୩ଟି ଆସନ ଜିତବ।

ଜେଭିସ କହିଛି ଯେ ବିଜେପି ୩୯ରୁ ୪୫, ଆପ୍‌ ୨୨ରୁ ୩୧ ଓ କଂଗ୍ରେସ ୦ରୁ ୨ଟି ଆସନ ଜିତିବ।

ମ୍ୟାଟ୍ରିଜ କହିଛି ଯେ ବିଜେପି ୩୫ରୁ ୪୦, ଆପ୍‌ ୩୨ରୁ ୩୭, ଓ କଂଗ୍ରେସ ଶୂନରୁ ଗୋଟିଏ ଆସନ ଜିତିବ।

ପଏମଆରକ୍ୟୁର ଆକଳନ ଅନୁଯାୟୀ ବିଜେପି ୩୯ରୁ ୪୯, ଆପ୍‌ ୨୧ରୁ ୩୧ ଓ କଂଗ୍ରେସ ଶୂନରୁ ଗୋଟିଏ ଆସନ ଜିତିବ।

ପିପୁଲ୍ସ ପଲ୍ସ କହିଛି ଯେ ବିଜେପି ୫୧ରୁ ୬୦, ଆପ ୧୦ରୁ ୧୯ ଓ କଂଗ୍ରେସ ଗୋଟିଏ ହେଲେ ଆସନ ଜିତି ପାରିବନି।

ପିପୁଲ୍ସ ଇନସାଇଟ ବିଜେପି ୪୦ରୁ ୪୪, ଆପ୍‌ ୨୫ରୁ ୨୯ ଓ କଂଗ୍ରେସ ଶୂନରୁ ୨ଟି ଆସନ ଜିତିବ।

ପୋଲ ଡାଏରୀ କହିଛି ବିଜେପି ବିଜେପି ୪୨ରୁ ୫୦, ଆପ୍‌ ୧୮ରୁ ୨୫ ଓ କଂଗ୍ରେସ ଶୂନରୁ ୨ଟି ଆସନ ଜିତିବ।

ୱି ପ୍ରିସାଇଡ କହିଛି ଯେ ବିଜେପି ୧୮ରୁ ୨୩, ଆପ୍‌ ୪୬ରୁ ୫୨ ଓ କଂଗ୍ରେସ ଶୂନରୁ ୧ଟି ଆସନ ଜିତିବ।

ମାଇଣ୍ଡ ବ୍ରିଙ୍କ କହିଛି ଯେ ବିଜେପି ୨୧ରୁ ୨୫, ଆପ୍‌ ୪୪ରୁ ୪୯ ଓ କଂଗ୍ରେସ ଶୂନରୁ ଗୋଟିଏ ଆସନ ଜିତିବ। 

ଡିଭି ରିସର୍ଚ୍ଚ କହିଛି ଯେ ବିଜେପି ୩୬ରୁ ୪୪, ଆପ୍‌ ୨୬ରୁ ୩୪ ଓ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହେବନି। 

ଏସବୁ ସଂସ୍ଥାର ଏକଜିଟ ପୋଲକୁ ବିଚାରକୁ ନେଲେ ଅର୍ଥାତ ପୋଲ ଅଫ ଏକଜିଟ ପୋଲ ଅନୁଯାୟୀ, ଦିଲ୍ଲୀରେ ବିଜେପି ୩୯ଟି, ଆପ ୩୦ ଓ କଂଗ୍ରେସ କେବଳ ଗୋଟିଏ ଆସନ ଜିତିବ।

Bjp AAP Delhi Election