Narayan Rane In Parliament
ମଣିପୁର ପ୍ରସଙ୍ଗକୁ ନେଇ ଉଠୁଛି ପଡୁଛି ସଂସଦ। ଅନାସ୍ଥା ପ୍ରସ୍ତାବ ବିତର୍କ ସମୟରେ ବିରୋଧୀ-ଶାସକ ମଧ୍ୟରେ ଘମାଘୋଟ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି। ମଙ୍ଗଳବାର ଆରମ୍ଭ ହୋଇଥିବା ଅନାସ୍ଥା ଲଢେଇରେ ଶାସକଙ୍କୁ ଘେରିଥିଲେ ବିରୋଧୀ। ବିଜେପି ସାଂସଦ ମଧ୍ୟ କଟାକ୍ଷ ବାଣ ମାରିଛନ୍ତି। ଏହାରି ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତଙ୍କୁ ଦେଇଥିବା ଧମକୁ କଡ଼ା ବିରୋଧ କରିଛନ୍ତି ବିରୋଧୀ।
ସଂସଦରେ ସାୱନ୍ତଙ୍କୁ 'ଔକାତ' ଦେଖାଇଛନ୍ତି ରାଣେ। ଅନାସ୍ଥା ବିତର୍କ ସମୟରେ ନାରାୟଣ ରାଣେ ଅରବିନ୍ଦ ସାୱନ୍ତଙ୍କୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କହିବାକୁ ଚ୍ୟାଲେଞ୍ଜ୍ କରିଥିଲେ। ଏଥିସହ ଯଦି ସେ ଏପରି କରନ୍ତି ତେବେ ତାଙ୍କୁ ତାଙ୍କ ଔକାତ୍ ଦେଖାଇବେ ବୋଲି ଧମକ ଦେଇଥିଲେ। ସାୱନ୍ତ ଛିଡ଼ା ହୋଇ କିଛି କହିବା ଆରମ୍ଭ କରିବାରୁ ରାଣେ କହିଥିଲେ, "ଆରେ ବସ୍, ପଛରେ ବସ୍, ଔକାତ୍ ନାହିଁ, ମୁଁ ତୁମକୁ ତୁମ ଔକାତ୍ ଦେଖାଇବି।" ଏପରି କହି ବାଚସ୍ପତିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ ରାଣେ।
ବାଚସ୍ପତି ଏଥିରେ ହସ୍ତକ୍ଷେପ କରି କେନ୍ଦ୍ର ମନ୍ତ୍ରୀଙ୍କୁ ‘ବ୍ୟକ୍ତିଗତ ମନ୍ତବ୍ୟ’ ନକରିବାକୁ କହିଥିଲେ। ରାଣେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ କହିବା ପାଇଁ ସାୱନ୍ତଙ୍କର ଔକାତ ନାହିଁ। ବିରୋଧୀ ଦଳ I.N.D.I.A ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ଆଣିଥିବା ଅନାସ୍ଥା ପ୍ରସ୍ତାବରେ ଶିବସେନା (ୟୁବିଟି) ସାଂସଦ ଅରବିନ୍ଦ ସାୱନ୍ତ ଲୋକସଭାକୁ ସମ୍ବୋଧିତ କରି ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ଏତେ ଦିନ ଚୁପ୍ ରହିଛନ୍ତି ବୋଲି ପ୍ରଶ୍ନ କରିଥିଲେ। ଏହାର ଜବାବରେ ଏପରି ବ୍ୟବହାର କରିଛନ୍ତି ରାଣେ।
ରାଣେଙ୍କ ଏହି ଭିଡିଓ ଭାଇରାଲ୍ ହେବା ପରେ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିରୋଧୀ। ଆମ୍ ଆଦମି ପାର୍ଟି କହିଛି ଯେ, ମୋଦୀ ସରକାରଙ୍କ ମନ୍ତ୍ରୀ ସଂସଦରେ ଅନ୍ୟ ସଦସ୍ୟଙ୍କୁ ଏପରି ଖୋଲା ଖୋଲି ଧମକ ଦେଉଛନ୍ତି। ବିରୋଧୀ ଦଳର ନେତା ଏପରି ଶବ୍ଦ ପ୍ରୟୋଗ କଲେ ତୁରନ୍ତ ବହିଷ୍କୃତ ହେଉଛନ୍ତି, କଣ ବିଜେପି ମନ୍ତ୍ରୀଙ୍କୁ ବହିଷ୍କୃତ କରାଯିବ? ସେପଟେ ଶିବସେନା (ୟୁବିଟି) ନେତ୍ରୀ ପ୍ରିୟଙ୍କା ଚତୁର୍ବେଦୀ ଏହି ଭିଡିଓକୁ ସେଆର୍ କରି ଲେଖିଛନ୍ତି, ‘ଏ ବ୍ୟକ୍ତି ହେଉଛନ୍ତି ଜଣେ ମନ୍ତ୍ରୀ। ଏ ହିଁ ସରକାରଙ୍କ ମାନ ପ୍ରଦର୍ଶନ କରୁଛନ୍ତି ଏବଂ ଏ ସରକାର କେତେ ନିମ୍ନ ହୋଇପାରେ ତାହା ଦର୍ଶାଉଛନ୍ତି।’
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us