ବିଜେଡିକୁ ଚକମା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ନିଜର ସଦସ୍ୟ ସଂଖ୍ୟା କୋଟିଏ କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । ଏଥିପାଇଁ ଦଳ ରାଜ୍ୟସ୍ତରରରୁ ବୁଥସ୍ତର ପର୍ଯ୍ୟନ୍ତ ସପ୍ତାହେବ୍ୟାପୀ କର୍ମଶାଳା ଆୟୋଜନ କରି ନିଜର କର୍ମକର୍ତ୍ତାମାନଙ୍କୁ ସଭ୍ୟ ସଂଗ୍ରହର ଗୁରୁମନ୍ତ୍ର ଦେବ । ବିଜେପିକୁ ସମର୍ଥନ କରୁଥିବା ଓ ବିଜେପି ବିଚାରଧାରାକୁ ଭଲପାଉଥିବା ସାଧାରଣ ଲୋକଙ୍କୁ ସାମିଲ କରି ଓଡ଼ିଶାରେ ଦଳର ସଦସ୍ୟ ସଂଖ୍ୟାକୁ କୋଟିଏରେ ପହଂଚାଇବାକୁ ବିଜେପି ନିଷ୍ପତ୍ତି ନେଇଛି ।
ଆଜି ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଏସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ବିଜେପି ସମ୍ବିଧାନ ଅନୁସାରେ ପ୍ରତି ତିନି ବର୍ଷରେ ଥରେ ନୂତନ ସଭ୍ୟ ସଂଗ୍ରହ କରାଯାଇଥାଏ । ସଭ୍ୟ ସଂଗ୍ରହ ଅଭିଯାନ ପରେ ସଦସ୍ୟତା ଆଧାରରେ ଦଳର ପୁର୍ନବିନ୍ୟାସ ହେବା ସହ ନୂତନ ଦାୟିତ୍ୱ ବଂଟନ କରାଯାଏ । ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଏହାପୂର୍ବରୁ ରାଜ୍ୟ, ଜିଲ୍ଲା, ମଣ୍ଡଳ ଓ ବୁଥ ସ୍ତରରେ କାର୍ଯ୍ୟକର୍ତାଙ୍କୁ ନେଇ ସ୍ୱତନ୍ତ୍ର କର୍ମଶାଳା ଅନୁଷ୍ଠିତ ହେବା
ଆସନ୍ତାକାଲି ରାଜ୍ୟସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ସେଥିରେ ରାଜ୍ୟର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ରହିବେ । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମାର ଏବଂ ସହପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିବେ । ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୫, ୨୬ ଓ ୨୭ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଏବଂ ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ହେବ ।
ସର୍ବଭାରତୀୟ ସଦସ୍ୟତା ଅଭିଯାନ ପାଇଁ ଚଳିତମାସ ୧୭ ଓ ୧୮ ତାରିଖରେ ଦିଲ୍ଲୀଠାରେ ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ସେପ୍ଟେମ୍ବର ୧ ତାରିଖ ଦିନ ରାଷ୍ଟ୍ରୀୟସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ ହେବ । ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ଏହି ସଦସ୍ୟତା ଅଭିଯାନ ଆରମ୍ଭ ହେବ । ଓଡ଼ିଶାରେ ମୋଟ ୧ କୋଟି ସଦସ୍ୟ ଏବଂ ୧ ଲକ୍ଷ ‘ସକ୍ରିୟ ସଦସ୍ୟ\' ସଂଗ୍ରହ ପାଇଁ ଲକ୍ଷ୍ୟଧାର୍ଯ୍ୟ ହୋଇଛି । ଦଳର ବିଚାରଧାରାକୁ ଭଲ ପାଉଥିବା ଏବଂ ବିଜେପିକୁ ସମର୍ଥନ କରୁଥିବା ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ସଦସ୍ୟ କରାଯିବ । ସାଧାରଣ ଲୋକଙ୍କ ପାଖକୁ ଯାଇ ଦଳର କର୍ମକର୍ତ୍ତାମାନେ ସମ୍ପର୍କ ସ୍ଥାପନ କରିବେ । ରାଜ୍ୟରେ ସଦସ୍ୟତା ଅଭିଯାନର ମୁଖ୍ୟ ଭାବେ ବରିଷ୍ଠ ନେତା ରଞ୍ଜନ ପଟେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।