/odisha-reporter/media/post_attachments/uploadimage/library/16_9/16_9_0/IMAGE_1699980386.jpg)
ଦୁର୍ନୀତି ବିରୁଦ୍ଧରେ ବିଜେପିର ହାଲ୍ଲାବୋଲ
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ବିଜେଡି ସରକାରର ଦୁର୍ନୀତି ବିରୁଦ୍ଧରେ ବିଜେପି ହାଲ୍ଲାବୋଲ୍ କରିଛି । ରାଜ୍ୟରେ ବର୍ଷକୁ ଏକ ଲକ୍ଷ କୋଟି ଟଙ୍କାର ଲୁଟ୍ ହେଉଛି ବୋଲି ବିଜେପି ଅଭିଯୋଗ କରିଛି । ନବୀନ ସରକାର ୫୦% ପିସି ସରକାରର ଅଭିଯୋଗ ଆଣି ଆଜିଠୁ ଦଳ ରାଜ୍ୟବ୍ୟାପୀ ବ୍ଲକ ଘେରାଉ କାର୍ଯ୍ୟକ୍ରମ ଆରମ୍ଭ କରିଛି।
ପ୍ରଥମଦିନରେ କଟକ ସଦର ବ୍ଲକଘେରାଉ କାର୍ଯ୍ୟକ୍ରମରେ ସାମିଲ ହୋଇ ଦଳର ରାଜ୍ୟ ସଭାପତି ମନମୋହନ ସାମଲ କହିଥିଲେ ଯେ, ବ୍ଲକଘେରାଉ କାର୍ଯ୍ୟକ୍ରମ କେବଳ ଏକ ଆନ୍ଦୋଳନ ନୁହେଁ । ଏହା ହେଉଛି ଲୋକଙ୍କ ଅସନ୍ତୋଷର ପ୍ରତିଫଳନ । ଶାନ୍ତିପ୍ରିୟ ଓଡ଼ିଶା ଏବେ ଲ’ ଲେସନେସର ଶୀକାର ହୋଇଛି । ଓଡ଼ିଶାରେ ଗଣତନ୍ତ୍ରର ହତ୍ୟା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାରରେ ଲିପ୍ତ ବିଜେଡି ସରକାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବି ଛାଡ଼ି ନାହିଁ ।
ଦୀର୍ଘ ୨୩ ବର୍ଷ ଧରି ଓଡିଶାରେ ଚାଲିଥିବା ବିଜେଡି ସରକାରର ଲମ୍ବା ଦୁର୍ନୀତିର ତାଲିକା ରାଜ୍ୟବାସୀଙ୍କୁ ଅଜଣା ନାହିଁ । ଓଡ଼ିଶାରେ ଦୀର୍ଘ ୨୩ ବର୍ଷ ଧରି ଚାଲିଥିବା ବିଜେଡି ସରକାରରେ ଓଡିଆ ଲୋକମାନେ ଆଜି ନିର୍ଯାତିତ, ଯୁବକମାନେ ପ୍ରତାରିତ, ମହିଳାମାନେ ଅସୁରକ୍ଷିତ ବୋଲି ସେ କହିଛନ୍ତି । ଏହାସହିତ କଟକ ମହାନଗରରେ ଧାରଣାରତ ବିଜେପି କର୍ପୋରେଟରଙ୍କୁ ଭେଟି ସେମାନଙ୍କ ଦାବିକୁ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ଶ୍ରୀ ସାମଲ ।
ସେହିପରି ବିଜେପି ନେତାମାନେ ଅଭିଯୋଗ କରିଛନ୍ତି ଯେ, ଓଡ଼ିଶାରେ ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । ରାଜ୍ୟରେ ମୁଖ୍ୟମନ୍ତ୍ରୀ ଜଣେ ଅଣ ଓଡିଆଙ୍କ ହାତରେ ସବୁ କ୍ଷମତା ଦେଇଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକ, ସାଂସଦ, ଯେଉଁମାନଙ୍କୁ ଲୋକେ ଭୋଟ ଦେଇ ନିର୍ବାଚିତ କରିଥିଲେ ସେମାନଙ୍କର କୌଣସି ଭୂମିକା ନାହିଁ । ବିଜୁ ଜନତା ଦଳର ବିଧାୟକ, ମନ୍ତ୍ରୀ, ସାଂସଦମାନେ କେବଳ ଏବେ ଅଣ ଓଡ଼ିଆଙ୍କ ଚେୟାର ପକାଇବା, ଚା' ପାଣି ବ୍ୟବସ୍ଥା କରିବା ଦାୟିତ୍ୱରେ ଅଛନ୍ତିି । କ୍ୟାବିନେଟ ବୈଠକରେ ସଚିବମାନେ ଯାହା ନିଷ୍ପତି ନେବେ ତାହା ହିଁ ହେଉଛି । ବ୍ଲକରେ ବିଡିଓ ହେଉଛି ମାଲିକ । ବ୍ଲକ ଚେୟାରମ୍ୟାନର ଅଧିକାରକୁ ଆଜି ଏହି ସରକାର ହତ୍ୟା କରିଛି ।
ଭୁବନେଶ୍ୱର ମହାନଗର ନିଗମ ଆଗରେ ବିଜେପି କର୍ମୀମାନେ ଅଭିନବ ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅଳିଆ ଆଣି ବିଏମସି ଅଫିସ ଆଗରେ ଗଦାଇବା ସହ ଗୋବର ଫିଙ୍ଗିଥିଲେ । କେନ୍ଦ୍ର ସରକାର ସ୍ୱଚ୍ଛତା ମିଶନରେ କୋଟିକୋଟି ଟଙ୍କା ଦେଉଥିଲେ ମଧ୍ୟ ରାଜଧାନୀକୁ ଅଳିଆ ଗଦା ଭିତରେ ବିଜେଡି ସରକାର ରଖିଛି ବୋଲି ବିଜେପି ଅଭିଯୋଗ କରିଛି ।
ସୂଚନାଯୋଗ୍ୟ, ଦୁର୍ନୀତି ବିରୁଦ୍ଧରେ ବିଜେପି ଆଜିଠୁ ୧୮ତାରିଖ ପର୍ଯ୍ୟନ୍ତ ବ୍ଲକଘେରାଉ କାର୍ଯ୍ୟକ୍ରମ କରି ସାଧାରଣ ଲୋକଙ୍କ ମଧ୍ୟରେ ଥିବା ଆକ୍ରୋଶକୁ ଜନ ଆନ୍ଦୋଳନର ରୂପ ଦେବାକୁ ଯୋଜନା କରିଛି ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
