ବିଜେପି ମୁଖିଆଙ୍କ ଦମ୍ଭୋକ୍ତି: ଏନଡିଏ ସପକ୍ଷରେ ୩୮ ରାଜନୀତିକ ଦଳ

କଂଗ୍ରେସ ସମେତ ୨୬ଟି ବିରୋଧୀ ଦଳର ନେତାମାନେ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଛନ୍ତି। ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ଏନଡିଏ ଦିଲ୍ଲୀର ତା’ର ବଳ ଦେଖାଇବ। ଏଥିରେ ୩୮ଟି ଦଳ ସାମିଲ ହେବେ ବୋଲି ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

  • Published: Monday, 17 July 2023
  • , Updated: 17 July 2023, 08:31 PM IST

ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୀତିକ ଦଳଗୁଡ଼ିକ ନିଜର ଶକ୍ତିପ୍ରଦର୍ଶନ ଆରମ୍ଭ କରିଦେଇଛନ୍ତି। ବେଙ୍ଗାଲୁରୁରେ ଆଜି କଂଗ୍ରେସ ସମେତ ୨୬ଟି ବିରୋଧୀ ଦଳ ବିଜେପି ବିରୋଧରେ ଏକାଠି ହୋଇଛନ୍ତି। ସେପଟେ ବିଜେପି ମଧ୍ୟ ନିଜର ବଳ ଦେଖାଇବାକୁ ରଣନୀତି ପ୍ରସ୍ତୁତ କରିଛି।

ବିରୋଧୀଙ୍କ କ୍ୟାମ୍ପରେ ୨୬ଟି ଦଳ ଥିବା କଂଗ୍ରେସ ଦାବି କରୁଥିବା ବେଳେ ବିଜେପି ଆଉ ପାଦେ ଆଗେଇ ଯାଇଛି। ବିଜେପି ନେତୃତ୍ୱାଧୀନ ଏନଡିଏକୁ ୩୮ଟି ରାଜନୀତିକ ଦଳ ସମର୍ଥନ କରୁଥିବା ଖୋଦ୍‌ ପଦ୍ମ ଦଳର ମୁଖିଆ ଜେପି ନଡ୍ଡା ଆଜି ଦମ୍ଭୋକ୍ତି କରିଛନ୍ତି।

କଂଗ୍ରେସ ସମେତ ୨୬ଟି ବିରୋଧୀ ଦଳର ନେତାମାନେ ଆଜିଠୁ ବେଙ୍ଗାଲୁରୁରେ ୨ ଦିନିଆ ବୈଠକ ଆରମ୍ଭ କରିଛନ୍ତି। ଆସନ୍ତାକାଲି ବିଜେପି ନେତୃତ୍ୱାଧୀନ ଏନଡିଏ ଦିଲ୍ଲୀର ତା’ର ବଳ ଦେଖାଇବ। ଏଥିରେ ୩୮ଟି ଦଳ ସାମିଲ ହେବେ ବୋଲି ଶ୍ରୀ ନଡ୍ଡା ଆଜି ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ବିଗତ କିଛି ବର୍ଷ ମଧ୍ୟରେ ଏନଡିଏର ପରିସୀମା ବିସ୍ତାର ହୋଇପାରିଛି। ବିକାଶର ଏଜେଣ୍ଡାକୁ ବୃଦ୍ଧି କରିବା ପାଇଁ ଲୋକଙ୍କ ଆଗ୍ରହ ବଢ଼ିଛି। ତେଣୁ ଏନଡିଏର ପରିସୀମା ମଧ୍ୟ ବୃଦ୍ଧି ପାଇଛି। ଏନଡିଏ ପ୍ରତି ଲୋକଙ୍କ ଭଲ ପାଇବା ରହିଛି। ଏହା କ୍ଷମତା ପାଇଁ ମେଣ୍ଟ ନୁହେଁ। ଏହା ସେବା ପାଇଁ ମେଣ୍ଟ। ବିଗତ ୯ ବର୍ଷ ହେଲା ମୋଦିଜୀ (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କ ନେତୃତ୍ୱରେ ଉତ୍ତମ ଶାସନ ଲୋକଙ୍କୁ ମିଳି ଚାଲିଛି। ଏହା ଏକ ନିୟମିତ ଚାଲୁ ରହିଥିବା ପ୍ରକ୍ରିୟା।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବିଜେପି ସହ ସାମିଲ ହେବାକୁ ଥିବା ଅଧିକାଂଶ ରାଜନୀତିକ ଦଳର ଲୋକସଭା ଆସନ ନାହିଁ। ସେମାନେ ଆଞ୍ଚଳିକ ଦଳ ଭାବେ ପରିଚିତ। ତଥାପି ବିଜେପି ସେମାନଙ୍କୁ ଏନଡିଏରେ ସାମିଲ କରି ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି।

ଚିରାଗ ପାଶ୍ୱାନଙ୍କ ଏଲଜେପି, ଉତ୍ତରପ୍ରଦେଶର ସୁହେଲଦେବ ଭାରତୀୟ ସମାଜବାଦୀ ପାର୍ଟି, ବିହାରର ଜୀତନ ରାମ ମାଂଝିଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା, ଏନସିପିର ଅଜିତ ପାୱାର ଗୋଷ୍ଠୀ ଓ ଶିବସେନାର ସିନ୍ଦେ ଗୋଷ୍ଠୀ ଏନଡିଏ ବୈଠକରେ ସାମିଲ ହେବେ। ଆସନ୍ତାକାଲି ଜନସେନା ମୁଖ୍ୟ ତଥା ସାଉଥ୍ ସୁପରଷ୍ଟାର ପବନ କଲ୍ୟାଣ ମଧ୍ୟ ଏନଡିଏର ବୈଠକରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। 

ବିଜେପି ଅଧ୍ୟକ୍ଷ ନଡ୍ଡା ବେଙ୍ଗାଲୁରୁରେ ଆରମ୍ଭ ହୋଇଥିବା ବିରୋଧୀଙ୍କ ମହାବୈଠକକୁ ମଧ୍ୟ କଟାକ୍ଷ କରିଛନ୍ତି। ସେ କହିଛନ୍ତି, “ଫଟୋ ଉଠାଇବା ପାଇଁ ଏହା ଏକ ଭଲ ପଦକ୍ଷେପ। ସ୍ୱାର୍ଥ ପାଇଁ ଏକାଠି ହୋଇଥିବା ଲୋକମାନେ କେବଳ ଫାଙ୍କା ଆବାଜ କରନ୍ତି। ୨୦ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ବିରୋଧରେ ଯେମିତି କାର୍ଯ୍ୟାନୁଷ୍ଠାନ ନ ହେଉ, ସେଥିପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇଛନ୍ତି।

ଦେଶବାସୀ ଏବେଠାରୁ ନିଷ୍ପତ୍ତି ନେଇ ସାରିଛନ୍ତି ଯେ ୨୦୨୪ରେ ପୁଣିଥରେ ମୋଦିଜୀଙ୍କ ନେତୃତ୍ୱରେ ଏନଡିଏ କ୍ଷମତାକୁ ଆସିବ।” ଏଥିସହ ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାଗୁଡ଼ିକ ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ପୂର୍ବରୁ ପାଟନା ବୈଠକରେ ୧୫ଟି ଦଳକୁ ଗୋଟିଏ ମଞ୍ଚକୁ ଆଣି ପାରିଥିବା ବିରୋଧୀ ଏଥର ସଂଖ୍ୟା ୨୬କୁ ବଢ଼ିଥିବା ଦାବି ହୋଇଛି। କଂଗ୍ରେସ ନେତୃତ୍ୱରେ ବୈଠକ ବସୁଥିବା ବେଳେ ବିରୋଧୀଙ୍କ ମହାମେଣ୍ଟ ୟୁପିଏ ନାଁରେ ପରିଚୟ ହାସଲ କରିବ ନାହିଁ। ଏହି ସମ୍ଭାବ୍ୟ ବିରୋଧୀ ମେଣ୍ଟର ନାଁ ୟୁନାଇଟେଡ୍ ୱି ଷ୍ଟାଣ୍ଡ୍ ରହିବ ବୋଲି ଜଣାପଡ଼ିଛି। ଏହି ବୈଠକରେ କଂଗ୍ରେସରୁ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ମଲ୍ଲିକାର୍ଜୁନ ଖଡଗେ ଯୋଗ ଦେଇଛନ୍ତି।

ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ସପା ନେତା ଅଖିଳେଶ ଯାଦବ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଆରଜେଡିରୁ ଲାଲୁ ପ୍ରସାଦ ଯାଦବ ଓ ତେଜସ୍ୱୀ ଯାଦବ, ଆପରୁ ଅରବିନ୍ଦ କେଜ୍ରିୱାଲ, ନ୍ୟାଶନାଲ କନଫରେନ୍ସରୁ ଫାରୁକ୍ ଅବଦୁଲ୍ଲା, ପିଡିପିରୁ ମେହବୁବା ମୁଫତି ଓ ଡିଏମକେରୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଭଳି ଅନେକ ହେଭିୱେଟ୍ ବେଙ୍ଗାଲୁରୁ ବୈଠକରେ ଯୋଗ ଦେଇଛନ୍ତି।

ଜେଏମ୍ଏମ୍, ବାମପନ୍ଥୀ, ଶିବସେନାର ଉଦ୍ଧବ ଗୋଷ୍ଠୀ ଓ ଏନସିପିର ଶରଦ ଶରଦ ପାୱାର ମଧ୍ୟ ବୈଠକରେ ସାମିଲ ହେବାକୁ ଯାଉଛନ୍ତି। ଶରଦ ପାୱାର ଆଜି ବୈଠକରେ ଯୋଗ ଦେଇ ନାହାନ୍ତି। ଆସନ୍ତାକାଲି ସେ ବେଙ୍ଗାଲୁରୁରେ ପହଞ୍ଚିବେ। ଏହି ବୈଠକରେ ଇଭିଏମ୍, ଲୋକସଭା ସିଟ୍ ଶେୟାରିଂ ଓ ମିଳିତ ବିରୋଧୀ ମେଣ୍ଟର ନୂଆ ନାଁ ସଂପର୍କରେ ଆଲୋଚନା ହେବ।

କେ.ଚନ୍ଦ୍ରଶେଖର ରାଓଙ୍କ ବିଆରଏସ୍, ଜଗନମୋହନ ରେଡ୍ଡିଙ୍କ ୱାଇଏସ୍ଆର୍ କଂଗ୍ରେସ, ଚନ୍ଦ୍ରବାବୁ ନାଇଡ଼ୁଙ୍କ ଟିଡିପି, ଏଚଡି ଦେବଗୌଡ଼ାଙ୍କ ଜେଡିଏସ୍ ଓ ଅକାଳି ଦଳ କୌଣସି ମେଣ୍ଟକୁ ଏଯାଏ ସମର୍ଥନ କରିନାହାନ୍ତି। ବିଜେଡି ମଧ୍ୟ ନିଜର ସମଦୂରତା ନୀତିରେ କାଏମ ରହି କୌଣସି ବୈଠକରେ ସାମିଲ ହେବନାହିଁ ବୋଲି ସ୍ପଷ୍ଟ କରିଛି।

Related story