Advertisment

ହରିୟାଣା ନିର୍ବାଚନ ତାରିଖ ବଦଳାଇବାକୁ ବିଜେପିର ଅନୁରୋଧ

ନିର୍ବାଚନ ତାରିଖ ବଦଳାଇବା ପାଇଁ ହରିୟାଣା ବିଜେପି ପକ୍ଷରୁ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଛି।

author-image
Hemant Lenka
BJP

BJP

ଅକ୍ଟୋବର ୧ରେ ହେବାକୁ ଥିବା ହରିୟାଣା ବିଧାନସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି ବିଜେପି। ନିର୍ବାଚନ ତାରିଖ ବଦଳାଇବା ପାଇଁ ହରିୟାଣା ବିଜେପି ପକ୍ଷରୁ ଭାରତୀୟ ନିର୍ବାଚନ କମିଶନଙ୍କୁ ଚିଠି ଲେଖାଯାଇଛି।

Advertisment

ଅକ୍ଟୋବର ୧ ବଦଳରେ ଅନ୍ୟ ତାରିଖରେ ଭୋଟ ଗ୍ରହଣ କରିବାକୁ ଦଳ ଦାବି କରିଛି। ଅକ୍ଟବୋର ୧ ପୂର୍ବରୁ ଓ ଅକ୍ଟୋବର ୧ ପରେ ଛୁଟି ପଡ଼ୁ ଥିବାରୁ ଦଳ ପକ୍ଷରୁ ତାରିଖ ବଦଳାଇବାକୁ କୁହାଇଛି।

ହରିୟାଣ ବିଜେପି ମୁଖ୍ୟ ମୋହଲ ଲାଲ ବାଦୋଲି ନିର୍ବାଚନ କମିଶନଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ ଲୋକମାନେ ଅକ୍ଟୋବର ୧ ପୂର୍ବରୁ ଓ ପରେ ଛୁଟି ଥିବାରୁ ବାହାରକୁ ବୁଲିବାକୁ ଆଗ୍ରହ ଦେଖାଇଛନ୍ତି। ସେମାନେ ଛୁଟିରେ ଯିବାକୁ ଥିବାରୁ ଏହାର ପ୍ରଭାବ ଭୋଟିଂ ହାର ଉପରେ ପଡ଼ିପାରେ। ତେଣୁ ସେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ନୂଆ ତାରିଖ ଧାର୍ଯ୍ୟ କରିବାକୁ ନିର୍ବାଚନ କମିଶନଙ୍କୁ କହିଛନ୍ତି।

Advertisment

ବିଜେପି ରାଜ୍ୟ ନିର୍ବାଚନ ପରିଚାଳନା କମିଟିର ସଦସ୍ୟ ବରିନ୍ଦର ଗର୍ଗ କହିଛନ୍ତି, “ତାରିଖ ବଦଳାଇବା ଅନୁରୋଧ ପଛରେ କାରଣ ରହିଛି। ଅକ୍ଟୋବର ୧ ପୂର୍ବରୁ ସପ୍ତାହନ୍ତ ଛୁଟି ରହିଛି। ଅକ୍ଟୋବର ୧ ପରେ ମଧ୍ୟ କିଛି ଛୁଟି ରହିଛି। ତେଣୁ ଛୁଟି ବେଳେ ଲୋକମାନେ ସାଧାରଣତଃ ବୁଲିବାକୁ ଯାଆନ୍ତି। ସପ୍ତାହନ୍ତ ଓ ଅନ୍ୟ ଛୁଟି ଯୋଗୁ ଲୋକମାନେ ଅକ୍ଟୋବର ୧ ପୂର୍ବରୁ ଓ ପରେ ଛୁଟିରୁ ଫେରିବାକୁ ଲକ୍ଷ୍ୟ ରଖିଛନ୍ତି।

ସେପ୍ଟେମ୍ବର ୨୮ ହେଉଛି ଶନିବାର। ଅନେକଙ୍କ ପାଇଁ ଏହା ଛୁଟି ଦିନ। ରବିବାର ମଧ୍ୟ ଛୁଟି। ଅକ୍ଟୋବର ୧ରେ ନିର୍ବାଚନ ପାଇଁ ମଧ୍ୟ ଛୁଟି। ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ। ଅକ୍ଟୋବର ୩ ମହାରାଜ ଅଗ୍ରସେନ ଜୟନ୍ତୀ ପାଇଁ ଛୁଟି। ତେଣୁ ଲାଗିଲାଗି ଛୁଟି ଥିବାରୁ ଲୋକମାନେ ବୁଲିବା ପାଇଁ ଯିବେ। ଏହାର ପ୍ରଭାବ ଭୋଟିଂ ହାର ଉପରେ ପଡ଼ିବ।”

ନିର୍ବାଚନ କମିଶନ ଶୁକ୍ରବାର ଠାରୁ ବିଜେପି ରାଜ୍ୟ ମୁଖ୍ୟଙ୍କ ଚିଠି ପାଇ ସାରିଥିବା ରାଜ୍ୟ ନିର୍ବାଚନ ଅଧିକାରୀ ପଙ୍କଜ ଅଗ୍ରୱାଲ ନିଶ୍ଚିତ କରିଛନ୍ତି। ସେ କହିଛନ୍ତି, “ଆମେ ରାଜ୍ୟ ବିଜେପିର ଚିଠି ପାଇଛୁ। ଏହାକୁ ନିର୍ବାଚନ କମିଶନଙ୍କ ନିକଟକୁ ପରୱାର୍ଡ କରିଦିଆଯାଇଛି।

ଅନ୍ୟପକ୍ଷରେ ବିଜେପିର ଏପରି ତାରିଖ ବଦଳାଇବା ଅନୁରୋଧକୁ କଂଗ୍ରେସ କଟାକ୍ଷ କରିଛି। ବିଜେପି ଏବେଠାରୁ ପରାଜୟ ସ୍ୱୀକାର କରି ସାରିଥିବା ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡ୍ଡା ଦାବି କରିଛନ୍ତି। ସେ କହିଛନ୍ତି, “ନିର୍ବାଚନ ତାରିଖ ଘୋଷଣା ହେବାକୁ ସପ୍ତାହେ ବିତିଲାଣି। ଏବେ ସେମାନଙ୍କର ତାରିଖ ବଦଳାଇବା କଥା ମନେ ପଡ଼ୁଛି। ସେମାନେ ଏବେ ନିର୍ବାଚନକୁ ସ୍ଥଗିତ ରଖିବାକୁ ଚାହୁଁଛନ୍ତି। ସେମାନେ ପରାଜୟକୁ ସ୍ୱୀକାର କରିସାରିଲେଣି। ନିର୍ବାଚନ କମିଶନ ଧାର୍ଯ୍ୟ ତାରିଖରେ ନିର୍ବାଜଚନ କରନ୍ତୁ। କାରଣ ଲୋକମାନେ ଏ ସରକାର ଆଉ କ୍ଷମତାରେ ରହୁ ବୋଲି ଚାହୁଁନାହାନ୍ତି।”

Haryana News Haryana Election Poll