Advertisment

ଶ୍ରଦ୍ଧା କିଏ? ଶ୍ରଦ୍ଧାର ସହ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଲେ ବିଜେପି ନେତା

‘ଡାଲି ଦେଖିଲେ ଭୟଭୀତ ହେଉଛନ୍ତି ବାଚସ୍ପତି। ସେ କାହିଁକି ଭୟଭୀତ ହେଉଛନ୍ତି, ତାହା ମୁଁ ଜାଣିପାରୁନାହିଁ। ଯାହା ଜଣାପଡ଼ୁଛି ୨୦୧୧ ମସିହାର କଥା ତାଙ୍କର ବୋଧହୁଏ ମନେ ପଡ଼ିଯାଉଥିବ। ଡାଲି ପାଇଁ ତାଙ୍କର ମନ୍ତ୍ରୀପଦ ଚାଲି ଯାଇଥିଲା।’

author-image
Manoranjan Sial
ଅଦ୍ୟତନ ହୋଇଛି
Sradha

Sradha

ଶ୍ରଦ୍ଧା କିଏ? ଗତ ଦୁଇ ଦିନ ହେଲା ଏହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଛି। ଆରୋପ ଓ ପ୍ରତ୍ୟାରୋପ ଚାଲୁଛି। ହେଲେ ଆଜି ପର୍ଯ୍ୟନ୍ତ ଶ୍ରଦ୍ଧା କିଏ ଜଣାପଡୁ ନାହିଁ। ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ଫିଡିକି ଯାଉଛି ଶାସକ ବିଜେଡି। କେହି କିଛି ଉତ୍ତର ଦେବା ମୁଡ୍‌ରେ ନାହାନ୍ତି। ଆଜି ଶ୍ରଦ୍ଧାଙ୍କ ସମ୍ପର୍କରେ ଶ୍ରଦ୍ଧାର ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାଣିତ ପ୍ରଶ୍ନ ପଚାରିଛି ବିଜେପି।

Advertisment

ଆଜି ଭିନ୍ନ ଆନ୍ଦାଜରେ ଗଣମାଧ୍ୟମକୁ ସମ୍ୱୋଧିତ କରି ସାଂସଦ ବସନ୍ତ ପଣ୍ଡା କହିଛନ୍ତି, ପତ୍ରକାର ବନ୍ଧୁଗଣ, ଆପଣମାନେ ଶ୍ରଦ୍ଧା କରୁଛନ୍ତି ବୋଲି ଆଜି ଶ୍ରଦ୍ଧାର ସହିତ ଆମ ଗହଣରେ ଉପସ୍ଥିତ ଅଛନ୍ତି। କିନ୍ତୁ ଦୁଃଖର କଥା ଏ ଓଡ଼ିଆ ଜାତି ଶ୍ରଦ୍ଧାର ଅର୍ଥ ପରିବର୍ତ୍ତନ କରିଦେଲାଣି। ଗତ ୨୬ ତାରିଖରେ ବିଧାନସଭାରେ ବିଧାୟକ ଦଳ ନେତା ଯେତେବେଳେ ଶ୍ରଦ୍ଧାର କଥା କହିଲେ, ସେତେବେଳେ ସମ୍ପୂର୍ଣ୍ଣ ଶାସକ ଦଳ ବିଜେଡ ଭୟଭୀତ, ଆତଙ୍କିତ ଓ ବିଚଳିତ ହୋଇପଡ଼ିଥିଲା। କାରଣ ଏଇଟା ଗୋଟିଏ ବିଚିତ୍ର ପ୍ରସଙ୍ଗ। ଏ ଶ୍ରଦ୍ଧା ଆମେ ଲୋକଙ୍କୁ ମଧ୍ୟ ମାଗୁଛୁ। ଲୋକମାନେ ସ୍ନେହ, ଶ୍ରଦ୍ଧା, ଆଶୀର୍ବାଦ ପ୍ରଦାନ କରନ୍ତୁ। କିନ୍ତୁ ସେହି ଶ୍ରଦ୍ଧାର ନାଁରେ ବିଜେଡି ବିଚଳିତ ହେଉଛି କାହିଁକି? ପବିତ୍ର ବିଧାନସଭାରେ କାହିଁକି ଅସନ୍ତୋଷ ପ୍ରକାଶ କରୁଛି ଓ ଆକ୍ରୋଶ ଦେଖାଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ଡାଲି ଦେଖିଲେ ଭୟଭୀତ ହେଉଛନ୍ତି ବାଚସ୍ପତି। ସେ କାହିଁକି ଭୟଭୀତ ହେଉଛନ୍ତି, ତାହା ମୁଁ ଜାଣିପାରୁନାହିଁ। ଯାହା ଜଣାପଡ଼ୁଛି ୨୦୧୧ ମସିହାର କଥା ତାଙ୍କର ବୋଧହୁଏ ମନେ ପଡ଼ିଯାଉଥିବ। ଡାଲି ପାଇଁ ତାଙ୍କର ମନ୍ତ୍ରୀପଦ ଚାଲି ଯାଇଥିଲା। ଜଣେ ବାଚସ୍ପତି ନିରପେକ୍ଷ ଦାୟିତ୍ୱ ନିର୍ବାହ କରିବା କଥା। କିନ୍ତୁ ସେ ପକ୍ଷପାତିତା କରୁଛନ୍ତି ବୋଲି ଆଜି ସାରା ଓଡ଼ିଶାରେ ଚର୍ଚ୍ଚା ହେଉଛି ବୋଲି କହିଛନ୍ତି।

Advertisment
Naveen Patnaikଭାଟିକାନ ସିଟିରେ ପୋପ୍‌ଙ୍କୁ ଭେଟିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ସଚିବ ଭି.କେ ପାଣ୍ଡିଆନଙ୍କ ମଝିରେ ଛିଡ଼ା ହୋଇଥିବା ମହିଳା ଜଣଙ୍କ ଶ୍ରଦ୍ଧା ବୋଲି କୁହାଯାଉଛି।

ସେ ଆହୁରି କହିଛନ୍ତି, କୌଣସି ପ୍ରସଙ୍ଗ ଉଠାଇଲେ ସ୍ୱାଧୀକାର ଭଙ୍ଗ ନାଁରେ ଓ ବିଭିନ୍ନ ବିଶୃଙ୍ଖଳା ଆଚରଣ ନାଁରେ ବିରୋଧୀ ଦଳ ନେତାମାନଙ୍କୁ ବିଭିନ୍ନ ଆଖ୍ୟା ଦିଆଯାଉଛି। କାହାକୁ ପାଗଳ କହୁଛନ୍ତି ତ କିଏ ପ୍ରଳାପ କରୁଛନ୍ତି ବୋଲି କହୁଛନ୍ତି। କିନ୍ତୁ ପ୍ରକୃତରେ ଏ ଶ୍ରଦ୍ଧା ଓ ଡାଲି, ଯାହାର ଦାନ୍ତ ନାହିଁ ସିଏ ବିଜେଡି ନେତା, ବାଚସ୍ପତି ଓ ନବୀନ ପଟ୍ଟନାୟକଙ୍କୁ କାମୁଡ଼ି ଦେଇଛି। ଗତକାଲି ଗୋଟିଏ ମେସେଜ ଆସିଥିଲା- ବିଲୁଆ, ଗଧିଆ, କୁକୁର କାମୁଡ଼ିଲେ ୧୪ଟା ଇଞ୍ଜେକ୍‌ସନ୍‌ ଦିଆଯାଏ ବୋଲି। ବର୍ତ୍ତମାନ ବିଜେଡିକୁ ୧୪ଟା ଇଞ୍ଜେକ୍‌ସନ ଦରକାର। ନହେଲେ ସେମାନେ ପ୍ରାଣହାରି ପାରନ୍ତି। ଲୋକ ମଲା ବେଳେ ଯେଉଁଭଳି ଆର୍ତ୍ତ ଚିତ୍କାର କରନ୍ତି, ଠିକ୍‌ ସେହିଭଳି ଶାସକ ଦଳ ବିଧାନସଭାରେ କରୁଛନ୍ତି। ଏକ ନମ୍ବର ମୁଖ୍ୟମନ୍ତ୍ରୀ ଉତ୍ତର ଦେବା କଥା। ପଳାୟନ କାହିଁକି କରୁଛନ୍ତି? ଶ୍ରଦ୍ଧା କିଏ? କାହିଁକି ଭାଟିକାନ୍‌ ସିଟିକୁ ତାଙ୍କୁ ନେଇଥିଲେ? କେଉଁ ଉଦ୍ଦେଶ୍ୟରେ ସେ ଭାଟିକାନ ସିଟି ଯାଇଥିଲେ? ତାଙ୍କୁ କିଏ ନେଇଥିଲା? ସେ ଦୈନକ କି କାମ କରୁଥିଲେ? ତାଙ୍କୁ ଟିକେଟ୍‌ କିଏ ଦେଲା? ସେ କେମିତି ମୁଖ୍ୟମନ୍ତ୍ରୀଙ୍କ ସହିତ ଗଲେ? ମୁଖ୍ୟମନ୍ତ୍ରୀ ତାହାର ଉତ୍ତର ରଖନ୍ତୁ। କାହିଁକି ମୁଖ୍ୟମନ୍ତ୍ରୀ ପଳାୟନ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

ବସନ୍ତ ପଣ୍ଡା ଆହୁରି କହିଛନ୍ତି, ଡାଲି ଦେଖି ବାଚସ୍ପତି ମହୋଦୟା ମୁଖ୍ୟ ସଚେତକ ମୋହନ ମାଝି ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭାରୁ ସସ୍‌ପେଣ୍ଡ କରିଛନ୍ତି। ଏଇଟା ପୃଥିବୀରେ ବିରଳ ଦୃଷ୍ଟାନ୍ତ ହେବ। ହେଲେ ପବିତ୍ର ବିଧାନସଭା ଭିତରେ ଶ୍ରଦ୍ଧା ଓ ଡାଲି ନାଁରେ ବିଜେଡି କ’ଣ ଅପବିତ୍ର କାମ କରୁଛି? ଆଜି ଏହାର ଉତ୍ତର ଦେଉ। ଉକ୍ତ ମହିଳାଙ୍କ ସହ କିଛି ଘଟିନାହିଁ ତ? ମୁଁ ଅନୁରୋଧ କରିବାକୁ ଚାହୁଁଛି, ଶ୍ରଦ୍ଧାର ସହ ଶ୍ରଦ୍ଧାଙ୍କ ବିବରଣୀ ମୁଖ୍ୟମନ୍ତ୍ରୀ ଲୋକଙ୍କ ସାମ୍ନାକୁ ଆଣନ୍ତୁ। ନହେଲେ ଦାୟିତ୍ୱରୁ ମୁକ୍ତ ହୁଅନ୍ତୁ। ଓଡ଼ିଶା ମାଟିର ସ୍ୱାଭିମାନକୁ ଅପମାନ କରନ୍ତୁ ନାହିଁ। ମାତୃ ଜାତିକୁ ଅପମାନିତ କରନ୍ତୁ ନାହିଁ ବୋଲି ଶ୍ରୀ ପଣ୍ଡା କହିଛନ୍ତି।

BjD Bjp State Bjp Bjd Leader