Advertisment

ରାହୁଲ ଗାନ୍ଧିଙ୍କ ‘ଭୋଟ ଚୋରି ହାଇଡ୍ରୋଜେନ ବୋମା’ ବୟାନକୁ କଟାକ୍ଷ କଲା ବିଜେପି

ରାହୁଲ ଆଜି ହାଇଡ୍ରୋଜେନ ବୋମା କଥା କହିବାରୁ ଏହାକୁ କାଉଣ୍ଟର କରିବାକୁ ଚେଷ୍ଟା କରିଛି ବିଜେପି। ଦଳ ପକ୍ଷରୁ ରାହୁଲଙ୍କୁ କଟାକ୍ଷ କରାଯିବା ସହ ଦେଶର ଭୋଟରଙ୍କୁ ସେ ଅପମାନିତ କରୁଥିବା କୁହାଯାଇଛି।

author-image
Hemant Lenka
BJP

BJP

ନିଜର ଭୋଟର ଚୋରି ଅଭିଯୋଗକୁ ଆହୁରି ତୀବ୍ର କରିଛନ୍ତି କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ଖୁବଶୀଘ୍ର ସେ ଭୋଟ ଚୋରିର ହାଇଡ୍ରୋଜେନ ବୋମା ଧରି ଆସିବେ ବୋଲି କହିବା ପରେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନ ଶାସକ ବିଜେପି ସହ ମିଶି ଭୋଟ ଚୋରି କରୁଥିବା ରାହୁଲ ଗାନ୍ଧି କହିବା ସହ ବିହାର ନିର୍ବାଚନରେ ହେରଫେର କରିବାକୁ ଏସ୍‌ଆଇଆର ଚାଲିଥିବା ସେ ଅଭିଯୋଗ କରୁଛନ୍ତି।

Advertisment

ରାହୁଲ ଆଜି ହାଇଡ୍ରୋଜେନ ବୋମା କଥା କହିବାରୁ ଏହାକୁ କାଉଣ୍ଟର କରିବାକୁ ଚେଷ୍ଟା କରିଛି ବିଜେପି। ଦଳ ପକ୍ଷରୁ ରାହୁଲଙ୍କୁ କଟାକ୍ଷ କରାଯିବା ସହ ଦେଶର ଭୋଟରଙ୍କୁ ସେ ଅପମାନିତ କରୁଥିବା କୁହାଯାଇଛି। ରାହୁଲ ବିହାରରେ କରୁଥିବା ଭୋଟର ଅଧିକାର ଯାତ୍ରାରେ ଲୋକ ହେଉ ନାହାନ୍ତି ଓ ଉତ୍ତର ପ୍ରଦେଶର ଦେଓରିଆରୁ ୨୦ ହଜାର ଲୋକଙ୍କୁ ଭଡ଼ାରେ ଅଣା ଯାଇଥିବା ମଧ୍ୟ ବିଜେପି ଅଭିଯୋଗ କରିଛି।

ପୂର୍ବତନ ଆଇନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରବି ଶଙ୍କର ପ୍ରସାଦ କହିଛନ୍ତି, “ମୁଁ ଯେତେବେଳେ ବି ରାହୁଲ ଗାନ୍ଧିଙ୍କୁ ସଂସଦ ବାହାରେ କିମ୍ବା ଭିତରେ ଶୁଣେ ସେତେବେଳେ ସେ କ’ଣ କହିବାକୁ ଚେଷ୍ଟା କରୁଛନ୍ତି, ତା’କୁ ବୁଝିବାକୁ ବେଶ ସମୟ ଲାଗେ। ନିର୍ବାଚନ ସହ ଆଣବିକ ବୋମା ଓ ହାଇଡ୍ରୋଜେନ ବୋମା ଜଡ଼ିତ? ରାହୁଲ ଗାନ୍ଧି ଦାୟିତ୍ୱହୀନ ବୟାନ ଦେଉଛନ୍ତି।”

Advertisment

ପାଟନାରେ ଆଜି ଭୋଟର ଅଧିକାର ଯାତ୍ରାର ଶେଷ ଦିନରେ ରାହୁଲ ଗାନ୍ଧି କହିଛନ୍ତି ଯେ ବିରୋଧୀ ମହାଗଠବନ୍ଧନ ଡାକାରର ଉତ୍ତର ବିହାର ଦେଇଛି। ଲୋକମାନେ ଏହି ଶୋଭାଯାତ୍ରାରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଭୋଟ ଚୋର, ଗାଦି ଛାଡ଼ ନାରାକୁ ସଫଳ କରିଥିବା ରାହୁଲ କହିଛନ୍ତି।

ସେ କହିଛନ୍ତି, “ଆମେ ସେମାନଙ୍କୁ(ବିଜେପି) ସମ୍ବିଧାନକୁ ହତ୍ୟା କରିବା ପାଇଁ ଦେବୁ ନାହିଁ। ଖାସ ସେଥିପାଇଁ ଆମେ ଏହି ଯାତ୍ରା ଆରମ୍ଭ କରିଛୁ ଓ ଆମକୁ ବଡ଼ ସଫଳତା ମଧ୍ୟ ମିଳିଛି। ଲୋକମାନେ ବିପୁଳ ସଂଖ୍ୟାରେ ଆସି ଭୋଟ ଚୋର, ଗାଦି ଛାଡ଼ ନାରା ଦେଇଛନ୍ତି। ଭୋଟ ଚୋର ନାରା ସବୁଆଡ଼େ ଶୁଭୁଛି। ଏହା ଚାଇନାରେ ମଧ୍ୟ ପହଞ୍ଚିଛି।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସ୍‌ସିଓ ସମ୍ମିଳନୀ ପାଇଁ ଚାଇନା ଯାଇଥିବାରୁ ରାହୁଲ ତାଙ୍କୁ କଟାକ୍ଷ କରିଛନ୍ତି।

ସେ ଆହୁରି କହିଛନ୍ତି, “ମୁଁ ବିଜେପିର ଲୋକମାନଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। ଆପଣମାନେ କେବେ ବି ଆଣବିକ ବୋମା ଠାରୁ କିଛି ବଡ଼ ଶୁଣିଛନ୍ତି? ସେଇଟା ହେଉଛି ହାଇଡ୍ରୋଜେନ ବୋମା। ବିଜେପିର ଲୋକମାନେ ପ୍ରସ୍ତୁତ ହୋଇ ରହିଥାଏ, ଗୋଟିଏ ହାଇଡ୍ରୋଜେନ ବୋମା ଆସୁଛି। ମୁଁ ନିଶ୍ଚିତ ଯେ ହାଇଡ୍ରୋଜେନ ବୋମା ପରେ ନରେନ୍ଦ୍ର ମୋଦିଜୀ  ମୁହଁ ଦେଖାଇବାକୁ ଆଉ ସକ୍ଷମ ହେବେ ନାହିଁ।”

Bjp Rahul Gandhi