Advertisment

ଭୁବନେଶ୍ୱର ଏବେ ଡେଙ୍ଗୁର ହଟ୍‌ସ୍ପଟ୍‌: ବିଜେପି

ଡେଙ୍ଗୁ ନିୟନ୍ତ୍ରଣରେ ବିଏମସିର ବିଫଳତାକୁ ଦାୟୀ କରି ମେୟରଙ୍କ ଇସ୍ତଫା ଦାବି କରିଛି ବିଜେପି।

ଅଦ୍ୟତନ ହୋଇଛି
BJP

BJP

Advertisment

‘ଭୁବନେଶ୍ୱର ପାଲଟିଛି ଡେଙ୍ଗୁର ହଟ୍‌ସ୍ପଟ୍‌। ଗତକାଲି ୧୦ ହଜାର ଟେଷ୍ଟ କରାଯାଇଥିଲା। ସେଥିମଧ୍ୟରୁ ୭ ହଜାର ପଜିଟିଭ ବାହାରିଛନ୍ତି।’ ରାଜଧାନୀ ଭୁବନେଶ୍ୱରରେ ଡେଙ୍ଗୁ ବେକାବୁ ସ୍ଥିତିକୁ ଚାଲିଯାଇଥିବା ଅଭିଯୋଗ କରି ଆଜି ବିଜେପି ପକ୍ଷରୁ ବିଏମ୍‌ସି ଅଫିସ ଘେରାଉ କରାଯାଇଥିବା ବେଳେ ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂହ ଦେଇଛନ୍ତି ଏଭଳି ମନ୍ତବ୍ୟ।  

Advertisment

ସେ କହିଛନ୍ତି, ‘ବର୍ଷା ଦିନ ଆସିଲେ ଭୁବନେଶ୍ୱରବାସୀ ପ୍ରମାଦ ଗଣୁଛନ୍ତି। ବର୍ଷା ଦିନ ପୂର୍ବରୁ ମେୟର କହିଥିଲେ ଯେ ଏଥର କାହା ଘରେ ପାଣି ପଶିବ ନାହିଁ କି କାହାକୁ ଡେଙ୍ଗୁ ଜ୍ୱର ହେବ ନାହିଁ। ଆମେ ଧୂଆଁ ଦେଇ ଡେଙ୍ଗୁ ମଶାକୁ ମାରିଦେବୁ। ହେଲେ ବର୍ଷା ପ୍ରାରମ୍ଭରରୁ ଡେଙ୍ଗୁ ରୋଗ ବ୍ୟାପିଛି। 

ଭୁବନେଶ୍ୱରରେ ଡେଙ୍ଗୁରେ କେହି ମରିନାହାନ୍ତି ବୋଲି ମେୟର କହୁଛନ୍ତି। ମେୟର ନାଲି ଚଷମା ପିନ୍ଧିଲେ କ’ଣ ହେବ? ମେୟର ଓ କମିଶନଙ୍କୁ ଆମେ ଅନୁରୋଧ କରୁଛୁ ଗଳି କନ୍ଦି ବୁଲି ସ୍ଥିତି ସମୀକ୍ଷା କରନ୍ତୁ, ମେଡିକାଲକୁ ଯାଇ ପ୍ରକୃତ ତଥ୍ୟ ଆଣନ୍ତୁ। ରାଜଧାନୀରେ ଡେଙ୍ଗୁ ରୋଗୀ ହୁ ହୁ ହୋଇ ବଢ଼ୁଛନ୍ତି। ଏହା ଡେଙ୍ଗୁର ହଟ୍‌ସ୍ପଟ୍‌ ପାଲଟିଛି।’

Advertisment

ବାବୁ ସିଂହ ଆହୁରି କହିଛନ୍ତି, ଯେଉଁମାନେ ଭୁବନେଶ୍ୱରକୁ ସ୍ମାର୍ଟ ସିଟି କହି ଡେଙ୍ଗୁରା ପିଟୁଥିଲେ, ଆଜି ସେମାନଙ୍କ ମୁହଁ ବନ୍ଦ ହୋଇଯାଇଛି। ରାଜଧାନୀରେ ଡେଙ୍ଗୁ ବେକାବୁ ସ୍ଥିତିରେ ରହିଛି। ଏହାକୁ କିପରି ରୋକି ହେବ ସେ ନେଇ ସରକାର ପଦକ୍ଷେପ ନିଅନ୍ତୁ। ନହେଲେ ବିଜେପି ତା’ର ଆନ୍ଦୋଳନକୁ ଆହୁରି ଶାଣିତ କରିବ।

ଆଜି ଭୁବନେଶ୍ୱର ଜିଲ୍ଲା ବିଜେପି ପକ୍ଷରୁ ଦଳୀୟ କର୍ମୀମାନେ ହାତରେ ମଶାରୀ ଧରି ବିଏମ୍‌ସି ଅଫିସ ଘେରାଉ କରିଥିଲେ। ଭୁବନେଶ୍ୱରରେ ଡେଙ୍ଗୁ ନିୟନ୍ତ୍ରଣ କରିବାରେ ବିଏମ୍‌ସ ବିଫଳ ହୋଇଛି ବୋଲି ସେମାନେ କହିବା ସହିତ ମେୟରଙ୍କ ଇସ୍ତଫା ଦାବି କରିଥିଲେ। 

ଅନ୍ୟପକ୍ଷରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ବି ଭୟାବହ ସ୍ଥିତିକୁ ଡେଙ୍ଗୁ ଆସିନାହିଁ। ଗତ ବର୍ଷ ୧୦ ହଜାର ଟେଷ୍ଟ ହୋଇଥିବା ବେଳେ ୭୦୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ତେବେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ୧୮ ହଜାର ଟେଷ୍ଟ ହୋଇଥିବା ବେଳେ ୫୫୦ ରୋଗୀ ଚିହ୍ନଟ ହୋଇଛନ୍ତି। ୧୦ ଜିଲ୍ଲାରେ ଡେଙ୍ଗୁ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନାହିଁ । ୧୨ ଜିଲ୍ଲାରେ ୯ରୁ କମ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ୭ ଜିଲ୍ଲାରେ ୪୦ରୁ କମ ରୋଗୀ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ରୋଗୀ ସଂଖ୍ୟା ସାମାନ୍ୟ ଅଧିକ ଅଛି। ସବୁ ମ୍ୟୁନିସପାଲଟି, ପଞ୍ଚାୟତ ସମିତିକୁ ମଶା ନିବାରଣ ବ୍ୟବସ୍ଥା କରିବାକୁ କୁହାଯାଇଥିବା ଡକ୍ଟର ମିଶ୍ର ସୂଚନା ଦେଇଛନ୍ତି।

Bhubaneswar State Bjp Bmc Dengue
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe