ରିଏଲ ଇଷ୍ଟେଟ୍ ବ୍ୟବସାୟୀ ଜଗଦୀଶ ପ୍ରସାଦ ନାଏକଙ୍କ ଡିଏନ ଗ୍ରୁପ୍ ଉପରେ ଆଜି ବି ଦ୍ୱିତୀୟ ଦିନ ଆୟକର ବିଭାଗର ଚଢ଼ଉ ଜାରି ରହିଥିବାବେଳେ ଏହି ପ୍ରସଙ୍ଗକୁ ନେଇ ବିଜେଡି ସରକାର ଉପରେ ଉଭୟ କଂଗ୍ରେସ ଓ ବିଜେପି ବର୍ଷିଛନ୍ତି । ଡିଏନ୍ ଗ୍ରୁପଠୁ ନଗଦ ୩୦କୋଟି ଟଙ୍କା ଜବତ ହେବାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ନୂଆ ନାଁ ବିଜେପି ଦେଇଛି । ସିଏମଓ କହିଲେ ମୁଖ୍ୟମନ୍ତ୍ରୀଙ୍କ ଅଫିସ ନୁହେଁ ବରଂ ଲୋକେ ଏବେ କରପସନ ମୋବିଲାଇଜେସନ ଅଫିସ’ ବୋଲି ଭାବୁଥିବା ବିଜେପି କହିଛି । ଦୁର୍ନୀତିଗ୍ରସ୍ତଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କ ନିବିଡ଼ ଓ ସୁଦୃଢ଼ ହେଉଥିବା ଦେଖିବାକୁ ମିଳିଛି ବୋଲି ବିଜେପି କହିଥିବାବେଳେ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ପୃଷ୍ଠପୋଷକତାରେ ଡିଏନ ଗ୍ରୁପର ବ୍ୟବସାୟିକ ସାମ୍ରାଜ୍ୟ ବଢ଼ିଥିବା ଅଭିଯୋଗ କରିଛି । ଏପଟେ ବିଜେଡି ମଧ୍ୟ ଏହାର ଜବାବ ରଖି ଏହାକୁ ସ୍ପର୍ଶକାତର ପ୍ରସଙ୍ଗ କହିବା ସହ ଆଇଟି କିମ୍ବା ଇଡି ଚଢ଼ଉ ହେଲେ ରାଜ୍ୟ ବିଜେପି ବାଉଳାଚାଉଳା ହୁଏ ବୋଲି କହିଛି ।
ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଡିଏନ୍ ଗ୍ରୁପଠୁ ନଗଦ ୩୦କୋଟି ଟଙ୍କା ଜବତର ଖବରକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶାରେ ଯେତେ ଦୁର୍ନୀତିଗ୍ରସ୍ତ ଅଧିକାରୀ ବା ବ୍ୟବସାୟୀ ଧରା ପଡୁଛନ୍ତି ସମସ୍ତଙ୍କର ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ସହିତ ମଧୁର ସର୍ମ୍ପକ ଅଛି ବୋଲି ସାମନାକୁ ଆସୁଛି । ନଗଦ ୩କୋଟି ଟଙ୍କା ଜବତ ହୋଇଥିବା ନବରଙ୍ଗପୁରରେ ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତ ହୁଅନ୍ତୁ ଅବା ଅନ୍ୟ କେହି ଏହି ସରକାରୀ ଅର୍ଥ ଲୁଟର ର୍ୟାକେଟରେ ଆଉ କିଏ କିଏ ସାମିଲ ଥିଲେ ତାହା ଭିଜିଲାନସ ତଦନ୍ତ କରିଲା ନାହିଁ । କାହା ସୁପାରିଶ ଆଧାରରେ ୨୦୧୮ରେ ଗିରଫ ହୋଇଥିବା ସେହି ପ୍ରଶାନ୍ତଙ୍କୁ ୨୦୨୦ରେ ପଦନ୍ନୋତି ମିଳିଥିଲା ସେଦିଗରେ ମଧ୍ୟ ଭିଜିଲାନସ ତଦନ୍ତ କଲା ନାହିଁ ।
ମୁଖ୍ୟମନ୍ତ୍ରୀଙ୍କର ବ୍ୟକ୍ତିଗତ ସଚିବଙ୍କ ସହିତ ପ୍ରଶାନ୍ତଙ୍କର ସର୍ମ୍ପକ ନିବଡ଼ ଥିବାର ଫଟୋଚିତ୍ର ଘୁରିବୁଲିଲା । ଏବେ ଆୟକର ବିଭାଗ ଦ୍ୱାରା ୧୦୦ କୋଟି ଟଙ୍କାରୁ ଅଧିକ କଳା ଟଙ୍କା ଜବତ ହୋଇଥିବା ବ୍ୟବସାୟୀ ଜଗଦୀଶ ନାୟକଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ସର୍ମ୍ପକ ବ୍ୟକ୍ତଗତସ୍ତରରେ । ମୁଖ୍ୟମନ୍ତ୍ରୀ ତାଙ୍କର ବ୍ୟବସାୟିକ ଉସ୍ତ୍ରବରେ ଯୋଗ ଦେଉଥିଲେ, ସାଙ୍ଗରେ ନେଇ ଜାପାନ ଓ ଦୁବାଇ ଯାଉଥିଲେ । ଆଗରୁ ଆୟ ବର୍ହିଭୂତ ସମ୍ପତ୍ତିି ଠୁଳ ମାମଲାରେ ଗିରଫ ହୋଇଥିବା ଆଇଏଫଏସ୍ ଅଭୟ ପାଠକଙ୍କ ପରିବାରର ମଧ୍ୟ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ଅବାଧ ପ୍ରବେଶ ଥିଲା । ଆଗରୁ ଚିଟଫଣ୍ଡ କମ୍ପାନୀ ମାଲିକଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ନିବିଡତା କଥା ସମସ୍ତେ ଜାଣିଥିଲେ ।
ଦୁର୍ନୀତିଖୋରଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କର ଏହି ସର୍ମ୍ପକ ଦିନକୁ ଦିନ ସୁଦୃଢ ହେଉଛି । ଓଡିଶା ହେଉଛି ଦେଶର ସବୁଠାରୁ ଅଧିକ ଦୁର୍ନୀତିଗ୍ରସ୍ତ ରାଜ୍ୟ । ଓଡ଼ିଶା ଲଗାତାର ୩ ବର୍ଷ ହେଲାଣି ଆୟ ବର୍ହିଭୁତ ସମ୍ପତି ଠୁଳ ଅପରାଧରେ ଦେଶରେ ଏକ ନମ୍ବର ସ୍ଥାନରେ ଅଛି । ଚୋର ବେଶି ଧରାପଡୁଛନ୍ତିି ମାନେ ଚୋରି ମଧ୍ୟ ବେଶି ହେଉଛି । ୨୦୨୧ରେ ଓଡ଼ିଶାରେ ଆୟ ବର୍ହିଭୁତ ସମ୍ପତି ଜବତ ହୋଇଥିଲା ୧୦୭ କୋଟି । ୨୦୨୨ରେ ଏହା ହେଲା ୧୭୪ କୋଟି । ୨୦୨୩ରେ ଏହା ୨୫୦ କୋଟିକୁ ପାରିହେବା ଭଳି ଲାଗୁଛି । ଏହାର ଅର୍ଥ ହେଲା ଓଡ଼ିଶାରେ ସରକାରୀ ଅର୍ଥ ଲୁଟ ବର୍ଷକୁ ବର୍ଷ ବଢୁଛି । ଯେଉଁ ମୁଖ୍ୟମନ୍ତ୍ରୀ ୨୦୧୭ରେ କହିଥିଲେ ‘ପିସି ମଷ୍ଟ ଷ୍ଟପ’ ଏବେ ‘ପିସି କମିଛି ନା ବଢିଛି’ ତା’ର ଉତ୍ତର ରଖନ୍ତୁ ।
ସେହିପରି ଓଡ଼ିଶାରେ ଗୋଟିଏ ବର୍ଷରେ ଯେତିକି ଦୁର୍ନୀତି ମାମଲା ରୁଜୁ ହେଉଛି ସେଥିରୁ ଫାଇନାଲ ଚାର୍ଜସିଟ ଦାଖଲ ପରିମାଣ ନଗଣ୍ୟ । ୨୦୨୦ରେ ମୋଟ ୨୪୫ ଟି ମାମଲା ରୁଜୁ ହୋଇଥିଲା ହେଲେ ଫାଇନାଲ ଚାର୍ଜସିଟ ହେଲା ମାତ୍ର ୮ଟିରେ । ୨୦୨୧ରେ ମାମଲା ହେଲା ୨୬୫ଟା, ମାତ୍ର ଫାଇନାଲ ଚାର୍ଜସିଟ ହେଲା ମାତ୍ର ୧୦ଟିରେ । ଏହାର ଅର୍ଥ ହେଉଛ ଦୁର୍ନିତିଗ୍ରସ୍ତ ସରକାରୀ ଦଣ୍ଡ ପାଆନ୍ତୁ ବୋଲି ସରକାର ଚାହୁୂଁନାହାନ୍ତି । ଆମ ସରକାର ଦୁର୍ନୀତି ବିରୋଧୀ ନୀତି ଅବଲମ୍ବନ କରିଛି ବୋଲି ଚିତ୍କାର କରୁଥିବା ବିଜେଡି କାହିଁକି ଦୁର୍ନୀତି ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି ବୋଲି ଜବାବ ରଖିବା ପାଇଁ ବିଜେପି ଦାବି କରିଛି ।
ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଅଭିଯୋଗ କରିଛନ୍ତି ଯେ, ଡିଏନ ଗ୍ରୁପରେ ଶାସକ ବିଜେଡିର ବହୁ ନେତା ପୁଞ୍ଜିନିବେଶ କରିଛନ୍ତି । ସେଥିପାଇଁ କମ୍ପାନୀର ପୃଷ୍ଠପୋଷକତା ସାଜିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଡିଏନ ଗ୍ରୁପ ମୁଖ୍ୟ ଜଗଦୀଶ ନାଏକ ଜାପାନ ଯାଇଥିଲେ । ଏଥିରୁ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ସମ୍ପର୍କ ବ୍ୟକ୍ତିଗତସ୍ତରରେ ଥିବା ପ୍ରମାଣ ମିଳୁଛି । ତେଣୁ ଡିଏନ ଗ୍ରୁପରେ ଏତେ ଟଙ୍କା କାହାର ନିବେଶ ହୋଇଛି ତାହା ରାଜ୍ୟବାସୀ ଜାଣିବାର ଅଧିକାର ଅଛି ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଏସବୁ ଅଭିଯୋଗକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ଓ ଇପସିତା ସାହୁ କହିଛନ୍ତି ଯେ, ସବୁବେଳେ ସ୍ପର୍ଶକାତର ପ୍ରସଙ୍ଗ ଉପରେ ଓଡ଼ିଶା ବିଜେପିର ନେତାମାନେ ତତ୍ପର ହୋଇପଡ଼ନ୍ତି । ଡିଏନ ଗ୍ରୁପ୍ ଉପରେ ଚଢ଼ଉ ଭିତରକୁ ବିଜେଡିକୁ ଟାଣିବାକୁ ଓଡ଼ିଶା ବିଜେପି ଅପଚେଷ୍ଟା କରୁଛି । ଏଥିରେ ବିଜେଡିର କିଛି କହିବାର ନାହିଁ । ଆଇନ ତା’ବାଟରେ ଯିବ । ଆଇଟି ଓ ଇଡି ଚଢ଼ଉ ହେଲେ ରାଜ୍ୟ ବିଜେପି ଏଭଳି ବାଉଳାଚାଉଳା ହୋଇଥାନ୍ତି ।