ପୁଲିସର ଶକ୍ତିକୁ କିଏ ନିଷ୍କ୍ରିୟ କରୁଛି, ରାଜ୍ୟ ପୁଲିସ ସଂଘ ନିରବ କାହିଁକି: ବିଜେପି

ବିଜେଡିରେ ଥିବା ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନଙ୍କ ଭଳି ‘ମାଇଣ୍ଡ ସେଟ୍‌' ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି।

ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର

  • Published: Friday, 10 November 2023
  • , Updated: 10 November 2023, 09:44 AM IST

 ବିଜେଡିର ନେତା ଓ ମନ୍ତ୍ରୀ ପୁଳାପୁଳା ଅପରାଧରେ ସମ୍ପୃକ୍ତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧୃତରାଷ୍ଟ୍ର ସାଜି ସେମାନଙ୍କୁ ସୁରକ୍ଷା ଦେଉଥିବାରୁ ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ବୋଲି ବିଜେପି ଅଭିଯୋଗ କରିଛି । ଏହାସହିତ ପୁଲିସର ଶକ୍ତିକୁ କାହା ନିର୍ଦ୍ଦେଶରେ ନିଷ୍କ୍ରିୟ କରାଯାଉଛି ଓ ରାଜ୍ୟ ପୁଲିସ କାହିଁକି ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାକୁ ନିନ୍ଦା ନକରି ମୌନବ୍ରତ ଧାରଣ କରିଛି ବୋଲି ବିଜେପି ପ୍ରଶ୍ନ କରିଛି ।

ଗତକାଲି ବିଜେପି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର  ଦଳର ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ବିଜେଡିରେ ଥିବା ରାବଣ, ଦୁର୍ଯ୍ୟୋଧନ, ଦୁଃଶାସନଙ୍କ ଭଳି ‘ମାଇଣ୍ଡ ସେଟ୍‌' ଯୋଗୁଁ ରାଜ୍ୟରେ ଅରାଜକତା କାୟାବିସ୍ତାର କରିଚାଲିଛି । ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ବିଜେଡି ସମର୍ଥକ, କର୍ମୀ ଓ ନେତାଙ୍କ ଉପରେ ଏତଲା ରୁଜୁ ହୋଇଛି । ଏମାନେ ସମସ୍ତେ ଶାସକ ବିଜୁ ଜନତା ଦଳର ବିଭିନ୍ନ ପଦପଦବୀରେ ଅଛନ୍ତି । ଏମାନଙ୍କ ନେତୃତ୍ୱ ନେଉଛନ୍ତି ସ୍ଥାନୀୟ ବିଧାୟକ ସୁଶାନ୍ତ ସିଂହ । ସେମାନଙ୍କ ବିରୁଦ୍ଧରେ ଏକାଧିକ ସଙ୍ଗୀନ ଦଫା ଲାଗିଛି ।ସିସିଟିଭି ଫୁଟେଜ ସହ ଅନେକ ଫଟୋ ଚିତ୍ରର ସବୁ ପ୍ରମାଣ ଥାଇ ବି ମାତ୍ର ୧୦୨ଜଣଙ୍କ ନାଁରେ ପୋଲିସ ମାମଲାରେ ରୁଜୁ କରିଛି ଏବଂ ମାତ୍ର ୬ ଜଣଙ୍କୁ ଗିରଫ କରାଯାଇଛି । ଅନ୍ୟ ଅଭିଯୁକ୍ତମାନଙ୍କୁ କାହିଁକି ଓ କାହା ଚାପରେ ଗିରଫ କରାଯାଉନାହିଁ ? ପୋଲିସର ଶକ୍ତିକୁ କିଏ ଓ କାହା ନିର୍ଦ୍ଦେଶରେ ନିଷ୍କ୍ରିୟ କରାଯାଇଛି ? ଗୃହ ବିଭାଗର ରାଷ୍ଟ୍ରମନ୍ତ୍ରୀ ଏ ଘଟଣା ସଂପର୍କରେ କିଛି ଜାଣିନଥିବାର କହି ହାତ ଟେକି ବସିଛନ୍ତିି କାହିଁକି ? ବାହୁବଳୀ ବିଧାୟକ ସୁଶାନ୍ତ ସିଂହ କଣ ଆଇନର ଉର୍ଦ୍ଧ୍ୱରେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଶ୍ରୀ ମହାପାତ୍ର ଅଭିଯୋଗ କରିଥିଲେ ଯେ, ଅମ୍ବାଭୋନା ଥାନାଧିକାରୀ ଆଦିବାସୀ ବର୍ଗର ହୋଇଥିବାରୁ ତାଙ୍କୁ ଆକ୍ଷେପ କରି ଗାଳିଗୁଲଜ ଓ ଧମକ୍ ଦେବାକୁ ପଛାଇନାହାନ୍ତି ସୁଶାନ୍ତ ସିଂହ ଓ ତାଙ୍କ ଟିମ୍ । ଏହି ଦଙ୍ଗାର ନେତୃତ୍ୱ ନେଇଥିବା ଶ୍ରୀ ସିଂହ ପୁଲିସ ଉପରେ ଦୋଷ ଲଦି ଦେଇ ପ୍ରତ୍ୟକ୍ଷ ଭାବେ ରାଜ୍ୟର ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥାକୁ ଖୁଲାସା କରିଦେଇଛନ୍ତି । ଏପରିକି ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଠିକ୍ ଥିବାର କହୁଥିବା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ପୂର୍ବରୁ ବିରୋଧୀ ଦଳ ନେତାଙ୍କୁ ସର୍ବସାଧାରଣରେ ନିନ୍ଦିତ କରାଇବା ପାଇଁ ‘ରାଜ୍ୟ ପୋଲିସ ସଂଘ' ସାମ୍ବାଦିକ ସମ୍ମିଳନୀ କରି ନିନ୍ଦା କରିଥିଲେ । ଯେଉଁ ଆଦିବାସୀ ଏସ୍‌ଆଇଙ୍କୁ ଆକ୍ରମଣ କରାଯାଇଛି ସେ କ’ଣ ପୁଲିସ ସଂଘର ସଦସ୍ୟ ନୁହନ୍ତି କି ? ତାଙ୍କ ଉପରେ ହୋଇଥିବା ଆକ୍ରମଣ ପ୍ରସଙ୍ଗରେ ପୁଲିସ ସଂଘ ଗଲା କୁଆଡ଼େ ଓ କାହିଁକି ମୁହଁ ଲୁଚାଇଛି ବୋଲି ପ୍ରଶ୍ନ କରିଛନ୍ତି ।

ଏହି ମାମଲାରେ ତୁରନ୍ତ ଭଟଲୀ ବିଧାୟକ ଶ୍ରୀ ସିଂଙ୍କ ସମେତ ସମସ୍ତ ଅପରାଧିକୁ ଗିରଫ କରିବା ପାଇଁ ଗୃହ ବିଭାଗର ମୁଖ୍ୟ ହିସାବରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ । ନଚେତ୍ ଗୃହବିଭାଗ ଛାଡ଼ନ୍ତୁ ବୋଲି ଶ୍ରୀ ମହାପାତ୍ର ଦାବି କରିଛନ୍ତିି । ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ମୁଖପାତ୍ର ଦିଲୀପ ମଲ୍ଲିକ, ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Related story