/odisha-reporter/media/post_attachments/uploadimage/library/16_9/16_9_0/IMAGE_1689169518.jpg)
Sujata Karthikeyan
ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିକେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରି ଆସୁଥିବା ବିଜେପି ଆଜି ପ୍ରଥମଥର ପାଇଁ ପାଣ୍ଡିଆନଙ୍କ ପତ୍ନୀ ତଥା ରାଜ୍ୟ ମିଶନ ଶକ୍ତି ବିଭାଗର ସଚିବ ସୁଜାତା ଆର କାତ୍ତିକେୟନଙ୍କୁ କଡ଼ା ଭାଷାରେ ସମାଲୋଚନା କରିବା ସହ ଓଡ଼ିଶା ଏବେ ପ୍ରଶାସନିକ ମାଫିଆଙ୍କ କବଜାରେ ବୋଲି ଅଭିଯୋଗ କରିଛି । ଦଳ ପକ୍ଷରୁ ଏକ ୨୧.୦୮ ମିନିଟର ଏକ ଅଡ଼ିଓ ଭାଇରାଲ କରାଯାଇ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କିଭଳି ଅଶାଳୀନ ଶବ୍ଦ ପ୍ରୟୋଗ କରି ପ୍ରତ୍ୟେକ ଓଡ଼ିଆଙ୍କୁ ଅପମାନିତ କରୁଛନ୍ତି ବୋଲି ବିଜେପି କହିଛି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା ଅଭିଯୋଗ କରିଛନ୍ତି ଯେ, ଯେତେବେଳେ କୌଣସି ଯୋଜନା ସରକାରୀ ଦଳର ରାଜନୀତିକ ଦଳର ନ୍ୟସ୍ତ ସ୍ୱାର୍ଥ ପାଇଁ ନିର୍ବାଚନୀ ଏଜେଣ୍ଡା ପାଲଟିଯାଏ, ସେତେବେଳେ ତାହା ମୂଳ ଲକ୍ଷ୍ୟରୁ ଓହରିଯାଏ ଓ ଏହା ଜନକଲ୍ୟାଣକାରୀ ହୋଇପାରେ ନାହିଁ । ଠିକ୍ ସେମିତି ଓଡ଼ିଶାରେ ମହିଳା ସଶକ୍ତିକରଣ ଓ ମିଶନ ଶକ୍ତି ତା’ର ମୂଳଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇଛି । ମୁଖ୍ୟମନ୍ତ୍ରୀ ଓ ତାଙ୍କୁ ଘେରି ରହିଥିବା ପ୍ରଶାସନିକ ମାଫିଆମାନେ ଭଲଭାବେ ହୃଦୟଙ୍ଗମ କରିବା ଆବଶ୍ୟକ । ଦୀର୍ଘ ୨୩ ବର୍ଷର ନିରୁଙ୍କଶ ଶାସନ କ୍ଷମତାରେ ରହିବା ପରେ ବିଜେଡି ସରକାର ମାଫିଆ ବା ତସ୍କରମାନଙ୍କ ଅଧିନରେ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଜମି, ମଦ, ଚିଟଫଣ୍ଡ, ଶିକ୍ଷା, ସ୍ୱାସ୍ଥ୍ୟ, ଖଣି ସମେତ ସବୁ ବର୍ଗର ମାଫିଆଙ୍କ କବଳରେ ଓଡ଼ିଶା । ଏବେ ଏହି ତାଲିକାରେ ପ୍ରଶାସନିକ ମାଫିଆଙ୍କ ଫର୍ଦ୍ଦ ଯୋଡି ହୋଇଯାଇଛି ।
ଶ୍ରୀ ପଣ୍ଡା ମିଶନ ଶକ୍ତିର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ବୈଠକରେ ବିଭାଗୀୟ ସଚିବ ସୁଜାତା କାର୍ତ୍ତିକେୟନଙ୍କ ଭାଷଣର ଏକ ଅଡିଓ ରେକର୍ଡିଂ ଶୁଣାଇ କହିଛନ୍ତି ଯେ, ମିଶନ ଶକ୍ତିକୁ ଶାସକ ବିଜେଡିର ଦଳୀୟ କାର୍ଯ୍ୟରେ ଲଗାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ଉଦ୍ୟମ କରୁଛନ୍ତିି ଓ ଏହାର ନେତୃତ୍ୱ ନେଉଛନ୍ତି ବିଭାଗୀୟ ସଚିବ ସୁଜାତା ଆର କାର୍ତ୍ତିକେୟନ୍ । ମିଶନ ଶକ୍ତିର ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇ ମିଶନ ଶକ୍ତି ସଚିବ ଦେଇଥିବା ବକ୍ତବ୍ୟର ଭାଷା ସମସ୍ତଙ୍କୁ ଆଚମ୍ବିତ କରିଛି । ‘ବୁଲସିଟ୍', ‘ରବିସ୍' ଭଳି ଅଶ୍ଳୀଳ ଓ ଅଶାଳୀନ ଶବ୍ଦର ପ୍ରୟୋଗ କରି ବିଭାଗୀୟ ସଚିବ ପ୍ରତ୍ୟେକ ଓଡ଼ିଆଙ୍କୁ ଅପମାନିତ କରିଛନ୍ତିି । ସରକାରୀ ଦଳର ଏଜେଣ୍ଡାକୁ ସଠିକ ଭାବେ କାର୍ଯ୍ୟକାରୀ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ଥାନୀୟ ଜିଲ୍ଲାପାଳଙ୍କୁ ରିପୋର୍ଟ ଦିଆଯିବ । ଲକ୍ଷ୍ମୀ ଯୋଜନା, ବିଏସକେୱାଇ ଯୋଜନାରେ ଏସଏଜି ମହିଳାଙ୍କୁ ଯୋଡ଼ିବା ପାଇଁ ଚିପ୍ ବେସ୍ ସ୍ମାର୍ଟକାର୍ଡ ଦିଆଯିବ । ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ଭୋଟରମାନଙ୍କୁ କଳାଟଙ୍କା ପଠାଇବାର ସୁଚିନ୍ତିିତ ଯୋଜନା ପ୍ରସ୍ତୁତ କରାଯାଉଛି । ସେହିପରି ଯେଉଁମାନେ ଭଲ କାମ କରିବେ, ସେମାନଙ୍କୁ ଦୁବାଇ, ସିଙ୍ଗାପୁର ବୁଲାଇବାକୁ ନିଆଯିବ ବୋଲି ମଧ୍ୟ ମିଶନ ଶକ୍ତି ସଚିବ କହୁଥିବା ଶୁଣିବାକୁ ମିଳୁଛିି ।
ଗୋଟିଏପଟେ ଚାବୁକ୍ ଓ ଅନ୍ୟ ପଟେ ରସଗୋଲା ଧରି ମିଶନ ଶକ୍ତି ବିଭାଗ ଜରିଆରେ ରାଜ୍ୟର ବିଜେଡି ସରକାର ଏବେ ନିର୍ବାଚନ ପ୍ରସ୍ତୁତ ହେଉଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଏହାସହିତ ରାଜ୍ୟ ସରକାର ମା'ଙ୍କୁ ସମ୍ମାନ ଦେବା କଥା କହିବା କେବଳ ଲୋକଦେଖାଣିଆ । ବିଜେଡିର ପ୍ରଚାର ପାଇଁ ରାଜ୍ୟ ସରକାର ମିଶନଶକ୍ତିକୁ ବ୍ୟବହାର କରୁଛନ୍ତିି । ମିଶନଶକ୍ତି ଜରିଆରେ ଅନ୍ୟ ରାଜ୍ୟମାନଙ୍କରେ ୪୦ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଥିବାବେଳେ ଓଡ଼ିଶାରେ ମାତ୍ର ୧୧ ହଜାର କୋଟି ଟଙ୍କାର ଆର୍ଥିକ କାରବାର ହେଉଛି । ରାଜ୍ୟର ୩୧୪ ବ୍ଲକରୁ ୨୮୯ଟିରେ ମିଶନଶକ୍ତି ମହିଳା ବାସ୍ତବ ରୂପରେ ସାମିଲ ହୋଇନାହାନ୍ତି । ବ୍ଲକସ୍ତରରେ ମିଶନଶକ୍ତି ମା'ମାନଙ୍କ ଦ୍ୱାରା ପରିଚାଳିତ ଉଦ୍ୟୋଗ ପଞ୍ଜିକରଣ ଦିଗରେ ସାରା ଓଡ଼ିଶାରେ ମାତ୍ର ୭୦୦ଟି ଉଦ୍ୟୋଗ ପଞ୍ଜିକରଣ ହୋଇଛି । ମହିଳା ସଶକ୍ତିକରଣ ପାଇଁ ଆରମ୍ଭ ହୋଇଥିବା ମିଶନ ଶକ୍ତିକୁ ଶାସକ ବିଜେଡି ନିଜ ରାଜନୈତିକ ସ୍ୱାର୍ଥ ପାଇଁ ବ୍ୟବହାର କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମିଶନ ଶକ୍ତିର ବିଫଳତାକୁ ଏହି ଅଡିଓ ଜରିଆରେ ମିଶନ ଶକ୍ତି ସଚିବ ସ୍ୱୀକାର କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ଶାସକ ବିଜେଡିର ଭୟ ଏହି ଅଡିଓ କ୍ଲିପରୁ ସ୍ପଷ୍ଟ ହେଉଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଅନ୍ୟପକ୍ଷରେ ବିଜେଡି ଏହା ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛି ଯେ, ବିଜେପି ଓଡ଼ିଶାର ମହିଳାମାନେ ସଶକ୍ତ ହୁଅନ୍ତୁ ବୋଲି ଚାହୁଁନି । ତେଣୁ ଏଭଳି କଥା କହି ଷଡ଼ଯନ୍ତ୍ର କରୁଛି । ଯାହାର ଜବାବ ସେମାନଙ୍କୁ ଆଗାମୀ ଦିନରେ ମା’ମାନେ ଦେବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
