Advertisment

୬୫ ହଜାର ବସ୍ତିବାସିନ୍ଦାଙ୍କୁ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ଜାଗା ପ୍ରମାଣପତ୍ର, ବୈଧତା ଉପରେ ପ୍ରଶ୍ନ ଉଠାଇଲା ବିଜେପି

ଜାଗା ସହ ଘର ତିଆରି କରିବା ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣପତ୍ର ପ୍ରଦାନ କରାଯିବ । ୨୦୧୮ ମସିହାରେ ରାଜ୍ୟ ସରକାର ଜାଗା ମିଶନ କାର୍ଯ୍ୟକ୍ରମରେ ବସ୍ତି ଲୋକମାନଙ୍କୁ ଭୂମି ଅଧିକାର ପ୍ରଦାନ କରୁଛନ୍ତି ।

author-image
Ordigital Desk
BJD

BJD

ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜି ଜାଗା ମିଶନ ଅନ୍ତର୍ଗତ ଭୁବନେଶ୍ୱର,କଟକ ସମେତ ୫ଟି ମହାନଗର ନିଗମ ଅଂଚଳରେ ଥିବା ବସ୍ତିର ମୋଟ ୬୫ହଜାର ପରିବାରକୁ ଆଜି ଭୂମି ଅଧିକାର ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଏହାସହିତ ୬୮ଟି ପୌରାଂଚଳର ୧୦୧୦ ବସ୍ତିକୁ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବସ୍ତିବାସିନ୍ଦାଙ୍କ ପାଇଁ ଏହି ଉଭୟ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀର ଲୋକାର୍ପଣ କରିଛନ୍ତି । ପୂର୍ବରୁ ରାଜ୍ୟର ୧.୭୦ଲକ୍ଷ ବସ୍ତି ପରିବାରକୁ ଭୂମି ଅଧିକାର ମିଳିଥିବାବେଳେ ଆଜି ଏଥିରେ ଆଉ ୬୫ହଜାର ଯୋଡ଼ି ହୋଇଛି । ତେବେ ସହରାଂଚଳ ଗରିବ ବସ୍ତିବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ସରକାର ପଟ୍ଟା ଦିଅନ୍ତୁ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଦାବି କରିଛନ୍ତି । ଏବେ ଏକ ଫର୍ମକୁ ପଟ୍ଟା କହି ରାଜ୍ୟ ସରକାର ବାଣ୍ଟୁଛନ୍ତି ବୋଲି ବିଜେପି କଟାକ୍ଷ କରିଛି ।

Advertisment

ଆଜି କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୫ଟି ମହାନଗର ନିଗମ ଅଂଚଳର ୬୫ହଜାର ପରିବାରକୁ ଭୂମି ଅଧିକାର ପ୍ରଦାନ କରିଛନ୍ତି । ସହରର ସବୁ ଗରିବ ବସ୍ତି ପରିବାରକୁ ଜମି ଅଧିକାର ମିଳିବା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସେ କହିଛନ୍ତି । ରାଜ୍ୟରେ ଆଉ ବସ୍ତି ରହିବନି । ସବୁ ବସ୍ତି ହେବ ଆଦର୍ଶ କଲୋନୀ । ଯାହାକି ବିଜୁ ଆଦର୍ଶ କଲୋନୀ ନାଁରେ ନାମିତ । ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବାରେ ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ ।

ଜାଗା ସହ ଘର ତିଆରି କରିବା ପାଇଁ ମଧ୍ୟ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଆସନ୍ତା ଅକ୍ଟୋବର ମାସରେ ଏହାର ଦ୍ୱିତୀୟ ପର୍ଯ୍ୟାୟ ପ୍ରମାଣପତ୍ର ପ୍ରଦାନ କରାଯିବ । ୨୦୧୮ ମସିହାରେ ରାଜ୍ୟ ସରକାର ଜାଗା ମିଶନ କାର୍ଯ୍ୟକ୍ରମରେ ବସ୍ତି ଲୋକମାନଙ୍କୁ ଭୂମି ଅଧିକାର ପ୍ରଦାନ କରୁଛନ୍ତି । ଆଜି ୬୫ହଜାର ପରିବାରକୁ ଭୂମି ଅଧିକାର ଓ ୪୦ହଜାର ପରିବାରକୁ ଘର ତିଆରି ପାଇଁ ସହାୟତା ଯୋଗାଇ ଦିଆଯାଇଛି । ବସ୍ତିମୁକ୍ତ ଓଡ଼ିଶା ଗଠନ ଉଦ୍ଦେଶ୍ୟରେ ଏହି ସବୁ ବସ୍ତିଗୁଡ଼ିକୁ ସମସ୍ତ ପ୍ରକାରର ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯାଇ ବିଜୁ ଆଦର୍ଶ କଲୋନୀରେ ପରିଣତ କରାଯାଉଛି। ଜାଗା ମିଶନ ଗରିବ ଲୋକଙ୍କୁ ସମ୍ମାନ ଓ ନୂଆ ପରିଚୟ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Advertisment

ଅନ୍ୟପକ୍ଷରେ ବିଜେପି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ନିର୍ବାଚନ ଆସିଲେ ବିଜେଡିକୁ ବସ୍ତିବାସିନ୍ଦାଙ୍କ ଭୋଟ୍ କଥା ମନେପଡ଼େ । ଏବେ ସହରାଂଚଳରେ ବସ୍ତି ବାସିନ୍ଦାମାନଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି ସେହି କାଗଜରେ ଏହା ଏକ ଫର୍ମ ଓ ତା’ତଳକୁ ଏହା ଏକ ପ୍ରମାଣ ପତ୍ର ବୋଲି ଲେଖାଅଛି । ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହା ପଟ୍ଟା ବୋଲି । ସହରାଂଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ବସ୍ତିବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା ବୋଲି ଉଲ୍ଲେଖ ଅଛି ।  ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ବି ପଟ୍ଟା ଶବ୍ଦର ଲେଖାନାହିଁ ।

ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ବି ଏହି କାଗଜକୁ ସ୍ୱୀକାର କରୁନାହାନ୍ତି ।ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ସହିତ କେବଳ ଛଳନା କରିଛନ୍ତି । ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନା ପ୍ରମାଣ ପତ୍ର ନା ପଟ୍ଟା । ରାଜ୍ୟରେ ଏକ ଜାଲିଆ ସରକାର ଚାଲିଛି । ଏମାନଙ୍କର ସବୁ ଜାଲି, ନକଲି । ୨୦୧୨ ରୁ ୨୦୨୩ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ପ୍ରତିଶୃତି ଦେଇ ଜାଣନ୍ତି । ୨୦୧୩ ମସିହାରେ ପୌର ନିର୍ବାଚନ ଏବଂ ୨୦୧୪ର ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବିଲ୍ ଆଣିଲେ ।

ବସ୍ତିବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଓ ଘର । ହେଲେ ୨୦୧୨ରୁ ୨୦୧୭ ମଧ୍ୟରେ ସହରାଂଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟା ମିଳିନଥିଲା । ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍‌ର ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କଲେ କି ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟା ଏବଂ ଘର ଯୋଗାଇ ଦେବୁ । ତାହା ବି କେବଳ ପାଣିର ଗାର ପାଲଟିଲା । ପୁଣି ୨୦୨୨ରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ । କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି । ଏବେ ପୁଣି ୨୦୨୩ରେ ସେହି ପୁରୁଣା ନାଟକର ପୁନରାବୃତ୍ତି । ବିଜୁ ଜନତା ଦଳର ସରକାର କେବଳ ବସ୍ତିବାସିନ୍ଦାଙ୍କ ଭୋଟ ନେଇଛି ଓ ସେମାନଙ୍କୁ ବାରମ୍ବାର ପ୍ରତାରଣା କରିଛିି ବୋଲି ଶ୍ରୀ ସାମଲ କହିଛନ୍ତି ।

BjD Bjp State Bjp Bjd Leader