Advertisment

ନିର୍ବାଚନ ଆସିଲେ ବିଜେଡିର ମନେ ପଡ଼େ କେନ୍ଦ୍ରୀୟ ଅବହେଳା, ଲୋକେ ଦ୍ୱନ୍ଦ୍ୱରେ

୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଆଭ୍ୟନ୍ତରୀଣ ଦଳୀୟ ଅସନ୍ତୋଷକୁ ଏଡ଼ାଇବାକୁ ‘ବିଧାନ ପରିଷଦ’ ଓ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଲଲିପପ୍ ଦେଖାଇଥିବା ବିଜେଡି ଏବେ ପୁଣିଥରେ ନିର୍ବାଚନ ପାଖେଇ ଆସୁଥିବା ଦେଖି ସେହି ପ୍ରସଙ୍ଗକୁ ଦୋହରାଉଛି।

BJP and BJD

BJP and BJD

Advertisment

ପ୍ରସଙ୍ଗ ଭିତ୍ତିକ ସମର୍ଥନର ଆଳ ଦେଖାଇ କେନ୍ଦ୍ରରେ କ୍ଷମତାସୀନ ଏନଡିଏ ସରକାରକୁ ନିଃସର୍ତ୍ତ ସମର୍ଥନ ଯୋଗାଇ ଆସୁଥିବା ବିଜେଡି ଏବେ ନିର୍ବାଚନ ପାଖେଇ ଆସୁଥିବା ଦେଖି ନିଜର ଚିରାଚରିତ ‘କେନ୍ଦ୍ରୀୟ ଅବହେଳା’କୁ ମୁଖ୍ୟ ଏଜେଣ୍ଡା କରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନିଜର ଆଭ୍ୟନ୍ତରୀଣ ଦଳୀୟ ଅସନ୍ତୋଷକୁ ଏଡ଼ାଇବାକୁ ‘ବିଧାନ ପରିଷଦ’ ଓ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣର ଲଲିପପ୍ ଦେଖାଇଥିବା ବିଜେଡି ଏବେ ପୁଣିଥରେ ନିର୍ବାଚନ ପାଖେଇ ଆସୁଥିବା ଦେଖି ସେହି ପ୍ରସଙ୍ଗକୁ ଦୋହରାଇଥିବା ବେଳେ ‘ସ୍ପେଶାଲ ଫୋକସ୍ ଷ୍ଟେଟ୍’ ମାନ୍ୟତା ଭଳି ଅପ୍ରାସଙ୍ଗିକ (ନିୟମ ଅନୁସାରେ ସମ୍ଭବପର ନୁହେଁ) ଦାବିକୁ ଧରି ନିଜର ରାଜନୀତିକ ଗୋଟିଚାଳନା କରିବାକୁ ଯାଉଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦୀୟ ଦଳର ବୈଠକରେ ଯେଉଁ ସବୁ ପ୍ରସଙ୍ଗରେ ସ୍ୱର ଉତ୍ତୋଳନ କରିବା ପାଇଁ ଦଳୀୟ ସାଂସଦମାନଙ୍କୁ ପରାମର୍ଶ ଦିଆଯାଇଛି ସେଥିରେ କୌଣସି ଗୋଟିଏ ବି ନୂଆ ନଥିବା ଜଣାପଡ଼ିଛି । କେନ୍ଦ୍ରର ଏନଡିଏ ସରକାରକୁ ସବୁ ବିଲ୍ ଓ ଗୁରୁତ୍ୱପୂର୍ଣର୍ ପ୍ରସଙ୍ଗରେ ଆଖିବୁଜି ସମର୍ଥନ ଯୋଗାଉଥିବା, ଏପରିକି ନିଜର ଗୋଟିଏ ରାଜ୍ୟସଭା ଆସନ ଛାଡ଼ିବାକୁ ପଛାଇ ନଥିବା ବିଜେଡି ଏବେ ଆଗାମୀ ସାଧାରଣ ନିର୍ବାଚନକୁ ଦେଖି  ଦୋମୁହାଁ ନୀତି ଅବଲମ୍ବନ କରୁଥିବା ଚର୍ଚ୍ଚା ।

Advertisment

ଆସନ୍ତା ୩୧ତାରିଖରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଥିବାବେଳେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସଠାରେ ସଂସଦୀୟ ଦଳର ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ, ସଂସଦରେ ରାଜ୍ୟ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ ଦଳୀୟ ସାଂସଦମାନେ ଉଠାଇବେ । ସେହିପରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି ଯେ ଓଡ଼ିଶାର ନ୍ୟାୟ ସଙ୍ଗତ ପ୍ରସଙ୍ଗକୁ ଉଠାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ରେଳବାଇ, ଟେଲିକମ, ଜାତୀୟ ରାଜପଥ ନିର୍ମାଣରେ ଓଡ଼ିଶାକୁ ଅବହେଳା ସହ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇବା, ରାଜ୍ୟକୁ ସ୍ୱତନ୍ତ୍ର ଫୋକସ୍ ଷ୍ଟେଟ୍ ମାନ୍ୟତା, ବିଧାନ ପରିଷଦ ଗଠନ, ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ସଂସଦରେ ବିଲ୍ ପାସ,୧୬୯ଟି ଜାତିକୁ ଜନଜାତିରେ ସାମିଲ, ଆବାସ ଯୋଜନାରେ ୪ଲକ୍ଷ ଘର କାଟିଦେବା, ବଳକା ଉଷୁନା ଚାଉଳ ଉଠାଣ, ମୁଣ୍ଡପିଛା ୫କିଲୋ ଚାଉଳ କାଟିବା ଆଦି ଦାବିକୁ ସଂସଦରେ ଉଠାଇବାକୁ ମୁଖ୍ୟମନ୍ତ୍ରୀ କହିଥିବା ନେଇ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

ରାଜନୀତିକ ବିଶ୍ଲେଷକଙ୍କ ମତରେ, କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ସହ ବେଶ୍ ନିବିଡ଼ ସମ୍ପର୍କ ରଖିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କାହିଁକି ଗତ ୪ ବର୍ଷ ମଧ୍ୟରେ ଦିନଟିଏ ବି ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ଼ ଭାବେ ଦାବି ଉପସ୍ଥାପନ କରିବାରେ କାହିଁକି ସକ୍ଷମ ହୋଇନାହାନ୍ତି । ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପାଖରେ ବିଜେଡିର କ’ଣ ଏଭଳି ବାଧ୍ୟବାଧକତା ରହିଛି, ଯେଉଁଥିପାଇଁ ଦଳ ସବୁ ପ୍ରସଙ୍ଗରେ ଏନଡିଏ ସରକାରକୁ ନିଃସର୍ତ୍ତ ସମର୍ଥନ ଯୋଗାଇ ଆସିଛି । କିନ୍ତୁ ତାହା ବଦଳରେ ଦଳକୁ କ’ଣ ମିଳିଛି ସେ ନେଇ ଏପର୍ଯ୍ୟନ୍ତ ମୁହଁ ଖୋଲିନି । ଯେଉଁସବୁ ପ୍ରସଙ୍ଗକୁ ଧରି ବିଜେଡି ଏବେ ସଂସଦରେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିବ ବୋଲି କହୁଛିି ସେହି ସମସ୍ତ ପ୍ରସଙ୍ଗକୁ ବିଜେଡି ସୁପ୍ରିମୋ ଥରୁଟିଏ ବି ପ୍ରଧାନମନ୍ତ୍ରୀଙ୍କ ପାଖରେ ଉଠାଇ ଆବଶ୍ୟକ ଚାପ ସୃଷ୍ଟି କରିବାରେ ବିଫଳ ହୋଇଛନ୍ତି କାହିଁକି? ସାଧାରଣ ନିର୍ବାଚନ ପାଖେଇ ଆସିଲେ ଏସବୁ କଥା କାହିଁକି ବିଜେଡିର ମନେ ପଡ଼ୁଛି । ଦଳୀୟ ଅସନ୍ତୋଷକୁ ଏଡ଼ାଇବା ଓ ନିଜ ନେତାମାନଙ୍କୁ ଥଇଥାନ ପାଇଁ ବିଧାନ ପରିଷଦ କାର୍ଡ ଖେଳିଥିବା ବିଜେଡି ସୁପ୍ରିମୋ ଏବେ ବିଭିନ୍ନ ଯୋଜନାରେ ଉପଦେଷ୍ଟା ଭଳି ପଦ ସୃଷ୍ଟି କରି ପ୍ରାୟ ୧୦୦ରୁ ଅଧିକ ଦଳୀୟ ନେତାଙ୍କୁ ତୁଷ୍ଟୀକରଣ କରିବାକୁ ପଛାଇ ନାହାନ୍ତି । କେନ୍ଦ୍ରର ଏନଡିଏ ସରକାର ସହ ବିଜେଡିର ସମ୍ପର୍କକୁ ନେଇ ରାଜ୍ୟବାସୀ ଦ୍ୱନ୍ଦ୍ୱରେ ଥିବାବେଳେ ସଂସଦରେ ବିଜେଡି ସାଂସଦଙ୍କ ଏସବୁ ପ୍ରସଙ୍ଗ ଉତଥାପନ କେବଳ ଧର୍ମକୁ ଆଖିଠାର ସଦୃଶ ବୋଲି ସାଧାରଣରେ ଚର୍ଚ୍ଚା।

Advertisment
BjD Bjp State Bjp Bjd Leader
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe