Advertisment

ପ୍ରତିଶୋଧପରାଣୟ ହୋଇଛନ୍ତି ରାଜ୍ୟ ସରକାର ଓ ପୁଲିସ: ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ବିଜେପି

ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିଥିଳତା ଓ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସର ଜୁଲମ୍ ଓଡ଼ିଶାର ଜନମାନସକୁ ବିଚଳିତ କରିଛି ।

author-image
Ordigital Desk
ଅଦ୍ୟତନ ହୋଇଛି
Governor

Governor

ରାଜ୍ୟ ସରକାର ଅଗଣତାନ୍ତ୍ରିକ ଓ ସ୍ୱେଚ୍ଛାଚାରୀ ଶାସନର ପରମ୍ପରା ସୃଷ୍ଟି କରିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାକୁ ଚାପି ଦେବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ରାଜ୍ୟର ପୁଲିସ ଓ ସରକାର ଉଭୟ ଏବେ ପ୍ରତିଶୋଧପରାୟଣ ହୋଇପଡ଼ିଛନ୍ତି । ତେଣୁ ଶାସନ ବ୍ୟବସ୍ଥାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇ ପଡ଼ିଛି ବୋଲି ବିଜେପି ଦାବି କରିଛି ।

Advertisment

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଆଜି ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ଭେଟି ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ଅବଗତ କରିବା ସହ ତାଙ୍କର ହସ୍ତକ୍ଷେପ ଦାବି କରିଛନ୍ତି । ଶ୍ରୀ ମିଶ୍ର କହିଛନ୍ତି ଯେ, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ତଦନ୍ତରେ ଶିଥିଳତା ଓ ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କର୍ମୀଙ୍କ ଉପରେ ପୁଲିସର ଜୁଲମ୍ ଓଡ଼ିଶାର ଜନମାନସକୁ ବିଚଳିତ କରିଛି । ରାଜ୍ୟରେ ଶାସନ କେମିତି ଚାଲୁଛି ଓ କିଏ ଚଲାଉଛି ତାହା ଜଣାପଡୁନାହିଁ । ଆନ୍ଦୋଳନକାରୀ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ପୁଲିସ ଅମାନୁଷିକ ଅତ୍ୟାଚାର କରିବା ସହ ମିଛ ଦଫା ଲଗାଇ ଜେଲରେ ଭର୍ତ୍ତି କରିଛିି । ଏଭଳି ପରିସ୍ଥିତିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଜରୁରୀ ହୋଇପଡିଛି ଏବଂ ତାଙ୍କୁ ହସ୍ତକ୍ଷେପ କରିବା ପାଇଁ ଆଜି ଅନୁରୋଧ କରିଛୁ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ସେ କହିଛନ୍ତି ଯେ, ଗତ କିଛି ଦିନ ତଳେ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବିଚ୍ ରାସ୍ତାରେ ପୁଲିସ ଏଏସ୍‌ଆଇ ହତ୍ୟା କରିବା ଭଳି ସଙ୍ଗୀନ ଘଟଣା ଓଡ଼ିଶାର ଜନମାନସକୁ ସ୍ତମ୍ଭୀଭୂତ କରିଥିଲା । ଏହି ଘଟଣା ରାଜ୍ୟବାସୀଙ୍କ ମନରେ ପୁଲିସ ପ୍ରଶାସନ ଏବଂ ଆତ୍ମ ସୁରକ୍ଷା ପ୍ରତି ଏକ ଭୟର ବାତାବରଣ ସୃଷ୍ଟି କରିବା ସହ ମନ୍ତ୍ରୀଙ୍କ ହତ୍ୟା ମାମଲାରେ ତଦନ୍ତ ଯେଭଳି ଦିଗହରା ହୋଇଛି, ତାହା ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର ଏହି ହତ୍ୟା ଘଟଣାକୁ ଚାପି ଦେବା ପାଇଁ ଉଦ୍ୟମ କରୁଛନ୍ତି । ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ କରିବା ପାଇଁ ବିଜେପି ପକ୍ଷରୁ ବାରମ୍ବାର ଦାବି କରିବା ସତ୍ୱେ ସରକାର ଏଥିପ୍ରତି ଭୃକ୍ଷେପ ନକରି ଏ ପରିପ୍ରେକ୍ଷୀରେ ଚାଲିଥିବା ଆନ୍ଦୋଳନକୁ ଦମନ କରିବା ପାଇଁ ପୁଲିସ ସହାୟତାରେ ନିରୀହ ଆନ୍ଦୋଳନକାରୀ, ରାଜନୈତିକ କାର୍ଯ୍ୟକର୍ତାଙ୍କ ଉପରେ ଅତ୍ୟାଚାର କରିବା ଅତ୍ୟନ୍ତ ନିନ୍ଦନୀୟ । ପୁଲିସ ପ୍ରତିଶୋଧ ପରାୟଣ ହୋଇ ମହିଳା କାର୍ଯ୍ୟକର୍ତାଙ୍କୁ ଅସଦାଚରଣ କରିବା ସହ ଆନ୍ଦୋଳନକାରୀଙ୍କ ବିରୋଧରେ ମିଛ ଦଫା ଲଗାଇ ବେଆଇନ ଭାବେ ସେମାନଙ୍କୁ ଗିରଫ କରି ଜେଲରେ ଭର୍ତ୍ତି କରୁଛନ୍ତି । ସରକାର ଏବଂ ପୁଲିସ ପ୍ରତିଶୋଧ ପରାୟଣ ହେବାରୁ ନିବୃତ ରୁହନ୍ତୁ।

Advertisment

ଗତ କିଛିବର୍ଷ ଧରି ଲଗାତାର ଭାବରେ ରାଜ୍ୟରେ ହତ୍ୟା, ଲୁଟ, ଦୁଷ୍କର୍ମ ଓ ନାରୀ ନିର୍ଯାତନା ବଢ଼ୁଥିବା କାରଣରୁ ସମାଜର ପ୍ରତ୍ୟେକ ବର୍ଗ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।  ଏହି ସମ୍ବେଦନଶୀଳ ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଚରମ ବିଫଳତାକୁ ରୋକିବା ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ବିଜେପି ବିଧାୟକ ଦଳ ତରଫରୁ ଅନୁରୋଧ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ମୁକେଶ ମହାଲିଙ୍ଗ, ଜୟନ୍ତ ଷଡଙ୍ଗୀ, ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞଙ୍କ ସମେତ ବିଜେପିର ରାଜ୍ୟ କର୍ମକର୍ତ୍ତାମାନେ ମଧ୍ୟ ସାମିଲ ଥିଲେ ।

BjD Bjp State Bjp Jayanarayan Mishra