୧୪ରୁ ବିଜେପି କରିବ ୫ଦିନିଆ ‘ଗଣବିକ୍ଷୋଭ’, କଂଗ୍ରେସର ‘ତୁଳସୀ ଯାତ୍ରା’

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ୫୦ପ୍ରତିଶତ ପିସିରେ ସରକାର ଚାଲିଛି । ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି ।

Representational Image

  • Published: Friday, 10 November 2023
  • , Updated: 10 November 2023, 10:22 PM IST

ସାଧାରଣ ନିର୍ବାଚନ ପୂର୍ବରୁ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ନିଜ ନିଜ ଢଙ୍ଗରେ ଲୋକଙ୍କ ନିକଟତର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଶ୍ରୀଜଗନ୍ନାଥ ମନ୍ଦିରର ୪ଦ୍ୱାର ଓ ରତ୍ନଭଣ୍ଡାର ଖୋଲିବା ଦାବିରେ କଂଗ୍ରେସ ଲୋକଙ୍କ ଆସ୍ଥା ଜିଣିବା ନିମନ୍ତେ ତୁଳସୀ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛି । ଏପଟେ ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୁଦ୍ଧରେ ନଭେମ୍ବର ୧୪ରୁ ୫ଦିନିଆ ଗଣବିକ୍ଷୋଭ କାର୍ଯ୍ୟକ୍ରମ କରିବ ବୋଲି ସୂଚନା ଦେଇଛି । ପ୍ରତ୍ୟେକ ବ୍ଲକ ମୁଖ୍ୟାଳୟ ଆଗରେ ବିଜେପି ଏହି ଜନଆକ୍ରୋଶ ସମାବେଶ କରିବ । କଂଗ୍ରେସ ପ୍ରତ୍ୟେକ ଗାଁକୁ ଯାଇ ଲୋକଙ୍କଠୁ ତୁଳସୀ ସଂଗ୍ରହ କରିବ ବୋଲି ସୂଚନା ଦେଇଛି ।

ବିଜେପି ରାଜ୍ୟ ମୁଖପାତ୍ର ଅନୀଲ ବିଶ୍ୱାଳ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ୫୦ପ୍ରତିଶତ ପିସିରେ ସରକାର ଚାଲିଛି । ଗ୍ରାମସଭାରୁ ନେଇ ବିଧାନସଭା, ମନ୍ତ୍ରୀ ସଭା ପର୍ଯ୍ୟନ୍ତ ସବୁଠି ଗଣତନ୍ତ୍ରର ହତ୍ୟା ହେଉଛି । କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗ୍ରାମସଭାର ଅନୁମୋଦିତ ହିତାଧିକାରୀ ତାଲିକାକୁ ବଦଳାଇବା ନେଇ ସିଏଜି ପ୍ରଶ୍ନ ଉଠାଇଥିଲେ । ରାଜ୍ୟର ୮ ଲକ୍ଷ ୫୯ ହଜାର ଗରିବ ହିତାଧିକାରୀ ପକ୍କାଘର ପାଇବାରୁ ବଂଚିତ ହୋଇଛନ୍ତି । ଏବେ "ଆମ ଓଡ଼ଶା ନବୀନ ଓଡ଼ିଶା’ଯୋଜନା ମଧ୍ୟ ସେଭଳି ଜନ ପ୍ରତିନିଧିମାନଙ୍କୁ ଅଣଦେଖା କରି ବ୍ୟୁରୋକ୍ରାଟମାନଙ୍କ ଦ୍ୱାରା ଚାଲୁଛି ଯାହା ଫଳରେ ଗାଁ ଗାଁରେ ଅଶାନ୍ତିି ସୃଷ୍ଟି ହେବାରେ ଲାଗିଛି । ଏ ସମସ୍ତ ପ୍ରସଙ୍ଗକୁ ନେଇ ବିଜେପି ନଭେମ୍ବର ୧୪ରୁ ୧୮ ସମସ୍ତ ବ୍ଲକ ଆଗରେ ଜନ ଆକ୍ରୋଶ ବ୍ଲକ ଘେରାଉ କାର୍ଯ୍ୟକ୍ରମ କରିବା ପାଇଁ ଯାଉଛି ।

ସେ ଅଭିଯୋଗ କରିଛନ୍ତି ଯେ, ଓଡିଶାରେ ଜଣେ ସଚିବଙ୍କ ହାତରେ ସବୁ କ୍ଷମତା ଦେଇ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ହତ୍ୟା କରୁଛନ୍ତିି । ଜନସାଧାରଣଙ୍କ ପଇସାକୁ ବିଭିନ୍ନ ଆଳ ଦେଖାଇ ଅଯାଚିତ ଭାବରେ ଖର୍ଚ୍ଚ କରାଯାଉଛି । ଭିକେ ପାଣ୍ଡିଆନ ସରକାରୀ ଚାକିରୀରୁ ଇସ୍ତଫା ଦେବା ପରେ ଯେଉଁ ଭଳି ଭାବରେ ମୁଖ୍ୟମନ୍ତ୍ରୀ ପୁଣି ତାଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ଦେଲେ ଏଥିରୁ ସ୍ପଷ୍ଟ ହୋଇଗଲା ଯେ ରାଜ୍ୟରେ ନିର୍ବାଚିତ ଜନପ୍ରତିନିଧିମାନଙ୍କର କିଛି ଭୂମିକା ନାହିଁ । ଗଣତନ୍ତ୍ରର ହତ୍ୟା ପ୍ରକିୟାଟା ଆହୁରି ସଶକ୍ତ କରାଗଲା । ପାଣ୍ଡିଆନଙ୍କ ଇସ୍ତଫା ଦେବା ଥିଲା ବିଜେପିର ବିଜୟ । କିନ୍ତୁ ମୁଖ୍ୟମନ୍ତ୍ରୀ ଗଣତନ୍ତ୍ରର ହତ୍ୟା କରି ପୁଣି ଥରେ ଅଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରଚଳନ କଲେ । ଓଡ଼ିଶାରେ ଚାଲିଥିବା ଗଣତନ୍ତ୍ରର ହତ୍ୟାର ମୁଖ୍ୟମନ୍ତ୍ରୀ ହେଉଛନ୍ତିି ମୁଖ୍ୟ ଅପରାଧୀ । ସେ ହେଉଛନ୍ତି ଏହି ଅରାଜକତାର ନିଜେ ନିର୍ଦ୍ଦେଶକ, ନିଜେ ପ୍ରଯୋଜକ, ନିଜେ ଦର୍ଶକ ମଧ୍ୟ । ଆସନ୍ତା ନଭେମ୍ବର ୧୪ରୁ ୧୮ ସାରା ରାଜ୍ୟରେ ହେବାକୁ ଯାଉଥିବା ବ୍ଲକ ଘେରାଉ କାର୍ଯ୍ୟକ୍ରମରେ ରାଜ୍ୟରେ ଚାଲିଥିବା ଅଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ବିରୋଧରେ ଥିବା ଜନ ଆକ୍ରୋଶକୁ ବିଜେପି ଏକ ଗଣବିକ୍ଷୋଭର ରୁପ ଦେବ ବୋଲି ସେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ ।

ଅନ୍ୟପକ୍ଷରେ ଶ୍ରୀଜଗନ୍ନାଥ ମନ୍ଦିରର ୪ ଦ୍ୱାର ଖୋଲିବା, ରତ୍ନଭଣ୍ଡାରର ମରାମତି ଓ ରତ୍ନ ଅଳଙ୍କାର ଗଣନା, ଅମୃତମଣୋହୀ ଜମି ଫେରସ୍ତ ଆଣିବା ଆଦି ଦାବିରେ କଂଗ୍ରେସ ‘ତୁଳସୀ ଯାତ୍ରା’ କରିବ । ପ୍ରତ୍ୟେକ ଗାଁ ଓ ପଂଚାୟତରୁ କର୍ମୀମାନେ ତୁଳସୀ ସଂଗ୍ରହ କରିବେ । ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟର ସାଧାରଣ ଲୋକ, ଜଗନ୍ନାଥ ପ୍ରେମୀ, ଭକ୍ତ, ଶ୍ରଦ୍ଧାଳୁ, ଯୁବକ ଯୁବତୀ, ଛାତ୍ରଛାତ୍ରୀ, ହବିଷ୍ୟାଳି, ଭକ୍ତ ଓ ବିଭିନ୍ନ ବର୍ଗର ବ୍ୟକ୍ତିମାନଙ୍କଠାରୁ ତୁଳସୀ ସଂଗ୍ରହ କରାଯିବ । ଜିଲ୍ଲା କଂଗ୍ରେସ ସଭାପତିଙ୍କ ତତ୍ୱାବଧାନରେ ନଗର,ବ୍ଲକ ସଭାପତିମାନେ ବୁଥ, ୱାର୍ଡ ଓ ପଂଚାୟତ ସଭାପତିଙ୍କ ଜରିଆରେ ତୁଳସୀ ସଂଗ୍ରହ କରିବେ । ପ୍ରତି ବ୍ଲକ ଓ ନଗର କଂଗ୍ରେସ କମିଟି ପକ୍ଷରୁ ଗୋଟିଏ ଲେଖାଏଁ ଗାଡ଼ିରେ ସଂଗୃହୀତ ତୁଳସୀକୁ ଭୁବନେଶ୍ୱରସ୍ଥିତ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟକୁ ଅଣାଯିବ । ସାରା ରାଜ୍ୟରୁ ସଂଗୃହୀତ ତୁଳସୀ ସହ ସଜ ତୁଳସୀ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ନେତୃତ୍ୱରେ ଦଳର କର୍ମୀ ଓ ନେତାମାନେ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା କରିବେ । ଆଜି କଂଗ୍ରେସ ଭବନରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ନେତୃବୃନ୍ଦଙ୍କ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

Related story