ବିଜୁଳି ଫେଲ୍ : ଆସନ୍ତାକାଲିଠୁ ବିଜେପିର ଆନ୍ଦୋଳନ, ଟାଟା ପାୱାର ସପକ୍ଷରେ ବାହାରିଲା ବିଜେଡି, କରିବ ଗଣଧାରଣା

ପାୱାର କଟ୍ ଯୋଗୁ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ପରିବର୍ତ୍ତେ ବିଜେଡି ଏବେ ପରୋକ୍ଷରେ ଟାଟା ପାୱାରକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ୩ମାସ ପୁରୁଣା ପ୍ରସଙ୍ଗକୁ ଧରି ଅଚାନକ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ।

ପୃଥ୍ୱୀରାଜ ହରିଚନ୍ଦନ

  • Published: Tuesday, 13 June 2023
  • , Updated: 13 June 2023, 08:50 PM IST

ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିଥିବା ସତ୍ତ୍ୱେ ସହରାଂଚଳରେ ଘନଘନ ପାୱାର କଟ୍ ଓ ଗ୍ରାମାଂଚଳରେ ଘଣ୍ଟାଘଣ୍ଟା ଧରି ପାୱାର କଟ୍ ପ୍ରତିବାଦରେ ଆସନ୍ତାକାଲିଠୁ ୨ଦିନ ଧରି ବିଜେପି ରାଜ୍ୟର ସମସ୍ତ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରିବାକୁ ଘୋଷଣା କରିଛି । ଏପଟେ ବିଜେପିର ଆନ୍ଦୋଳନ ଓ ବିକ୍ଷୋଭ ଉପରୁ ନଜର ହଟାଇବା ତଥା ପାୱାର କଟ୍ ପ୍ରତିବାଦରେ ବିଜେପିର ଆନ୍ଦୋଳନ ଡାକରାକୁ ଭଣ୍ଡୁର କରିବା ଉଦ୍ଦେଶ୍ୟରେ ବିଜେଡି ଆଜି ଆଗକୁ ଆସିଛି । ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଗଣଧାରଣା କରିବା ପାଇଁ ଦଳ ଘୋଷଣା କରିବା ସହ କେନ୍ଦ୍ର ସରକାର ଏଲପିଜି ଦର ନିୟନ୍ତ୍ରଣ ନକଲେ ଆରଡିସି ଓ ଜିଲ୍ଲାପାଳ କାର୍ଯ୍ୟାଳୟ ତଥା ବ୍ଲକରୁ ଗାଁ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛି । ପାୱାର କଟ୍ ଯୋଗୁ ହନ୍ତସନ୍ତ ହେଉଥିବା ରାଜ୍ୟବାସୀଙ୍କୁ ଆଶ୍ୱସ୍ତ କରିବା ପରିବର୍ତ୍ତେ ବିଜେଡି ଏବେ ପରୋକ୍ଷରେ ଟାଟା ପାୱାରକୁ ସମର୍ଥନ କରିବା ଉଦ୍ଦେଶ୍ୟରେ ୩ମାସ ପୁରୁଣା ପ୍ରସଙ୍ଗକୁ ଧରି ଅଚାନକ ପୁଣିଥରେ ରାଜରାସ୍ତାକୁ ଓହ୍ଲାଇବ, ଯାହାକି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଆଜି ଅପରାହ୍ନରେ ବିଜେପି ରାଜ୍ୟ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟରେ ଜାରି ରହିଥିବା ଅଘୋଷିତ ପାୱାର କଟକୁ ନେଇ ଉଦବେଗ ବ୍ୟକ୍ତ କରିବା ସହ ସାଧାରଣ ଲୋକେ କିଭଳି ଯନ୍ତ୍ରଣା ମଧ୍ୟରେ ରହିଛନ୍ତି ତାହା ଉଲ୍ଲେଖ କରି ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଥିଲେ । ସେ କହିଛନ୍ତି ଯେ, ରାଜ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରୀ ରହିଥିବାବେଳେ ସାମାନ୍ୟ ବର୍ଷା, ପବନ, ଧୂଳିଝଡ଼ରେ ଯେଉଁଭଳି ଭାବରେ ମନଇଚ୍ଛା ବିଦ୍ୟୁତ୍ କାଟ କରାଯାଉଛି, ତାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ । ୪୫ ଡିଗ୍ରୀ ଖରାରେ ଲୋକେ ହନ୍ତସନ୍ତ ହେଉଛନ୍ତି । ବିଜୁଳି କାଟ୍ ପ୍ରତିବାଦରେ ସାଧାରଣ ଉପଭୋକ୍ତା, ବୁଦ୍ଧିଜୀବି, ଗଣମାଧ୍ୟମ, ସ୍ୱେଚ୍ଛାସେବୀ ସଂଗଠନ ଓ ରାଜନୈତିକ ଦଳଗୁଡିକ ସ୍ୱର ଉତ୍ତୋଳନ କଲେ ସୁଦ୍ଧା ଉଭୟ ଟାଟା ପାୱାର ଏବଂ ରାଜ୍ୟ ସରକାର ଜବାବ୍ ଦେଉନାହାନ୍ତି । ଲାଗୁଛି ସତେ ଯେପରି, ଏ ସମସ୍ତ ବ୍ୟବସ୍ଥାର ମାଲିକ ରାଜ୍ୟ ସରକାର ନୁହେଁ ବରଂ ଟାଟା ପାୱାର । କେବଳ ବିଜୁଳି ବିତରଣ ପାଇଁ ଅନୁବନ୍ଧିତ ହୋଇଥିବା ଗୋଟିଏ ଘରୋଇ କଂପାନୀ ପ୍ରତି ରାଜ୍ୟ ସରକାରଙ୍କ ଏଭଳି ଅହେତୁକ ଅନୁକଂପା ସବୁଠୁ ବଡ଼ ପ୍ରଶ୍ନ ହୋଇ ଛିଡ଼ା ହୋଇଛି । ଶକ୍ତି ବିଭାଗର ବିଫଳତା ଏବଂ ରାଜ୍ୟ ସରକାରଙ୍କ ଟାଟା ପାୱାର କଂପାନୀ ପ୍ରୀତି ପ୍ରତିବାଦରେ ବିଜେପି ତରଫରୁ ଆସନ୍ତା କାଲି ୧୪ ଓ ୧୫ ତାରିଖରେ ସାରା ରାଜ୍ୟରେ ଥିବା ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁୁଖରେ ବିକ୍ଷୋଭ ଓ ଆନ୍ଦୋଳନ କରାଯିବ । ଓଡ଼ିଶା ସରକାର ଏବେ ଟାଟା ପାୱାର ଆଗରେ ବନ୍ଧା ପଡ଼ିଛନ୍ତି । ରାଜ୍ୟ ସରକାର ଟାଟା ପାୱାର ଉପରୁ ନିଜ ନିୟନ୍ତ୍ରଣ ହରାଇଛନ୍ତିି । ଶକ୍ତି ବିଭାଗ ସ୍ଥାଣୁ ପାଲଟିଛି । ପାୱାର କଟକୁ ପାୱାର ଟ୍ରିପ୍ ବୋଲି କହି ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଟାଟା ପାୱାର ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି ଓ ଟାଟା ପାୱାରକୁ ସୁହାଇଲା ଭଳି ମନ୍ତବ୍ୟ ଦେଉଛନ୍ତି ।ଓଇଆରସିର ନିୟମକୁ ଉଲ୍ଲଂଘନ କରି ବିଜୁଳି ଉପଭୋକ୍ତାଙ୍କଠାରୁ ବେଆଇନ ଭାବେ ଆଦାୟ କରାଯାଇଥିବା ୨୭୨୭ କୋଟି ଟଙ୍କା କେବେ ଫେରାଇବେ ବୋଲି ବିଜେପି ପ୍ରଶ୍ନ କରିବା ସହ ସରକାର ଏବେ କିଏ ଚଳାଉଛି ଓ ସରକାରର ମାଲିକ କିଏ ବୋଲି କଟାକ୍ଷ କରିଛି ।

ଏପଟେ ବିଜେପିର ଏହି ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଘୋଷଣାକୁ ମାତ୍ର ୩ଘଣ୍ଟା ନପୁରୁଣୁ ବିଜେଡି ସାଧାରଣ ସମ୍ପାଦିକା ତଥା ମୁଖପାତ୍ର ଶ୍ରୀମୟୀ ମିଶ୍ର ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ଏଲପିଜି ଦର ସିଲିଣ୍ଡିର ପିଛା ଗତ ୯ବର୍ଷରେ ୩ଗୁଣ ବୃଦ୍ଧି ପାଇ ୧୧୩୦ଟଙ୍କାରେ ପହଂଚିଛି । ଯାହାକି ସିଧାସଳଖ ହାଣ୍ଡିଶାଳ ଉପରେ ମାଡ଼ । ଉଜ୍ୱଳା ଯୋଜନା ଫେଲ୍ ମାରିଛି । ଏଲପିଜି ଦର ବୃଦ୍ଧି ପ୍ରତିବାଦରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିଜେଡି ପକ୍ଷରୁ ଗଣଧାରଣା ଦିଆଯିବ ବୋଲି ସେ କହିଛନ୍ତି । ଏଥିରେ ଦଳର ସବୁ ଛାମୁଆ ସଂଗଠନ ଓ କର୍ମୀମାନେ ସାମିଲ ହେବେ । ଯଦି କେନ୍ଦ୍ର ସରକାର ଦର ନିୟନ୍ତ୍ରଣ ନକରିବେ ତା’ହେଲେ ବିଜେଡି ଆଗାମୀ ଦିନରେ ଆରଡିସି ଓ ଜିଲ୍ଲାପାଳ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ୍ ଓ ଗାଁ ସ୍ତରରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଦ୍ୟୁତ ବିତରଣ ଦାୟିତ୍ୱ ନେଇଥିବା ଟାଟା ପାୱାରର ଅପାରଗତା ଯୋଗୁ ଗାଁଠୁ ସହର ସବୁଆଡ଼େ ଘଣ୍ଟା ଘଣ୍ଟା ଧରି ଅଘୋଷିତ ବିଦ୍ୟୁତ କାଟ୍ ଲାଗି ରହିଥିବାବେଳେ ଶାସକ ବିଜେଡି ଏଥିରେ ସୁଧାର ଆଣିବା ପାଇଁପ ପଦକ୍ଷେପ(ଟାଟା ପାୱାର ଉପରେ ଚାପ) ନନେଇ ଓଲଟା ଟାଟା ପାୱାରକୁ ସୁହାଇବା ଭଳି ବିଜେପିର ମୁକାବିଲ ନିମନ୍ତେ ସମାନ୍ତରାଳ ଗଣଧାରଣା ଡାକରା ଦେଇ ରାଜ୍ୟବାସୀ ହନ୍ତସନ୍ତ ହେଉଥିବା (ପାୱାର କଟ)କୁ ପ୍ରୋତ୍ସାହିତ କରିବାକୁ ପଛାଇ ନାହିଁ । ଗତ ମାର୍ଚ୍ଚ ପହିଲା ପରଠୁ ରାଜ୍ୟରେ ଏଲପିଜି ଦର ବୃଦ୍ଧି ହୋଇନଥିବାବେଳେ ୩ମାସ ପରେ କାହିଁକି ବିଜେଡିର ମନେପଡ଼ିଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଯଦିଓ ଗତ ମାର୍ଚ୍ଚ ମାସରେ ଏହି ବର୍ଦ୍ଧିତ ଏଲପିଜି ଦର ପାଇଁ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇଥିଲା ।

Related story