Advertisment

ମଣିପୁର ଲଜ୍ଜା କଥା କହୁଛନ୍ତି ବିରୋଧୀ; ଅଣ ବିଜେପି ଶାସିତ ରାଜ୍ୟର କଥା କହି କାଉଣ୍ଟର କଲା ବିଜେପି

ବିଶେଷ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଶାସିତ ରାଜସ୍ଥାନରେ ମହିଳା ବିରୋଧୀ ଅପରାଧ ବଢ଼ିଥିବା କଥା କହି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ମାଗାଯାଇଛି।

author-image
Hemant Lenka
Manipur

Manipur

ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଘଟଣାକୁ ନେଇ ସରକାରଙ୍କୁ ଘେରିବାରେ ଲାଗିଛନ୍ତି ବିରୋଧୀ। କେନ୍ଦ୍ରରେ ବିଜେପି ଓ ମଣିପୁରରେ ବିଜେପି କ୍ଷମତାରେ ଥିବା ବେଳେ ଡବଲ ଇଞ୍ଜିନ ସରକାରରେ ଏପରି ଘଟଣା ବିରୋଧୀଙ୍କୁ ଆଟାକ କରିବା ପାଇଁ ସୁଯୋଗ ଦେଇଛି। 

Advertisment

ସେମାନେ ମଣିପୁର ଲଜ୍ଜା କଥା କହୁଥିବା ବେଳେ ବିଜେପି କିନ୍ତୁ ଦଳ କ୍ଷମତାରେ ନଥିବା ରାଜ୍ୟଗୁଡ଼ିକରେ ଘଟୁଥିବା ମହିଳା ବିରୋଧୀ ହିଂସା କଥା ଉଠାଇଛି। ଅଣ ବିଜେପି ଶାସିତ ରାଜ୍ୟରେ ଘଟୁଥିବା ମହିଳା ବିରୋଧୀ ହିଂସା କଥା କହି ଦଳ ବିରୋଧୀଙ୍କୁ ଟାର୍ଗେଟ କରିଛି। 

ବିଶେଷ କରି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଶାସିତ ରାଜସ୍ଥାନରେ ମହିଳା ବିରୋଧୀ ଅପରାଧ ବଢ଼ିଥିବା କଥା କହି ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ଇସ୍ତଫା ମାଗାଯାଇଛି। 

Advertisment

କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ ଦୁଷ୍କର୍ମ ଘଟଣାରେ ରାଜସ୍ଥାନ ସବୁଠାରୁ ଉପରେ ରହିଛି। ବର୍ଷକ ମଧ୍ୟରେ ମୋଟ ଦୁଷ୍କର୍ମ ମାମଲାର ୨୨% ଘଟଣା ରାଜସ୍ଥାନରେ ଘଟିଛି। ମହିଳାଙ୍କ ବିରୋଧରେ ଯେଉଁ କୌଣସି ଅତ୍ୟାଚାର ଅପରାଧ।

କେଉଁ ସରକାର କ୍ଷମତାରେ ଅଛନ୍ତି, ତା’କୁ ଦେଖି ସ୍ୱରକୁ ଶାଣିତ କିମ୍ବା ନରମ କରାଯାଇ ପାରିବ ନାହିଁ। କ’ଣ ବିରୋଧୀ ଦଳଗୁଡ଼ିକ ବେଙ୍ଗଲ, ବିହାର ଓ ରାଜସ୍ଥାନ ଭଳି ରାଜ୍ୟକୁ ମହିଳା ବିରୋଧୀ ହିଂସାର ଯାଞ୍ଚ କରିବାକୁ ଟିମ ପଠାଇବେ?”

ଗତବର୍ଷ ଏନସିଆରବି ତଥ୍ୟ ପରେ ରାଜସ୍ଥାନ ଦୁଷ୍କର୍ମ ମାମଲାରେ ୧ ନଂ ସ୍ଥାନରେ ରହିଥିବା ଜଣାପଡ଼ିଥିଲା। ତେବେ ମୁଖ୍ୟମନ୍ତ୍ରୀ ଗେହଲଟ ଏପରି ସଂଖ୍ୟାକୁ ଭୁଲ ଭାବେ ଉପସ୍ଥାପନ କରାଯାଇଥିବା କହିଥିଲେ। ମହିଳା ବିରୋଧୀ ହିଂସାକୁ ରୋକିବା ପାଇଁ ଅଭିଯୋଗ ଆସିବା କ୍ଷଣି ଏଫଆଇଆର ରୁଜୁ ବାଧ୍ୟତାମୂଳକ କରାଯାଇଛି। ତେଣୁ ସଂଖ୍ୟା ବଢ଼ିଛି। ବାସ୍ତବରେ ଅଭିଯୋଗ ହେଉଥିବା ୫୬% ଘଟଣା ପରବର୍ତ୍ତୀ ଅବସ୍ଥାରେ ମିଥ୍ୟା ବୋଲି ଜଣାପଡ଼ୁଥିବା ଗେହଲଟ କହିଥିଲେ।

ଅନୁରାଗ ଠାକୁର ମହିଳା ବିରୋଧୀ ହିଂସା ଉପରେ ମତ ରଖିବା ସହ ମଣିପୁର ଉପରେ ମଧ୍ୟ ମାପିଚୁପି ପ୍ରତିକ୍ରିୟା ରଖିଛନ୍ତି। ସରକାର ସଂସଦରେ ଏହା ଉପରେ ଆଲୋଚନା କରିବାକୁ ରାଜି ଅଛନ୍ତି। କିନ୍ତୁ ବିରୋଧୀ ଆଲୋଚନାରୁ ଜାଣିଶୁଣି ଦୂରେଇ ଯାଉଛନ୍ତି। ୟୁପିଏ କ୍ଷମତାରେ ଥିବା ବେଳେ ମଣିପୁରରେ ୬ ମାସିଆ ଷ୍ଟ୍ରାଇକ ହେଉଥିଲା।

ମଣିପୁର ପାଇଁ ଯାହା ସମ୍ଭବ ଆମେ କରିଛୁ। ସ୍ୱରାଷ୍ଟ୍ର ମନ୍ତ୍ରୀ ସେଠାରେ ୪ ଦିନ ମଧ୍ୟ ରହିଥିଲେ। ବିରୋଧୀ ଦଳଗୁଡ଼ିକ ଆଲୋଚନା କରିବାକୁ କାହିଁକି ଆସୁ ନାହାନ୍ତି? ଜଣେ ବିରୋଧୀ ଦଳର ନେତା ଅଯୋଗ୍ୟ ବିବେଚିତ ହେଉଥିବାରୁ ସେମାନେ ସଂସଦ ଚଳାଇ ଦେବାକୁ ଚାହୁଁ ନାହାନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। 

ମହିଳା ବିରୋଧୀ ହିଂସାକୁ ରୋକିବାରେ ରାଜସ୍ଥାନ ସରକାର ବିଫଳ ହୋଇଥିବା ରାଜ୍ୟର ଜଣେ ମନ୍ତ୍ରୀ ରାଜେନ୍ଦ୍ର ସିଂହ ଗୁଧା କହିବା ପରେ ତାଙ୍କୁ ପଦରୁ ବିଦା କରାଯାଇଛି। ଏହି ପ୍ରସଙ୍ଗରେ ମଧ୍ୟ ଅନୁରାଗ ଠାକୁର କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ସେ କହିଛନ୍ତି, “କାହିଁକି ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜସ୍ଥାନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଉପରେ ଚୁପ ରହିଛନ୍ତି? ପଶ୍ଚିମବଙ୍ଗ ହିଂସାକୁ ନେଇ ସେମାନଙ୍କ ମୁହଁ କାହିଁକି ସିଲ୍‌ ହୋଇଯାଇଛି?

ହାୱାଡା ଓ ମାଲଦାରେ ମହିଳା ବିରୋଧୀ ଅତ୍ୟାଚାର ‌ଅତ୍ୟନ୍ତ ସାଂଘାତିକ। କୁଆଡ଼େ ଗଲା ମମତାଜୀଙ୍କ ମମତା?” କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ରାଜସ୍ଥାନ ଓ ବେଙ୍ଗଲ ଘଟଣାକୁ ନେଇ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗେହଲଟ ମହିଳା ବିରୋଧୀ ଘଟଣାକୁ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଫଳ ହୋଇଥିବା କହିଛନ୍ତି। ଏଥିସହ ହିଂସା କ୍ଷତିଗ୍ରସ୍ତ ମଣିପୁରକୁ ମୋଦି ଯାଇ ନଥିବାରୁ ତାଙ୍କୁ ଗେହଲଟ ତାଚ୍ଛଲ୍ୟ କରିଛନ୍ତି।

ସେ କହିଛନ୍ତି, “ ମୁଁ ପ୍ରଥଥର ଦେଖିବାକୁ ପାଉଛି ଯେ ଜଣେ ପ୍ରଧାନମନ୍ତ୍ରୀ କର୍ଣ୍ଣାଟକା, ରାଜସ୍ଥାନ ଓ ଅନ୍ୟ ରାଜ୍ୟଗୁଡ଼ିକୁ ଯାଇ ପ୍ରଚାର କରୁଛନ୍ତି। କିନ୍ତୁ ମଣିପୁର ଯାଉ ନାହାନ୍ତି। ମଣିପୁରରେ ତାଙ୍କ ସରକାର ରହିଛି। ଯଦି ସେଠାରେ କଂଗ୍ରେସ ସରକାର ଥାଆନ୍ତା, ତା’ହେଲେ ଭାବନ୍ତୁ ସେ କ’ଣ କହିଥାଆନ୍ତେ।”

Manipur Manipur Violence Manipur Incident