Advertisment

ଘରକୁ ଘର ବୁଲି ସଦସ୍ୟ ସଂଗ୍ରହ କରିବ ବିଜେପି, ଦେଢ଼ମାସ ଧରି ଚାଲିବ ସଦସ୍ୟତା ଅଭିଯାନ

ସଦସ୍ୟତା ଅଭିଯାନ ପୂର୍ବରୁ ଆଜି ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ,  ସଂଗଠନର ଆତ୍ମା ହେଉଛନ୍ତି ପ୍ରାଥମିକ ସଦସ୍ୟତା ।

author-image
Ordigital Desk
undefined

BJP

ରାଜ୍ୟରେ ଏକକୋଟି ସଦସ୍ୟଙ୍କୁ ବିଜେପିରେ ସାମିଲ କରିବା ପାଇଁ ଆସନ୍ତା ସେପ୍ଟେମ୍ବର ୧ତାରିଖରୁ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ଉଭୟ ଅନଲାଇନ୍ ଓ ଅଫଲାଇନରେ ୪୫ଦିନ ଧରି ଏହି ସଦସ୍ୟତା ଅଭିଯାନ ଚାଲିବ । ସଦସ୍ୟତା ଅଭିଯାନରେ ସବୁବର୍ଗର ଲୋକଙ୍କୁ ପ୍ରାଧାନ୍ୟ ଦିଆଯିବ । ଘରକୁ ଘର ବୁଲି ପ୍ରତ୍ୟକ୍ଷ ସମ୍ପର୍କ ସ୍ଥାପନ କରି ସଦସ୍ୟ ସଂଗ୍ରହ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି । ଆଜିର ରାଜ୍ୟସ୍ତରୀୟ କର୍ମଶାଳାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।

Advertisment

ସଦସ୍ୟତା ଅଭିଯାନ ପୂର୍ବରୁ ଆଜି ରାଜ୍ୟସ୍ତରୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ,  ସଂଗଠନର ଆତ୍ମା ହେଉଛନ୍ତି ପ୍ରାଥମିକ ସଦସ୍ୟତା । ଭାରତୀୟ ଜନତା ପାର୍ଟିର ବିଚାରଧାରା ହିଁ ଏହି ଦଳକୁ ଅନ୍ୟ ରାଜନୈତିକ ଦଳଠାରୁ ଭିନ୍ନ ବୋଲି ପରିଚୟ ଦେଇଥାଏ । ବିଜେପି ଓଡ଼ିଶାରେ ଏକାକୀ ସରକାର ଗଠନ କରିବା ପରେ ପ୍ରଥମଥର ପାଇଁ ରାଜ୍ୟସ୍ତରୀୟ ସଦସ୍ୟତା ସଂଗ୍ରହ ଅଭିଯାନ କର୍ମଶାଳା ଆୟୋଜନ କରିଛି । ୨୫ବର୍ଷର ସରକାରକୁ ଧ୍ୱଂସ କରି ଗତ ନିର୍ବାଚନରେ ଜନତା ବିଜେପି ଉପରେ ଭରସା କରିଛନ୍ତି । ଏହି ସରକାର ଲୋକଙ୍କ ପାଇଁ କାମ କରି ଓଡ଼ିଶାବାସୀଙ୍କ ପ୍ରିୟଭାଜନ ହୋଇପାରିଛି । ଲୋକଙ୍କ ଏହି ଆଶାକୁ ଅଧିକ ମଜଭୁତ୍ କରିବା ପାଇଁ କାର୍ଯ୍ୟକର୍ତାଙ୍କୁ ଆଗକୁ ଆସି ଅଧିକ ଲୋକଙ୍କୁ ବିଜେପିରେ ସାମିଲ କରାଇବାକୁ ସେ ଆହ୍ୱାନ ଦେଇଛନ୍ତି । ସେଥିପାଇଁ ଦଳର ୩୬ଟି ସାଙ୍ଗଠନିକ ଜିଲ୍ଲାର ୩୬ହଜାର ବୁଥରୁ ପ୍ରାଥମିକ ସଦସ୍ୟତା ଅଭିଯାନ ହେବ । ବୈଷୟିକ ଜ୍ଞାନ, ବ୍ୟକ୍ତିଗତ ସମ୍ପର୍କ,ସାଂଗଠିକ ଶକ୍ତି ମିଶ୍ରଣରେ ବିପୁଳ ସଂଖ୍ୟାରେ ବିଜେପି ସଦସ୍ୟତା ଗଠନ କରିବ । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ । ଏଥିଲାଗି ରାଜ୍ୟରେ ଜାତି, ବର୍ଣ୍ଣ,ଅନୁସୂଚିତ ଜାତି,ଜନଜାତି, ମହିଳା, ଯୁବକ, ଛାତ୍ର, ଗରିବ, ମଧ୍ୟବିତ୍ତ ବର୍ଗ ମଧ୍ୟରେ ସଦସ୍ୟତା ଅଭିଯାନକୁ ତୀବ୍ର କରାଯିବ । ପ୍ରଥମ ଥର ମତଦାତାଙ୍କୁ ଦଳର ସଦସ୍ୟ ଭାବେ ସାମିଲ କରାଯିବ । ଏହି ଅଭିଯାନରେ ସରକାରୀ ଯୋଜନାର ଲାଭାର୍ଥୀ, ସ୍କୁଲ, କଲେଜ, ଛାତ୍ରାବାସ, ସହିଦଙ୍କ ପରିବାର ଏବଂ ବସ୍ତିରେ ବାସ କରୁଥିବା ବ୍ୟକ୍ତି ବିଶେଷମାନଙ୍କୁ ସଦସ୍ୟ କରିବା ପାଇଁ ପ୍ରାଥମିକତା ଦିଆଯିବ । ସଦସ୍ୟତା ଅଭିଯାନକୁ ମଲ୍‌, ହାଟ ବଜାର, ରେଳ ଷ୍ଟେସନ, ବସଷ୍ଟାଣ୍ଡ ତଥା ଅନ୍ୟାନ୍ୟ ଜନ ଏକତ୍ରୀକରଣ ସ୍ଥାନରେ କରାଯିବା ସହ ଛୋଟ ସଭା, ଡ୍ରାମା ଏବଂ ଛତା ଲଗାଇ ସାଧାରଣ ଜନତାଙ୍କୁ ମିସ୍ କଲ୍ ଦେବାପାଇଁ କୁହାଯିବ ବୋଲି ଶ୍ରୀ ସାମଲ କହିଛନ୍ତି ।

ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜିଲ୍ଲାସ୍ତରୀୟ ଏବଂ ୨୬,୨୭ ଓ ୨୮ ତାରିଖରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ । ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଆୟୋଜନ କରାଯିବ । ତା’ପରେ ସେପ୍ଟେମ୍ବର ୧ରୁ ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମ ପାଇଁ କର୍ମକର୍ତ୍ତମାନେ ଲୋକଙ୍କ ପାଖକୁ ଯାଇ ସଂପର୍କ ସ୍ଥାପନ କରିବେ ।

Advertisment

ଆଜିର ଏହି କର୍ମଶାଳାରେ ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଦସ୍ୟତା ଅଭିଯାନ ଟୋଲିର ସଦସ୍ୟ ଋତୁରାଜ ସିହ୍ନା, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ରହି ମାର୍ଗଦର୍ଶନ କରିଥିଲେ । ଦଳର ସମସ୍ତ ସାଂସଦ, ବିଧାୟକ, ପଦାଧିକାରୀ, ଜିଲ୍ଲା ସଭାପତି, ସାଧାରଣ ସଂପାଦକ, ପ୍ରଭାରୀ ଏବଂ ସଦସ୍ୟତା କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।

Bjp