Advertisment

ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ ବିଜେପି!

ବିଜେପିର ଏପରି ରଣନୀତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।

BJP

BJP

Advertisment

ଚଳିତ ବର୍ଷ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ବିଜେପି ନିଜର ରଣନୀତିକୁ ଚୂଡ଼ାନ୍ତ କରିଛି। କୌଣସି ବି ରାଜ୍ୟରେ ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ନାହିଁ। ବିଶେଷ କରି ହିନ୍ଦୀ ହାର୍ଟଲ୍ୟାଣ୍ଡ କୁହାଯାଉଥିବା ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ ଦଳ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ।

Advertisment

ଏହାର ଅର୍ଥ ସବୁ ରାଜ୍ୟଗୁଡ଼ିକର ବିଧାନସଭା ନିର୍ବାଚନରେ ମଧ୍ୟ ବିଜେପି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୋଷ୍ଟରକୁ ଆଗକୁ ଆଣିବ। ସେ ହିଁ ପୂର୍ବଭଳି ଦଳର ପୋଷ୍ଟର ବୟ ସାଜି ଦଳୀୟ ନେତାଙ୍କ ପାଇଁ ଭୋଟ ମାଗିବେ। 

କୁହାଯାଉଛି ଯେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିବ। ପୂର୍ବରୁ ଯେଉଁମାନେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବା ଏବେ ମୁଖ୍ୟମନ୍ତ୍ରୀ ରହିଛନ୍ତି, ସେମାନେ ଲୋକଙ୍କ ଗୁଡବୁକରେ ନାହାନ୍ତି। ତେଣୁ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ଚେହେରାକୁ ଆଗରେ ରଖି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି।

Advertisment

ବିଜେପିର ଦଳୀୟ ସୂତ୍ରରେ କୁହାଯାଇଛି ଯେ ଜଣଙ୍କ ନେତୃତ୍ୱରେ ନୁହେଁ ବରଂ ସାମୂହିକ ନେତୃତ୍ୱରେ ଦଳ ନିର୍ବାଚନ ଲଢ଼ିବାକୁ ଚାହୁଁଥିବାରୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ କରିବା ପାଇଁ ନିଷ୍ପତ୍ତି ନେଇଛି। 

ବିଜେପିର ଏପରି ରଣନୀତି ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ରାଜନୀତିକ ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେପି ଦୁଇଟି ପର୍ଯ୍ୟାୟରେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୭୮ ଜଣଙ୍କ ନାଁ ଘୋଷଣା କରି ସାରିଲାଣି। କିନ୍ତୁ ଏଯାଏ ୬୪ ବର୍ଷୀୟ ଶିବରାଜ କେଉଁଠୁ ପ୍ରାର୍ଥୀ ହେବେ, ସେକଥା ସ୍ପଷ୍ଟ ହୋଇନାହିଁ। ସରକାରୀ ବିରୋଧୀ ହାୱାକୁ ପ୍ରଶମିତ କରିବା ପାଇଁ ଏଥର ଦଳ ତାଙ୍କୁ ପ୍ରାର୍ଥୀ ନ କରିପାରେ ବୋଲି ମଧ୍ୟ କୁହାଯାଉଛି। ଏହାକୁ ନେଇ ଶିବରାଜ ସିଂହ ସାମାନ୍ୟ ଚିନ୍ତାରେ ରହିଛନ୍ତି।

ରାଜସ୍ଥାନରେ ଏବେ ବିଜେପି ବିରୋଧୀ ଦଳ ଭାବେ କାର୍ଯ୍ୟ କରୁଛି। ସବୁଥର ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ନିର୍ବାଚନ ମୈଦାନକୁ ଓହ୍ଲାଏ। କିନ୍ତୁ ଦଳ ପ୍ରଥମଥର ପାଇଁ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ବିଧାନସଭା ନିର୍ବାଚନ ଲଢ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବା ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି। 

ଜାନୁଆରୀ ମାସରେ ଜୟପୁରରେ ଥିବା ଦଳର ମୁଖ୍ୟାଳୟ ଆଗରେ ମଧ୍ୟ ତାଙ୍କର ବିରାଟ ଫଟୋ ସବୁ ଲାଗିଥିଲା। ପରୋକ୍ଷରେ ବିଜେପି ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିଥିବା କୁହାଯାଇଥିଲା। ହେଲେ ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହେଉଛି। ସେହିପରି ୨୦୧୮ରେ ବିଜେପି ନିର୍ବାଚନ ହାରିବା ପରେ ସେ ଲୋକଲୋଚନରୁ ମଧ୍ୟ ଉଭାନ ହୋଇ ଯାଇଥିଲେ। ଏବେ ନିର୍ବାଚନ ଆସିବାରୁ ସେ ପୁଣି ସକ୍ରିୟ ହୋଇଥିବା ଗୋଟିଏ ଧାରଣା ଲୋକଙ୍କ ମନରେ ସୃଷ୍ଟି ହୋଇଛି।

ଏହାବାଦ ରାଜ୍ୟ ବିଜେପି ମୁଖ୍ୟ ସତୀଶ ପୁନିଆ ଓ ବିରୋଧୀ ଦଳ ନେତା ଗୁଲାବ ଚାନ୍ଦ କଟାରିଆ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଗୋଡ଼ ଟେବି ବସିଛନ୍ତି। ଏମାନଙ୍କ ବ୍ୟତୀତ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଓ ଅର୍ଜୁନ ରାମ ମେଘୱାଲ ମଧ୍ୟ ଦୌଡ଼ରେ ଅଛନ୍ତି।

ତେବେ ମେଘୱାଲଙ୍କ ସ୍ଥିତି ସେତେଟା ଭଲ ନାହିଁ। କାରଣ ବିଜେପି ବିଧାୟକ କୈଳାସ ମେଘୱାଲ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ଏହାକୁ ନେଇ ବେଶ ହଟଚମଟ ଦେଖାଯାଇଥିଲା। ସ୍ଥିତି ବିଗିଡ଼ିବାକୁ ବିଜେପି ପକ୍ଷରୁ କୈଳାସ ମେଘୱାଲଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହି କାରଣରୁ ବିଜେପି ସାମୂହିକ ନେତୃତ୍ୱ ନାଁରେ ନିର୍ବାଚନ ଲଢ଼ିବାକୁ ଅଣ୍ଟା ଭିଡ଼ିଛି।

ଛତିଶଗଡ଼ରେ ବିଜେପି ବିରୋଧୀ ଦଳ ଭାବେ ରହିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜ୍ୟ ବିଜେପି ମୁଖ୍ୟ ଅରୁଣ ସାଓଙ୍କ ମଧ୍ୟରୁ ଜଣେ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଥିଲା। ଛତିଶଗଡ଼ ବିଜେପିରେ ଦଳୀୟ କନ୍ଦଳ ନାହିଁ। ତଥାପି ବିଜେପି ଏଠାରେ ମଧ୍ୟ ବିନା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀରେ ନିର୍ବାଚନ ଲଢ଼ିବ।

୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ସମାନ ରଣନୀତି ଆପଣାଇଥିଲା। ଦଳ ଏଠାରେ ନିର୍ବାଚନ ଜିତିବା ପରେ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା।

Bjp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe