Advertisment

ବଡ଼ସାହି BJD ପ୍ରାର୍ଥୀ କିଏ? ଗଣେଶ୍ୱରଙ୍କ ବିରୋଧରେ ମେଳି

ଆଜି ଗଣେଶ୍ୱରଙ୍କ ବିରୋଧରେ ବେତନଟୀ ଧର୍ମଶାଳାରେ ବସିଥିଲା ଗୁପ୍ତ ବୈଠକ। ବୈଠକରେ ବଡ଼ସାହି ବିଜେଡିର ବରିଷ୍ଠ କର୍ମକର୍ତ୍ତା ଓ ଶହଶହ କର୍ମୀ ସାମିଲ୍‌ ହୋଇଥିଲେ।

BJD

BJD

Advertisment

ବଡ଼ସାହି ନିର୍ବାଚନମଣ୍ଡଳୀରୁ କିଏ ହେବେ ବିଜେଡି ପ୍ରାର୍ଥୀ? ବିଧିବଦ୍ଧ ଭାବେ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନି। ହେଲେ ନାନା ଚର୍ଚ୍ଚା ଲାଗି ରହିଛି। କିନ୍ତୁ ରେସ୍‌ର ବହୁ ଆଗରେ ଅଛନ୍ତି ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ର। ବିଜେଡି ସଭାପତିଙ୍କ ଘୋଷଣା ପୂର୍ବରୁ ଗଣେଶ୍ୱରଙ୍କ ବିରୋଧରେ ଉଠିଲାଣି ସ୍ୱର। ଗଣେଶ୍ୱର ଓ ତାଙ୍କ ପରିବାରର କୌଣସି ବ୍ୟକ୍ତି ପ୍ରାର୍ଥୀ ସହଯୋଗ ନକରିବା ପାଇଁ ଶପଥ ନେଇଛନ୍ତି।

Advertisment

ଆଜି ଗଣେଶ୍ୱରଙ୍କ ବିରୋଧରେ ବେତନଟୀ ଧର୍ମଶାଳାରେ ବସିଥିଲା ଗୁପ୍ତ ବୈଠକ। ବୈଠକରେ ବଡ଼ସାହି ବିଜେଡିର ବରିଷ୍ଠ କର୍ମକର୍ତ୍ତା ଓ ଶହଶହ କର୍ମୀ ସାମିଲ୍‌ ହୋଇଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ଗଣେଶ୍ୱର ପାତ୍ର କିମ୍ୱା ତାଙ୍କ ପରିବାରରୁ କେହି ପ୍ରାର୍ଥୀ ହେଲେ ବିରୋଧ କରାଯିବ ବୋଲି ଖୋଲମ୍‌ଖୋଲା ଧମକ ଦିଆଯାଇଛି। ଏପରିକି ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ କର୍ମୀମାନଙ୍କୁ ଶପଥପାଠ କରାଯାଉଛି। ଯାହାକୁ ନେଇ ବଡ଼ସାହି ବିଜେଡିରେ କମ୍ପନ ସୃଷ୍ଟି ହୋଇଛି।

ଭିଡିଓରେ ଦେଖିବାକୁ ମିଳୁଛି ସମସ୍ତଙ୍କୁ ଶପଥ ପାଠ କରାଉଛନ୍ତି ବିଜେଡି ନେତା ସୁଶାନ୍ତ କୁମାର ବଳା। ସେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଶପଥପାଠ କରାଇ କହୁଛନ୍ତି, “.... ଜଗନ୍ନାଥଙ୍କ ଦ୍ୱାହୀ ଦେଇ ଶପଥ କରୁଅଛି ଯେ, ଆସନ୍ତା ବିଧାନସଭା ନିର୍ବାଚନରେ ଗଣେଶ୍ୱର ପାତ୍ର ଓ ତାଙ୍କ ପରିବାର ଛଡ଼ା ଆମେ ନୂତନ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବୁ। ଯଦି ଗଣେଶ୍ୱର ପାତ୍ର ଟିକଟ ପାଆନ୍ତି, ତାହାହେଲେ ଆମେ ସମ୍ପୂର୍ଣ୍ଣ ଭାବେ ବିରୋଧ କରିବୁ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ...।”

Advertisment

ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ କୁମାର ବଳା କହିଛନ୍ତି, ୨୦୧୪ରୁ ୧୯ ପର୍ଯ୍ୟନ୍ତ ଯିଏ ବିଧାୟକ ଥିଲା ଭିତରେ କୌଣସି ଉନ୍ନତି ମୂଳକ କାମ କରିନାହାନ୍ତି। ଏହି ଅଞ୍ଚଳରେ ଥିବା ବ୍ୟବସାୟୀଙ୍କୁ ସୁରୁଖୁରୁ କାମ କରିବା ପାଇଁ ଦେଇନାହାନ୍ତି। ପିସି ଆଦାୟ କରିଥାଆନ୍ତି। ଏନେଇ ଆମେ ସାଂସଦ ଆର୍‌କେ ଜେନାଙ୍କୁ ଜଣାଇଥିଲୁ। ଏଥିସହ ସାଂଗଠନିକ ସମ୍ପାଦକ ବବିଭାଇ ଓ ପର୍ଯ୍ୟବେକ୍ଷକଙ୍କୁ ଜଣାଇଛୁ। ଏପରିକି 5-T ଅଧ୍ୟକ୍ଷ ଭି.କେ ପାଣ୍ଡିଆନ୍‌ଙ୍କ ପାଖରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲୁ। ତାଙ୍କୁ ଆଉ ଟିକଟ ନଦେବା ପାଇଁ କହିଥିଲୁ ବୋଲି ଶ୍ରୀ ବଳା କହିଛନ୍ତି।

ଏ ବାବଦରେ ପୂର୍ବତନ ବିଧାୟକ ଗଣେଶ୍ୱର ପାତ୍ରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରା ଯାଇଥିଲା। ହେଲେ ଯୋଗାଯୋଗ ହୋଇ ପାରିନଥିଲା। ଅନ୍ୟ ପଟେ ବିଜେଡି ବ୍ଲକ୍‌ ଅଧ୍ୟକ୍ଷ ସନ୍ତକ ଲେଙ୍କା କହିଛନ୍ତି, ଅଭିଯୋଗ ଭିତ୍ତିହୀନ। ଦଳ ଯାହା ନିଷ୍ପତ୍ତି ନେବ, ସମସ୍ତେ ମିଳିମିଶି କାର୍ଯ୍ୟ କରିବେ।

ରିପୋର୍ଟ-ବାରିପଦାରୁ ମାଣିକଲାଲ ପାଣି

BjD Baripada 2024 Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe